ଗଜପତି ଜିଲ୍ଲା ବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ୧୩୫ କୋଟିର ଭେଟି
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ସ୍ୱାଧୀନତା ଦିବସ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲ୍ଲା ବାସୀଙ୍କ ଉପକାର ପାଇଁ ଏକ ନୂତନ ଘୋଷଣା କରିଛନ୍ତି ବୋଲି ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଏଠାରେ ସୂଚନା ଦେଇଛନ୍ତି । ସାଂସଦ ସାହୁ କହିଛନ୍ତି,୧୩୫ କୋଟି ଟଙ୍କା ବ୍ୟୟରେ ଗଜପତି ଜିଲ୍ଲାରେ ନୂତନ ପାନୀୟଜଳ ପ୍ରକଳ୍ପ ନିର୍ମାଣ ହେବାକୁ ଯାଉଛି । ଏଥିରେ ଗଜପତି ଜିଲ୍ଲାର ଗୁମ୍ମା ବ୍ଲକର ୧୬ଗୋଟି ଗ୍ରାମର ୧୨ହଜାର ଲୋକଙ୍କ ସହିତ କାଶୀନଗର ବ୍ଲକର ୮୭ ଗ୍ରାମର ୪୮ ହଜାର ଲୋକେ ଉପକୃତ ହୋଇପାରିବେ । ମୋଟାମୋଟି ଭାବେ ଗୁମ୍ମା ଓ କାଶୀନଗର ବ୍ଲକର ୬୪ ହଜାର ଲୋକେ ଏହି ପାନୀୟଜଳ ପ୍ରକଳ୍ପ ଦ୍ୱାରା ଉପକୃତ ହେବେ ବୋଲି ସାଂସଦ ସାହୁ ପ୍ରକାଶ କରି ଆଗାମୀ ଦିନରେ ଗଜପତି ଜିଲ୍ଲାବାସୀଙ୍କ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ଆହୁରି ଅନେକ ନୂତନ କାର୍ଯ୍ୟକ୍ରମ ଆରମ୍ଭ କରିବା ମଧ୍ୟ ସ୍ଥିର କରିଛନ୍ତି । ମୁକ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏହି ନୂତନ ଜଳ ପ୍ରକଳ୍ପ କାର୍ଯ୍ୟାରମ୍ଭ ପାଇଁ ମଧ୍ୟ ରାଜ୍ୟ କ୍ୟାବିନେଟରେ ସ୍ଥିର ହେବା ସହ ୧୩୫ କୋଟି ଟଙ୍କାରେ ବ୍ୟୟ ବରାଦ ପାଇଁ କ୍ୟାବିନେଟରେ ଅନୁମୋଦନ ହୋଇଥିବା ମଧ୍ୟ ସାଂସଦ ସାହୁ ସୂଚନା ଦେଇଛନ୍ତି । ସାଂସଦଙ୍କ ଏହି ସୂଚନା ଦେବା ବେଳେ ଗଜପତି ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ,ପାରଳା ରାଜକୁମାରୀ କଲ୍ୟାଣୀ ଦେବୀ,ବିଜେଡି ଯୁବ ସଭାପତି ଏସ.ଲିଙ୍ଗରାଜୁ,ବରିଷ୍ଠ ବିଜେଡି ନେତା ଅନ୍ତର୍ଯ୍ୟମୀ ଗମାଙ୍ଗ ଓ ସୁର୍ଯ୍ୟନାର୍ୟାଣ ରାଜଗୁରୁ ପ୍ରମୁଖ ଉପସ୍ଥିତ ଥିଲେ ।