ଆହା ମୋ ନନ୍ଦ କୋଳେ ଗୋବିନ୍ଦ
“ଓଁ ଶ୍ରୀକୃଷ୍ଣ ବାସୁଦେବାୟ ଦେବକୀ ନନ୍ଦନାୟଚ ।
ନନ୍ଦ ଗୋପକୁମରାୟ ଗୋବିନ୍ଦାୟ ନମୋନମଃ ।
ଶ୍ରୀକୃଷ୍ଣଙ୍କର ପବିତ୍ର ଜନ୍ମତିଥିକୁ ଭାରତ ତଥା ବିଶ୍ୱବାସୀ ଶ୍ରଦ୍ଧାର ସହିତ ପାଳନ କରୁଥିବା ବେଳେ ପ୍ରକୃତ ଜନ୍ମର ଆଭିମୁଖ୍ୟକୁ ଉପେକ୍ଷା କରୁଥିବା ପ୍ରାୟତଃ ଦେଖାଯାଇଛି । ଶ୍ରୀକୃଷ୍ଣଙ୍କର ସଂସାର ପ୍ରତି ଯେଉଁ ବାର୍ତ୍ତା ଥିଲା, ଶ୍ରୀମଦ୍ଭାଗବତରେ ପୁଙ୍ଖାନୁପୁଙ୍ଖ ଭାବେ ଅତିବଡ଼ି ଜଗନ୍ନାଥ ଦାସ ତାଙ୍କ ଲେଖନୀ ମାଧ୍ୟମରେ ସୂଚାଇଛନ୍ତି । ଅର୍ଥାତ୍-ଯାହା ମୁଁ କରୁଛି, ତାହା ତୁମେ କରନାହିଁ; ଯାହା ମୁଁ କହିଛି, ତାହାକୁ ପାଳନ କର । କୃଷ୍ଣଙ୍କର ଶରତ୍ କ୍ରୀଡା ବା ରାସଲୀଳାର ପ୍ରକୃତ ଭାବକୁ କଦର୍ଥ କରି ଆଜିର ଲୋକେ ସମାଜରେ ବିଶୃଙ୍ଖଳା ଭିଆଇ ଚାଲିଛନ୍ତି । ଏହି ଲୀଳାର ପ୍ରକୃତ ଅର୍ଥ-ଷୋଳ ସସ୍ର ଗୋପାଙ୍ଗନା ପୂର୍ବ ଜନ୍ମରେ ଦୀର୍ଘ ବର୍ଷ ଧରି ବିଷ୍ଣୁ ଲୋକ ତଥା ମୋକ୍ଷ ପ୍ରାପ୍ତି ପାଇଁ ତପସ୍ୟା କରି ଆସିଥିଲେ । ଦ୍ୱାପର ଯୁଗରେ ରଙ୍ଗାବତାରରେ ବିଷ୍ଣୁଙ୍କର ସାନ୍ନିଧ୍ୟ ମିଳିବ ବୋଲି ପ୍ରଭୁ ନିରାକାର ବ୍ରହ୍ମ ଗୋଲକ ବିହାରୀ ତାଙ୍କର ଭକ୍ତଙ୍କୁ ସ୍ପଷ୍ଟ କରି ଦେଇଥିଲେ । କର୍କଟ ସଂକ୍ରାନ୍ତି ତ୍ରୟୋଦଶୀ ତିଥି ବୃହସ୍ପତି ବାସରେ ପୃଥିବୀକୁ ମହାପ୍ରଳୟ ଗ୍ରାସ କଲା ଏବଂ ସମ୍ପୂର୍ଣ୍ଣ ପୃଥିବୀ ଜଳମଗ୍ନ ହେଲା । ତାହା ପରେ ନିରାକାର ବ୍ରହ୍ମ, ଆଦିମାତାଙ୍କ କଳାରୁ ତିନି ଜଣ ବାଳକ ଜନ୍ମ ହେଲେ-ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ୱର । ମହେଶ୍ୱର ଏବଂ ଆଦିମାତାଙ୍କ ଶୃଙ୍ଗାର ସମୟରେ ବ୍ରହ୍ମା, ବିଷ୍ଣୁ ତାଙ୍କୁ ତାତ୍ସଲ୍ର କରିଥିଲେ । ଯାହାର ଫଳ ସ୍ୱରୂପ ଆଦିମାତା ଯୋନି ଦୋଷ ପାଇଁ ବ୍ରହ୍ମା ଓ ବିଷ୍ଣୁଙ୍କୁ ଅଭିଶାପ ଦେଇଥିଲେ-ବ୍ରହ୍ମା ଅପୂଜ୍ୟ ଏବଂ ନାରୀ ରୂପରେ ସବୁ ଯୁଗରେ ରହିବେ ଏବଂ ବିଷ୍ଣୁ ଚତୁର୍ଥ ବାର ପର୍ଯ୍ୟନ୍ତ ଯୋନଜନ୍ମା ହେବେ ତଥା ଏକଦା ନାରୀ ଜନ୍ମ ପାଇବେ । ସତ୍ୟଯୁଗର ଅକ୍ଷର ସଂଖ୍ୟା ୪, ଦେବତା ନରସିଂହ, ରାକ୍ଷସ ହିରଣାକ୍ଷ; ତ୍ରେତୟା ଯୁଗର ଅକ୍ଷର ସଂଖ୍ୟା ୩, ଦେବତା ଶ୍ରୀରାମଚନ୍ଦ୍ର, ରାକ୍ଷସ ରାବଣ; ଦ୍ୱାପର ଯୁଗର ଅକ୍ଷର ସଂଖ୍ୟା ୩, ଦେବତା ଶ୍ରୀକୃଷ୍ଣ, ରାକ୍ଷସ କଂସ; କଳିଯୁଗର ଅକ୍ଷର ସଂଖ୍ୟା ୨, ଦେବତା କଳ୍କୀ, ରାକ୍ଷସ ମୁଁକାର । ‘ଯୁଗେ ଯୁଗେ ଅବତାର, ଧରଣୀ ଭାରା ସମ୍ବର ।’ ଏଣୁ, ଏହି ମୁଁ ରୂପକ ରାକ୍ଷସ ପ୍ରକୃତିରେ ପ୍ରଭାବିତ ସମଗ୍ର ବିଶ୍ୱବାସୀଙ୍କୁ କେବେ ଅବତାର ଗ୍ରହଣ କରି ନାଶ କରିବେ, ତାହାର ଅଭିପ୍ରାୟେ ପାଳନ କରାଯାଉଛି ପବିତ୍ର ଜନ୍ମାଷ୍ଟମୀ । ତ୍ରେତୟା ଯୁଗରେ ପ୍ରଭୁ ଶ୍ରୀରାମ ପୃଥିବୀର ଭାରା ନିବାରଣ ପାଇଁ ଭକ୍ତର ଆର୍ତ୍ତ ଚିତ୍କାରକୁ ଲାଘବ କରିବା ପାଇଁ କୋଦଣ୍ଡ ଧାରଣ ପୂର୍ବକ ବ୍ରହ୍ମାସ୍ତ୍ରରେ ରାବଣକୁ ବଧ କରିଥିଲେ ଏବଂ ସ୍ୱର୍ଗପୁରକୁ ଯିବା ପରେ ଦେବରାଜ ଇନ୍ଦ୍ର ଏବଂ ଅନ୍ୟ ଦେବଗଣ ତାଙ୍କର ମୁହଁକୁ କେହି ଦେଖିନଥିଲେ । କାରଣ, ବ୍ରାହ୍ମଣ ବିସ୍ରବାନନ୍ଦନ ରାବଣର ବଧ କରିଥିବାରୁ ପ୍ରଭୁଙ୍କୁ ବ୍ରହ୍ମହତ୍ୟା ଦୋଷ ଲାଗିଛି ବୋଲି କେହି ଗ୍ରହଣ କଲେନାହିଁ । ଫଳରେ କ୍ରୋଧିତ ଶ୍ରୀରାମ ନିଜ ଅଙ୍ଗର ମଳିରେ ଏକ କର୍କଶ ପିଙ୍ଗଳ ରୂପକୁ ଜନ୍ମ ଦେଇ ତା’କୁ ଆଦେଶ ଦେଲେ-ଯାଇ ପୁନର୍ବାର ଏ ଦେବତାମାନଙ୍କୁ ତୁମେ ଅତ୍ୟାଚାର ଏବଂ ଇତସ୍ତତଃ କରିଦିଅ । ଠିକ୍ ସେହିପରି ଉଗ୍ରସେନଙ୍କ ରାଣୀ ଇନ୍ଦୁମତୀଙ୍କୁ ଋତୁମତୀ ସମୟରେ ଛଦ୍ମବେଶୀ ଦୁର୍ମିଳା ରାକ୍ଷସ ହରଣ କଲା ପରେ ତାଙ୍କ ଉଦରୁ ଏହି କର୍କଶ ପିଙ୍ଗଳ କଂସ ରୂପରେ ଜନ୍ମ ନେଲା । ତାହାର ଚିତ୍କାରରେ ସମଗ୍ର ବିଶ୍ୱ ହତୋତ୍ସାହିତ ହୋଇ ପଡିଥିଲା । କଂସ ଉନ୍ରସେନଙ୍କୁ ଗାଦିଚ୍ୟୁତ କରାଇ ନିଜେ ମଥୁରାର ନରେଶ ରୂପେ ମୁଣ୍ଡରେ ଶିରିପା ବାନ୍ଧିଲେ । ଦିନକୁ ଦିନ ତାହାର ଉଗ୍ରତାରେ ପୃଥିବୀ ଭାରାକ୍ରାନ୍ତ ହୋଇପଡିଲା । ଉଗ୍ରସେନଙ୍କର ଦେବକୀ, ଦୈବକୀ ନାମରେ ଦୁଇ କନ୍ୟା ଥିଲେ । ଦୈବକୀଙ୍କର ଦମଘୋଷ ସହ ବିବାହ ହୋଇଥିବା ବେଳେ, କଂସର ପ୍ରତାପରେ ଦେବକୀର ବିବାହ ନେଇ ସନ୍ଦିହାନ ହୋଇ ପଡିଥିଲେ । ସେହିପରି କଂସ ନିଜର ବାହୁବଳ ଉପରେ ଏତେ ପ୍ରଚଣ୍ଡ ହୋଇ ପଡିଲା ଯେ, ଦେବତାମାନଙ୍କୁ ନିଜ ପାଦତଳେ ଖଟାଇଲା । ସୁମେରୁ ପର୍ବତ ଅତ୍ୟନ୍ତ ଦୃଢ ବୋଲି ନାରଦଙ୍କ ଠାରୁ ଜାଣି ତାହାକୁ ଉତ୍ପାଟନ କରିବା ଉଦ୍ଦେଶ୍ୟରେ ସଦଳବଳେ ପହଂଚିଲା । ଏହା ଥିଲା ଯଥାର୍ଥ ସମୟ, ଉଗ୍ରସେନ ସୁଦେବଙ୍କ ପୁତ୍ର ବସୁଦେବଙ୍କ ସହିତ କନ୍ୟା ଦେବକୀଙ୍କ ବିବାହ କରାଇଦେଲେ । କଂସ ସୁମେରୁ ଠାରୁ ପରାସ୍ତ ହୋଇ ଫେରିବା ପରେ ଭଉଣୀ ଦେବକୀର ବିବାହ ବିଷୟରେ ଶୁଣିଲା ଏବଂ ଅତ୍ୟନ୍ତ କ୍ରୋଧିତ ହୋଇଥିଲା । ପର ମୁହୂର୍ତ୍ତରେ ଦେବକୀ ଓ ବସୁଦେବଙ୍କ ସାରଥୀ ସାଜି ରଥ ବାହି ଯିବା ବେଳେ ଶୂନ୍ୟବାଣୀ ହେଲା-ଯାହା ରଥ ତୁ ବାହୁଛୁ, ତାହାର ଅଷ୍ଟମ ସନ୍ତାନ ତୋ ପାଇଁ ହେବ କାଳ । ତା’ ପରେ କଂସ ଭଉଣୀ ଭିଣୋଇଙ୍କୁ କାରାଗାରରେ ଲୋ÷ହ ଶୃଙ୍ଖଳ ବାନ୍ଧି ବନ୍ଦୀ ଭାବେ ରଖିଲା । ଦେବକୀଙ୍କ ଉଦରୁ ଜାତ ହୋଇଥିବା ଛଅ ଗୋଟି ସନ୍ତାନଙ୍କୁ ସେ ନିର୍ଦ୍ଦୟ ଭାବେ ଦର୍ପଣ ଶିଳାରେ କଚାଡ଼ି ହତ୍ୟା କଲା । ସପ୍ତମ ସନ୍ତାନ ବଳରାମ ଅଦୃଶ୍ୟମାନ ହୋଇ ରୋହିଣୀ ଗର୍ଭରେ ସ୍ଥାନ ପାଇଥିଲେ । ଠିକ୍ କୃଷ୍ଣପକ୍ଷ ରୋହିଣୀ ନକ୍ଷତ୍ର ଅଷ୍ଟମୀ ତିଥି ବୃଷଚନ୍ଦ୍ର ପଣ୍ଡିତ ବାସରେ ଲୀଳାମୟ ଶ୍ରୀକୃଷ୍ଣ ଧରା ଭାରା ନିବାରଣାର୍ଥେ ଦେବକୀଙ୍କ ଗର୍ଭ ସମ୍ଭୂତ ହେଲେ । ଠିକ୍ ସେହିଦିନ ନନ୍ଦ ଓ ଯଶୋଦାଙ୍କୁ ପୂର୍ବରୁ ପୁତ୍ରକଷ୍ଟ ଦୂର କରିବା ପାଇଁ ଦେଇଥିବା କଥା ଅନୁସାରେ ଯଶୋଦାଙ୍କ ଗର୍ଭରୁ ବିଜୁଳି କନ୍ୟାଙ୍କୁ ବା ଦୁର୍ଗାଙ୍କୁ ଜନ୍ମ ନେବା ପାଇଁ ଆଦେଶ ଦେଲେ । ଇତିହାସ କହେ-ପ୍ରାୟ ୫୦୦୦ ବର୍ଷ ତଳେ କୃଷ୍ଣ ଜନ୍ମ ନେଇଥିବାର ପ୍ରମାଣ ରହିଛି । ଜନ୍ମ ହେବା ପରେ ତାଙ୍କ ମାୟା ବଳରେ ବସୁଦେବଙ୍କ ଶରୀରରୁ ଲୋ÷ହ ଶୃଙ୍ଖଳ ଆପେ ଆପେ ଫିଟିଗଲା । ତାଙ୍କ ଆଦେଶାନୁସାରେ ଏକ ସ୍ୱର୍ଣ୍ଣ ଖଟୁଲିରେ ବସୁଦେବ ଅର୍ଦ୍ଧରାତ୍ରୀରେ କୃଷ୍ଣଙ୍କୁ ମୁଣ୍ଡରେ ମୁଣ୍ଡାଇ ନନ୍ଦରାଜାଙ୍କ ଉଆସକୁ ବାହାରିଲେ । ପ୍ରବଳ ବର୍ଷା ହେଉଥାଏ, ଶିଶୁ ଭଗବାନଙ୍କ ବିକଳ ସହି ନପାରି ଅନନ୍ତ ନିଜ ଫଣାରେ ପ୍ରଭୁଙ୍କୁ ଢାଙ୍କି ରଖିଥିଲେ । ଉଗ୍ରସେନଙ୍କୁ କଂସ ପ୍ରହରୀ ଭାବେ ରାତ୍ରୀରେ ନଗର ଜଗିବାକୁ ଛାଡିଥାଏ । ବସୁଦେବ କୃଷ୍ଣଙ୍କୁ ନେବା ବାଟରେ ସେ ବାଟ ଓଗାଳିଥିଲେ । ତାଙ୍କ ଅନନ୍ୟ ଭକ୍ତିର ପରାକାଷ୍ଠା ଦେଖି ତଥା ତାଙ୍କ ହୃଦୟରେ ଉକୁଟି ଉଠିଥିବା ପ୍ରଭୁଙ୍କ ଚତୁର୍ଦ୍ଧା ମୂର୍ତ୍ତିକୁ ଦେଖିବାର ଇଚ୍ଛା ପୂରଣ କରିବା ପାଇଁ ସେ ତାଙ୍କୁ ଚତୁର୍ଭୁଜରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣ କରିଥିବା ରୂପ ଦର୍ଶନ କରାଇଥିଲେ । ଯାଉ ଯାଉ ବସୁଦେବ ଯମୁନା ନଦୀ କୂଳରେ ପହଂଚିଲେ । ସେହି ସମୟରେ ଯମୁନାର ଜଳ ଫୁଲି ଉଠି ଦୁଇ କୂଳ ଖାଉଥାଏ । ଯମଙ୍କ ଭଗ୍ନୀ ଯମୁନାଙ୍କୁ ନାରାୟଣ ପୂର୍ବରୁ କୃଷ୍ଣାବତାରରେ ତାଙ୍କ ପାଦ ଛୁଇଁବାର ଅବସର ଦେବେ ବୋଲି କହିଥିଲେ । ବସୁଦେବଙ୍କ ଅନୁନୟ ବିନୟକୁ ବେଖାତିର କରି ଯମୁନା ଜଳସ୍ତର ଆଦୋ÷ ହ୍ରାସ କଲେନାହିଁ । ତେଣୁ ବାଧ୍ୟ ହୋଇ ବସୁଦେବ ଉକ୍ତ ଖଟୁଲିକୁ ମସ୍ତକରେ ଧାରଣ କରି ନଦୀରେ ପ୍ରବେଶ କଲେ । ଚାହୁଁ ଚାହୁଁ ଜଳ ପାଦରୁ ମସ୍ତକ ପର୍ଯ୍ୟନ୍ତ ବ୍ୟାପିଗଲା, ଆଉ ଯମୁନା କୃଷ୍ଣଙ୍କ ଚରଣକୁ ସ୍ପର୍ଶ କରିବାର ସୋ÷ଭାଗ୍ୟ ପ୍ରାପ୍ତ ହେଲେ । ତାହା ପରେ ବସୁଦେବଙ୍କ ନାସା ଜଳରେ ବୁଡିବାରୁ ଯମୁନା ଦୁଇ ଭାଗ ହୋଇଯାଇ ବାଲିରାସ୍ତାରେ ବସୁଦେବଙ୍କୁ ନଦୀ ପାର କରାଇଥିଲେ । ନନ୍ଦଙ୍କ ଉଆସରେ ପହଂଚିବା ପରେ ମୁମୂର୍ଷୂ ଅବସ୍ଥାରେ ଦୁର୍ଗାଙ୍କୁ ଉକ୍ତ ଖଟୁଲିରେ ଧରି ପୁନର୍ବାର ଉକ୍ତ ରାତ୍ରୀ ମଧ୍ୟରେ ପ୍ରତ୍ୟାବର୍ତ୍ତନ ପୂର୍ବକ ବସୁଦେବ ବନ୍ଦୀଶାଳାରେ ପହଂଚିଲେ । ପ୍ରଭାତରେ କଂସ ଖବର ପାଇ ବନ୍ଦୀଶାଳାକୁ ଆସିଲା ଏବଂ ସନ୍ତାନକୁ ମାରିବା ଉଦ୍ଦେଶ୍ୟରେ ଦେବକୀଙ୍କୁ ମାଗିଲା । ତାଙ୍କୁ ଦର୍ପଣ ଶିଳାରେ କଚାଡି ମାରିବା ସମୟରେ ସେ ହସ୍ତରୁ ଖସିଯାଇ ଶୂନ୍ୟରେ ରହି କହିଲେ-ତୋତେ ଯେ ମାରିବ, ସେ ଗୋପରେ ବଢୁଛି । ଏହା ଶୁଣି କଂସ ଭୟଭୀତ ହେଲା ଏବଂ ଗୋପର ସମସ୍ତ ଶିଶୁଙ୍କୁ ମାରିବା ପାଇଁ ରାକ୍ଷସକୁଳକୁ ପ୍ରେରଣ କଲା । ଏପଟେ ବୃଦ୍ଧାବସ୍ଥାରେ କୃଷ୍ଣଙ୍କୁ ସନ୍ତାନ ରୂପେ ପାଇ ନନ୍ଦ ଓ ଯଶୋଦାଙ୍କ ଆନନ୍ଦର ସୀମା ନଥାଏ । କୃଷ୍ଣଙ୍କ ଗୋପରେ ପ୍ରବେଶ ମାତ୍ରକେ ନଗରୀର ଶିରୀ ବଦଳିଗଲା । ସମସ୍ତ ପୁର ସୁବର୍ଣ୍ଣ ଓ ମୋତି ଖଚିତ ହୋଇଗଲା ଏବଂ ନଗରବାସୀମାନଙ୍କ ବେଶଭୂଷାରେ ରାଜକୀୟ ପରିବର୍ତ୍ତନ ହୋଇ ଯାଇଥିଲା । ସାରା ରାଜ୍ୟର ଆବାଳବୃଦ୍ଧବନିତା ନନ୍ଦ ଉଆସରେ ଉପସ୍ଥିତ ହୋଇ ରାଜପୁତ୍ରଙ୍କୁ ମନଭରି ଦେଖିବାରେ ଲାଗିଲେ ଏବଂ ଭାବବିହ୍ୱଳ ହୋଇ ଗାଇ ଉଠିଲେ-”ଆହା ମୋ ନନ୍ଦ କୋଳେ ଗୋବିନ୍ଦ… ।
ଯଂ ଦେବଂ ଦେବକୀ ଦେବୀ ବାସୁଦେବାଦଜୀଜନତ୍ । ଭୋମସ୍ୟ ବ୍ରହ୍ମଣଗୁପ୍ତୈ ତସ୍ୱୈ ବ୍ରହ୍ମାତ୍ମନେ ନମଃ । ।
ସୁବ୍ରହ୍ମ ବସୁଦେବାୟ ଗୋ ବ୍ରାହ୍ମଣ ହିତାୟଚ, ଶାନ୍ତିରସ୍ତୁ ଶିବଂଚାସ୍ତୁ ଭକ୍ତ୍ୟା ବିପ୍ରାଂ ବିସର୍ଜୟେତ୍ । ଭୂତାୟ ଭୁତେଶ୍ୱରାୟ ଭୂତପତୟେ ଗୋବିନ୍ଦାୟ ନମୋନମଃ । ।
ପଣ୍ଡିତ ହରେକୃଷ୍ଣ ପତି
ପଧାନପଡ଼ା, ବନ୍ତ, ଜି.-ଭଦ୍ରକ ।
ମୋ.୭୫୦୪୪୨୪୬୦୧.


