ତିଷ୍ଠି ରହିବାକୁ ସଂଗ୍ରାମ କରୁଛି ସଂସ୍କୃତ ଖବରକାଗଜ “ସୁଧର୍ମା’
ଦେବ ଭାଷା ସଂସ୍କୃତ । ଏହି ଭାଷାର ଲୋକପ୍ରିୟତା ବୃଦ୍ଧିକରିବା ପାଇଁ ଦେଶରେ ବିଶ୍ୱ ସଂସ୍କୃତ ସପ୍ତାହ ପାଳନ କରାଯାଉଛି । କିନ୍ତୁ ଏବେ ମହୀଶୂରରୁ ପ୍ରକାଶିତ ଏକମାତ୍ର ସଂସ୍କୃତ ଖବରକାଗଜ “ସୁଧର୍ମା’ ତିଷ୍ଠି ରହିବା ପାଇଁ ସଂଗ୍ରାମ କରୁଛି । ସଂସ୍କୃତ ଭାଷାର ପ୍ରଚାର ଓ ପ୍ରସାର ପାଇଁ ବରଦରାଜ ଆୟାଙ୍ଗାରଙ୍କ ଦ୍ୱାରା ଜୁଲାଇ ୧୫, ୧୯୭୦ରେ ଆରମ୍ଭ କରାଯାଇଥିବା ଏହି ଖବରକାଗଜ ତା’ର ୫୦ ବର୍ଷ ପୂର୍ତ୍ତି ପାଳନ କରିବାକୁ ଅକ୍ଷମ । ବିଭିନ୍ନ ସରକାରୀ ସଂସ୍ଥାକୁ ଏଥିପାଇଁ ସାହାଯ୍ୟ ଚାହିଁଥିଲେ ମଧ୍ୟ ସେହିସବୁ ସଂସ୍ଥା ଆଗ୍ରହ ପ୍ରକାଶ କରୁନାହାନ୍ତି । ଏବେ ଆୟାଙ୍ଗାରଙ୍କ ପୁଅ ସମ୍ପତ୍ କୁମାର ଓ କ୍ଷବାହୂ ଜୟଲକ୍ଷ୍ମୀ ତାହାକୁ ପ୍ରକାଶ କରୁଛନ୍ତି । ଏ-୩ ସାଇଜ୍ ଏହିି କାଗଜର ୩,୦୦୦ ଗ୍ରାହକ ରହିଛନ୍ତି । ବିଭିନ୍ନ ସଂସ୍ଥା ଓ ଲାଇବ୍ରେରି ଏହାକୁ ବେଶି ନେଉଛନ୍ତି । “ସୁଧର୍ମା’ର ଇ- ପେପର ପାଠକଙ୍କ ସଂଖ୍ୟା ଏବେ ୧ ଲକ୍ଷ । ଏହି ସଂସ୍କୃତ ଖବରକାଗଜର ମୂଲ୍ୟ ରହିଛି ୧ ଟଙ୍କା ୭୫ ପଇସା ।


