ବରିଷ୍ଠ ନାଗରିକ ମଞ୍ଚର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ସ୍ଥାନୀୟ ନୃତ୍ୟ-ସଂଗୀତ-କଳା ମନ୍ଦିରରେ ବାଲେଶ୍ୱର ବରିଷ୍ଠ ନାଗରିକ ମଞ୍ଚର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାପତି ବୈଦ୍ୟନାଥ ଷଡ଼ଙ୍ଗୀ ଏଥିରେ ଅଧ୍ୟକ୍ଷତା କରିଥିଲେ । ମଞ୍ଚର ସାଧାରଣ ସଂପାଦକ ଲକ୍ଷ୍ମୀଧର ବେହେରା ଆଲୋଚନା ଆରମ୍ଭ କରି ଜିଲ୍ଲା ପ୍ରଶାସନ, ପୋଲିସ୍ ପ୍ରଶାସନ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରମୁଖ କର୍ତ୍ତୃପକ୍ଷଙ୍କର ବରିଷ୍ଠ ନାଗରିକମାନଙ୍କ କଲ୍ୟାଣକଳ୍ପେ ସରକାରଙ୍କ ପକ୍ଷରୁ ମଞ୍ଜୁରୀପ୍ରାପ୍ତ ବିଭିନ୍ନ କଲ୍ୟାଣକର ଯୋଜନା ଓ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାରେ ଚରମ ଅବହେଳା ପ୍ରଦର୍ଶନ କରୁଥିବା କଥା ଅଭିଯୋଗ କରିଥିଲେ । ରାଜ୍ୟସରକାରଙ୍କ ସାମାଜିକ ସୁରକ୍ଷା ବିଭାଗ ତରଫରୁ ଜିଲ୍ଲାରେ ଏକ ସମନ୍ୱୟ ପୁନର୍ବାସ କେନ୍ଦ୍ର ପ୍ରତିଷ୍ଠା କରିବା ସକାସେ ଦୀର୍ଘ ୨ବର୍ଷ ଧରି ଜମି ଅଧିଗ୍ରହଣ କରାଯାଇପାରୁନଥିବା, ସହରାଞ୍ଚଳ ଥାନାଗୁଡ଼ିକରେ ନିଃସହାୟ, ବୃଦ୍ଧ-ବୃଦ୍ଧାମାନଙ୍କୁ ପୋଲିସ୍ ପରିଚୟପତ୍ର ପ୍ରଦାନ କରିବାଲାଗି ବିଭିନ୍ନ ଥାନାରେ ପଡ଼ିରହିଥିବା ଦରଖାସ୍ତଗୁଡ଼ିକର ବିଚାର ହେଉନଥିବା କିମ୍ବା ସେମାନଙ୍କ ପରିଚୟପତ୍ର ପ୍ରଦାନ କରାଯାଉନଥିବା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସରକାରଙ୍କ ପକ୍ଷରୁ ନିର୍ମିତ ସ୍ୱତନ୍ତ୍ର ଜେରିଆଟ୍ରିକ୍ ୱାର୍ଡ଼କୁ କର୍ତ୍ତୃପକ୍ଷ ଅନ୍ୟକାର୍ଯ୍ୟରେ ବ୍ୟବହାର କରୁଥିବାବେଳେ ଜରାରୋଗୀମାନଙ୍କ ଚିକିତ୍ସା ପାଇଁ ଏଯାବତ ସ୍ୱତନ୍ତ୍ର ୱାର୍ଡ଼ର ଚିହ୍ନଟ ହୋଇପାରୁନଥିବା, ସହରରେ ଚାଲିଥିବା ଜବରଦଖଲ ଉଚ୍ଛେଦ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସହ ଏହାର ସ୍ଥାୟୀ ସମାଧାନ ହେବା ଦିଗରେ ନୀତି ନିର୍ଦ୍ଧାରଣ କରାଯିବା ଓ ୪୦ବର୍ଷ ତଳେ ବାଲେଶ୍ୱରରେ ନିର୍ମିତ ହୋଇଥିବା ବାଲେଶ୍ୱର ଫ୍ଲାଏ ଓଭରବ୍ରିଜ୍ଟି ଏବେ ବିପଦସଂକୁଳ ଅବସ୍ଥାରେ ଥିବାବେଳେ ଯୁଦ୍ଧକାଳୀନ ଭିତ୍ତିରେ ତା’ର ମରାମତି କରାଯିବା ଆଦି ଘେନି ବୈଠକରେ ପ୍ରସ୍ତାବ ଗୃହୀତ ହୋଇଥିଲା । ଖୁବ୍ ଶୀଘ୍ର ମଞ୍ଚର ଏକ ପ୍ରତିନିଧି ଦଳ ଜିଲ୍ଲା କର୍ତ୍ତୃପକ୍ଷଙ୍କୁ ଭେଟି ଏହିସବୁ କାର୍ଯ୍ୟକ୍ରମର ଆଶୁ ସମାଧାନ ଦିଗରେ ଦୃଷ୍ଟି ଆକର୍ଷଣ କରିବାଲାଗି ବୈଠକରେ ଏକ କୋର୍ କମିଟି ଗଠିତ ହୋଇଥିଲା । ମଞ୍ଚର କର୍ମକର୍ତ୍ତା ଧୀରେନ୍ଦ୍ର ନାରାୟଣ ଦାସ, ଭଗବାନ ଚନ୍ଦ୍ର ରାଉତ, ଶରତ ଚନ୍ଦ୍ର ଦାସ, ପ୍ରୋ. ଉପେନ୍ଦ୍ରନାଥ ଦାସ, ଅନନ୍ତ ପ୍ରଧାନ, ରାଜେନ୍ଦ୍ରନାଥ ରାଉତ, ଦାମୋଦର ନାୟକ, ମଧୁସୂଦନ ଜେନା, ସୁଶ୍ରୀ ଅର୍ଚ୍ଚନା ନନ୍ଦୀ, ଦେବେନ୍ଦ୍ରନାଥ ଚୌଧୁରୀ, ଦାମୋଦର ନାୟକ, ବେଣୁଧର ପାଳ, ଗୋପୀନାଥ ଦାସ, ସୁରେଶ ଚନ୍ଦ୍ର ଜେନା, ଲମ୍ବୋଦର ନାୟକ, ରବୀନ୍ଦ୍ର କୁମାର ଦେ, ନିରପମା ସେଠୀ, ରେଣୁବାଳା ଦାସ, ପ୍ରସନ୍ନ କୁମାର ପାଢ଼ୀ, ପ୍ରଭାସିନୀ କର, ବ୍ରଜସୁନ୍ଦର ଦାଶ, ଦେବବ୍ରତ ପାଣିଗ୍ରାହୀ, ସନାତନ ନାୟକ, ଶଶାଙ୍କ ଶେଖର ଦତ୍ତ, ଶ୍ୟାମସୁନ୍ଦର ଜେନା, ପୁରୁଷୋତ୍ତମ ବେହେରା, ମନ୍ମଥ କୁମାର ପାତ୍ର, ଡ. ସନାତନ ଦାସ, ଅନୁଶ୍ରୀ କୁମାର ସାହୁ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସମୀକ୍ଷକ ଅକ୍ଷୟ କୁମାର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।\n