ଦୟାପଲ୍ଲୀରେ ୩୨ଜଣଙ୍କ ସ୍ୱାବ ନମୁନା ସଂଗ୍ରହ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):କରୋନା ସଂକ୍ରମଣରେ ଶୀର୍ଷ ସ୍ଥାନ ଅଧିକାର କରିଥିବା ଗଞ୍ଜାମ ଜିଲ୍ଲାରେ ଏବେ ସଂକ୍ରମଣ ସଂଖ୍ୟା କମିଛି।ରାଜ୍ୟରେ କରୋନା ହଟସ୍ପଟ ଭାବେ ଚିହ୍ନିତ ଏହି ଜିଲ୍ଲା ଏବେ ପ୍ରଥମ ସ୍ଥାନରୁ ତଳକୁ ଖସି ଦ୍ଵିତୀୟ ସ୍ଥାନରେ ରହିଛି।ଜିଲ୍ଲାର ସାଙ୍ଘାତିକ ପରିସ୍ଥିତି କୁ ଲକ୍ଷ୍ୟ ରଖି ଏହା ରାଜ୍ୟ ସରକାରଙ୍କ ଫୋକସରେ ରହିଛି।ଅନ୍ୟାନ୍ୟ ସଂକ୍ରମିତ ଜିଲ୍ଲା ଅପେକ୍ଷା ଗଞ୍ଜାମ ଜିଲ୍ଲାର ସଂକ୍ରମଣ ସ୍ଥିତି ଅତି ସଙ୍ଗୀନ।ଏଭଳି ଏକ ବିଷମ ପରିସ୍ଥିତିର ଦୃଢ଼ ମୁକାବିଲା ପାଇଁ ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବାକୁ ଅଧିକ ତ୍ୱରାନ୍ୱିତ କରିଛନ୍ତି।ଗ୍ରାମାଞ୍ଚଳ ସମେତ ସହରାଞ୍ଚଳରେ ବୃଦ୍ଧି ପାଉଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ସହଯୋଗରେ ରେପିଡ଼ ରେସପନ୍ସ ଟିମ ସହାୟତାରେ ସମସ୍ତ ବର୍ଗର ଲୋକଙ୍କ ଚିକିତ୍ସା ସକାଶେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ।ଏଭଳି ସ୍ଥିତିରେ କରୋନା ସଂକ୍ରମଣକୁ ରୋକିବା ପାଇଁ ସ୍ୱାବ ନମୁନା ସଂଗ୍ରହ ପ୍ରକ୍ରିୟାକୁ ପ୍ରାଥମିକତା ଦିଆଯାଇଛି।ଏଥିପାଇଁ କରୋନା ଲକ୍ଷଣ ଥିବା ବ୍ୟକ୍ତି ବିଶେଷ ରୋଗ ନ ଲୁଚାଇ ସ୍ୱାବ ନମୁନା ପରୀକ୍ଷା ଜରିଆରେ ରୋଗମୁକ୍ତ ହେବା ପାଇଁ ସେମାନଙ୍କୁ ପରାମର୍ଶ ଦିଆଯାଇଛି। ସମ୍ପ୍ରତି ପଞ୍ଚାୟତ ସ୍ତରରେ ସ୍ୱାବ ନମୁନା ସଂଗ୍ରହ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି।ସ୍ଥାନୀୟ ବ୍ଲକର ଦୟାପଲ୍ଲୀ ଗ୍ରାମରେ ରବିବାର ସ୍ୱାବ ନମୁନା ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥିଲା।ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀ ମାନେ ସମ୍ପୃକ୍ତ ଗ୍ରାମର ୩୨ ଜଣଙ୍କ ସ୍ୱାବ ନମୁନା ସଂଗ୍ରହ କରିଥିଲେ। ପିଇଓ ଜେ ରାଜେଶ ରାଓ, ସରପଞ୍ଚ ବି ଆପେୟା,ଏଏନଏମ୍, ଆଶା ଓ ଅଙ୍ଗନବାଡିକର୍ମୀ ଅଂଶ ଗ୍ରହଣ କରିଥିଲେ।


