ଓଡ଼ିଆ ସାହିତ୍ୟ ଟୁଙ୍ଗିର ବନ୍ଦେ ଭାରତ ପଦ୍ୟ ଆବୃତ୍ତି ଆସର
ଭୁବନେଶ୍ୱର,(ଓ୍ବାଇଏନ୍ଏସ୍) : ଓଡ଼ିଶାର କଳା, ସାହିତ୍ୟ, ସଂସ୍କୃତିକୁ ବିଶ୍ୱ ଦରବାରରେ ସମୃଦ୍ଧ ଓ ପ୍ରତିଷ୍ଠା କରିବାର ପ୍ରଶଂସନୀୟ ଉଦ୍ୟମ ଅହରହ ଜାରି ରଖିଥିବା ଓଡ଼ିଆ ସାହିତ୍ୟ ଟୁଙ୍ଗି ଆୟୋଜିତ କରିଥିଲା ବନ୍ଦେ ଭାରତ ପଦ୍ୟ ଆବୃତ୍ତି ଆସର ‘ସ୍ୱର୍ଗାଦପି ଗରୀୟସୀ’ ।
ଓଡ଼ିଶାରୁ ଆମନ୍ତ୍ରିତ ସୁଧୀ ସାହିତ୍ୟପ୍ରେମୀଙ୍କୁ ନେଇ ଦେଶପ୍ରେମ, ଜନ୍ମଭୂମି ପ୍ରଭୃତି ପ୍ରସଙ୍ଗକୁ ଆଧାର କରି ଏହି ଆବୃତ୍ତି କାର୍ଯ୍ୟକ୍ରମ ୱେବିନାର ମାଧ୍ୟମରେ ସମଗ୍ର ବିଶ୍ୱରେ ବସବାସ କରୁଥିବା ଓଡ଼ିଆମାନଙ୍କ ନିମନ୍ତେ ଏହା ପ୍ରସାରଣ କରାଯାଇଥିଲା । ହଜାରରୁ ଅଧିକ ସାହିତ୍ୟପ୍ରେମୀ ମନୋରମା ମହାପାତ୍ର, ଦାଶ ବେନହୁର୍, ହୁସେନ ରବି ଗାନ୍ଧୀ, ପ୍ରଦୀପ୍ତ ବାରିକ, ନନ୍ଦିନୀ ସାହୁ, ଭାଗ୍ୟଲିପି ମଲ୍ଲ, ଶ୍ରୀଯୁକ୍ତ ସତ୍ୟାନାଶ, ସୁବ୍ରତ ପୃଷ୍ଟି, ସୁକାନ୍ତି ମହାପାତ୍ର, ଅଦିତି ମଲ୍ଲିକ, ଶୁଭଶ୍ରୀ ଶୁଭସ୍ମିତା, ଅଫତାବ୍ ହୁସେନ, ବବି ଅନୁସୂୟା, ପଦାରବିନ୍ଦ ରଥ, ଅନ୍ନଦା ତ୍ରିପାଠୀ, ନିରଞ୍ଜନ ମିଶ୍ର, ସାନ୍ତ୍ୱନା ଦାଶ, ତନୁଶ୍ରୀ ପତ୍ରୀ ଓ ପ୍ରଶାନ୍ତ ଭୂୟାଁ କବିତା ଆବୃତ୍ତି କରିଥିଲେ ।
ସଭାର ପ୍ରାରମ୍ଭ କରିଥିଲେ ଡଃ ସୁନନ୍ଦା ମିଶ୍ର ପଣ୍ଡା । ସଭା ପରିଚାଳନା କରିଥିଲେ ପ୍ରଶାନ୍ତ ଭୂୟାଁ । ଡଃ ତନ୍ମୟ ପଣ୍ଡା ଦେଶାତ୍ମକବୋଧ ଗୀତ ଗାଇଥିଲେ । ଧୀରେନ୍ଦ୍ର କର ଏହି କାର୍ଯ୍ୟକ୍ରମ ତଥା ଓଡ଼ିଆ ସାହିତ୍ୟ ଟୁଙ୍ଗି ସମ୍ପର୍କରେ ସବିଶେଷ ତଥ୍ୟ, ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଏହି କାର୍ଯ୍ୟକ୍ରମକୁ ଆଗ୍ରହର ସହ ଦେଖୁଥିବା ଦର୍ଶକ ଓ ଶ୍ରୋତାବୃନ୍ଦଙ୍କୁ ବୁଝାଇ କହିଥିଲେ ।
ଓଡ଼ିଆ ସାହିତ୍ୟ ଟୁଙ୍ଗିର ମାତୃଭୂମି ଓ ମାତୃଭାଷା ନିମନ୍ତେ ଏହି ପ୍ରୟାସକୁ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଅଭିନନ୍ଦନ କରାଯାଉଅଛି । ଅତି ଅଳ୍ପଦିନ ମଧ୍ୟରେ ଓଡ଼ିଆ ସାହିତ୍ୟ ଟୁଙ୍ଗି ଓଡ଼ିଆମାନଙ୍କ ନିମନ୍ତେ ଏକ ପରିଚିତ ନାମ ହୋଇ ସାରିଛି । ଓଡ଼ିଶାର କଳା, ସାହିତ୍ୟ ଓ ସଂସ୍କୃତିର ଉତ୍କର୍ଷକୁ ବିଶ୍ୱବାସୀଙ୍କ ନିମନ୍ତେ ୱେବିନାର ମାଧ୍ୟମରେ ପ୍ରସାର କରିବାର ଏହି ପ୍ରୟାସ ନିମନ୍ତେ ଓଡ଼ିଆ ସାହିତ୍ୟ ଟୁଙ୍ଗି ଧନ୍ୟବାଦାର୍ହ ।