ମହିଳା ହର୍ସ ରେସ୍ର ବଢ଼ୁଛି ଲୋକପ୍ରିୟତା
ହର୍ସ ରେସ୍ ବା ଘୋଡା ଦୌଡ ସର୍ବଦା ଏକ ପୁରୁଷ ପ୍ରଧାନ ଖେଳ ଭାବେ ପରିଚିତ ହୋଇଆସିଛି । ହେଲେ ୨୦୧୨ ବ୍ରିଟେନ୍ରେ ଆରମ୍ଭ ହୋଇଥିଲା ମହିଳାଙ୍କ ଘୋଡାଦୌଡ ପ୍ରତିଯୋଗିତା, ମଙ୍ଗୋଲିଆ କପ୍ । ସେତେବେଳେ ଏହାକୁ ଦେଖିବା ପାଇଁ ବହୁ କଷ୍ଟରେ ୧୦ ହଜାର ଲୋକ ଆସିଥିଲେ । ସେବେଠାରୁ ଏହା ପ୍ରତିବର୍ଷ ଅଗଷ୍ଟ ୧ ତାରିଖରେ ଆୟୋଜିତ ହେଉଛି । ଚଳିତ ବର୍ଷ ଏହାର ସପ୍ତମ ସଂସ୍କରଣ ଥିଲା । ଆଉ ଦର୍ଶକଙ୍କ ସଂଖ୍ୟା ବଢି ୩୦ ହଜାର ହୋଇଯାଇଥିଲେ । ଏଥିରୁ ଜଣାଯାଏ ଏହାର ଲୋକପ୍ରିୟତା ବଢ଼ିବାକୁ ଲାଗିଛି । ବର୍ତ୍ତମାନ ଏହି କାର୍ଯ୍ୟକ୍ରମକୁ ବ୍ରିଟେନ୍ର ଲେଡିଜ୍ ଡେ’ ଇଭେଣ୍ଟ ଭାବେ ନାମିତ ବି କରାଯାଇଛି । ଉକ୍ତ ରେସ୍ରେ ୧୧ଜଣ ମହିଳା ଅଂଶଗ୍ରହଣ କରନ୍ତି । ତା’ ମଧ୍ୟରେ କେହି ବି ପେସାଗତ ଜକି ନ ଥାଆନ୍ତି । ମହିଳାଙ୍କ ମଧ୍ୟରେ କିଏ ଟିଭି ଆଙ୍କର ତ କିଏ ପତ୍ରକାର, ଆଉ କିଏ ଇଞ୍ଜିନିୟରିଂ ଛାତ୍ରୀ ବି ଥାଆନ୍ତି । ସମସ୍ତେ ସଉକ୍ ଭାବେ ହର୍ସ ରାଇଡିଂ କରନ୍ତି । ଉକ୍ତ ରେସ୍ରେ, ଯାହା ଧନରାଶି ଜମା କରାଯାଏ ଦୁନିଆସାରାର ମହିଳାଙ୍କ ଉପକାର ପାଇଁ ଦାନ କରିଦିଆଯାଏ । ଏଥର ଏହି ରେସ୍ରେ ପ୍ରଥମ କରି ଜଣେ ୧୮ ବର୍ଷୀୟା ମୁସଲିମ୍ ଯୁବତୀ ହିଜାବ ପିନ୍ଧି ରେସ୍ରେ ଅଂଶଗ୍ରହଣ କରିଥିଲେ । ଆଉ ସେ ବିଜୟିନୀ ବି ହୋଇଛନ୍ତି ।


