ଯୋଗେଶ୍ୱର ଶ୍ରୀକୃଷ୍ଣ ଜଣେ ଶ୍ରେଷ୍ଠ ବନ୍ଧୁ ଥିଲେ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ମହର୍ଷି ଦୟାନନ୍ଦଙ୍କ ପ୍ରତିଷ୍ଠିତ ଆର୍ଯ୍ୟସମାଜ ଅନୁଷ୍ଠାନର ପ୍ରମୁଖ ସଂଗଠନ ଆର୍ଯ୍ୟସମାଜ, ଓଡ଼ିଶା ପକ୍ଷରୁ ଶ୍ରାବଣୀ ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇଥିବା ବୈଦିକ ଶ୍ରାବଣୀ ଉପାକର୍ମ ଉତ୍ସବ ଆଜି ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀରେ ଉଦ୍‌ଯାପିତ ହୋଇଯାଇଛି । ଏହି ଉପଲକ୍ଷେ ଏକ ଭିଡ଼ିଓ କାର୍ଯ୍ୟକ୍ରମରେ ପୌରହିତ୍ୟ କରି ଅନୁଷ୍ଠାନର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର କହିଲେ ଯେ, ଆମ ସଂସ୍କୃତି ହଜାର ହଜାର ବର୍ଷର ସଂସ୍କୃତି, ଯିଏ ଆମକୁ ଶିକ୍ଷା ଦେଇଛି ସର୍ବେ ଭବନ୍ତୁ ସୁଖିନଃ, ସମସ୍ତେ ଭଲରେ ରୁହନ୍ତୁ । କାର୍ଯ୍ୟକ୍ରମକୁ ଉଦ୍‌ଘାଯନ କରି ନିଗମ କଳ୍ପତ୍ତରୁ ଆଶ୍ରମର ପ୍ରତିଷ୍ଠାତା ସନ୍ଥ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ କହିଲେ ଯେ, ଯୋଗେଶ୍ୱର ଶ୍ରୀକୃଷ୍ଣ କେବଳ ଦୁଷ୍ଟ ବିନାଶକାରୀ ନଥିଲେ, ଜଣେ ଶ୍ରେଷ୍ଠ ବନ୍ଧୁ ଥିଲେ । ସେହିପରି ରୁକ୍ମୁଣୀ ସତ୍ୟଭାମାଙ୍କ କ୍ଷେତ୍ରରେ ଜଣେ ଶ୍ରେଷ୍ଠ ସ୍ୱାମୀର କର୍ତ୍ତବ୍ୟ କରିଛନ୍ତି । ଯେଉଁଠି ଯେପରି ଆବଶ୍ୟକତା, ସେପରି ବ୍ୟବହାର କରିବା ଯୋଗେଶ୍ୱର ଶ୍ରୀକୃଷ୍ଣଙ୍କ କ୍ଷେତ୍ରରେ ଦେଖାଯାଇଥାଏ । ଶ୍ରୀକୃଷ୍ଣ ଚରିତ୍ରରୁ ମାନବ ସମାଜ ବହୁତ କିଛି ଶିକ୍ଷା କରିପାରିବ ବୋଲି ସ୍ୱାମିଜୀ କହିଥିଲେ । ଅନ୍ୟତମ ଅତିଥି ଦିବ୍ୟଜୀବନ ସଂଘର ସନ୍ଥ ସ୍ୱାମୀ ଜଗନ୍ନାଥାନନ୍ଦ ସରସ୍ୱତୀ କହିଲେ ଯେ, ଯୁବକମାନଙ୍କ ମଧ୍ୟରେ କେବଳ ଧାର୍ମିକ ଭାବନା ନୁହେଁ, ନୈତିକ ଦାୟିତ୍ୱ ଉପରେ ସଚେତନ କରାଇବା, ପିତାମତାଙ୍କ ସହ ଆମ ସମସ୍ତଙ୍କର ଦାୟିତ୍ୱ । ବେଦ ଗବେଷକ ଅଧ୍ୟାପକ ରାଜକିଶୋର ହୋତା ଶ୍ରୁତିପ୍ରିୟ ବାନପ୍ରସ୍ଥି, ବର୍ତ୍ତମାନ ସମାଜରେ ପର୍ଯ୍ୟାବରଣ ଶୁଦ୍ଧତା ପାଇଁ ଘରେ ଘରେ ଘୃତ ଯଜ୍ଞ କରିବାକୁ ସେ ନିବେଦନ କରିଥିଲେ । ପୂର୍ବତନ କୁଳପତି ଡ଼ଃ ବିମଳେନ୍ଦୁ ମହାନ୍ତି, ମହର୍ଷି ଦୟାନନ୍ଦଙ୍କ ଆର୍ଯ୍ୟସମାଜ ଭାରତବର୍ଷରେ ଏକ ଧାର୍ମିକ ଆନ୍ଦୋଳନ ଥିଲା ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯୋଗାଚାର୍ଯ୍ୟ ହରିଭାଇ ଆର୍ଯ୍ୟାନ, ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା, ବେଦ ପ୍ରଚାର ସପ୍ତାହର ତାତ୍ପର୍ଯ୍ୟ ବିଷୟରେ ଆଲୋକପାତ କରିଥିଲେ । ବୁଦ୍ଧ ସମିତିର ଟ୍ରଷ୍ଟି ଡଃ ସୌରେନ୍ଦ୍ର କୁମାର ମହାପାତ୍ର, ହିନ୍ଦୁ ରାଷ୍ଟ୍ର ସଂଘର ଅଧ୍ୟକ୍ଷ ଡଃ ବଦ୍ରିନାଥ ପଟ୍ଟନାୟକ, ଗୋବର୍ଦ୍ଧନ ପୀଠର ପ୍ରବକ୍ତା ତଥା ରାମରାଜ୍ୟ ପରିଷଦର ରାଷ୍ଟ୍ରୀୟ ସଂଯୋଜକ ମନୋଜ ରଥ, ଅଧ୍ୟାପକ ଡଃ ଆର୍ଯ୍ୟକୁମାର ହର୍ଷବର୍ଦ୍ଧନ, ପଣ୍ଡିତ ଧନେଶ୍ୱର ବେହେରା ପ୍ରମୁଖ ବହୁମୁଲ୍ୟ ତଥ୍ୟ ରଖିଥିଲେ । ଏହି ଉପଲକ୍ଷେ ପୂର୍ବତନ ନଗରପାଳ ଡଃ ଜଗନ୍ନାଥ ମହାପାତ୍ରଙ୍କ ବାସଗୃହରେ ବୈଦିକ ଯଜ୍ଞ ପଣ୍ଡିତ ବିନୋଦ ବିହାରୀ ଦାସଙ୍କ ଦ୍ୱାରା ହୋଇଥିଲା । ଯଜମାନ ଭାବେ ଡଃ ମହାପାତ୍ର ଓ ପ୍ରଫେସର ସଂଘମିତ୍ରା ମିଶ୍ର ରହିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଡଃ ଅପରାଜିତା ମହାପାତ୍ର, ଡ଼ଃ ଭବାନୀ ସୋରେନ ପ୍ରମୁଖ ଯୋଗ ଦେଇଥିଲେ । ବାସ୍ତୁବିତ୍ ଡଃ ମନୋଜ ଲେଙ୍କା ସ୍ୱାଗତ ଭାଷଣ ଓ ଇଂ ବିବେକାନନ୍ଦ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ