ସ୍ୱାଧୀନତାର ୭୪ବର୍ଷ ପରେବି ଗଙ୍ଗାରାମପୁର ପଂଚାୟତର କଇଁକୁଳାଗ୍ରାମ ଅପହଁଚ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଦେଶ ସ୍ୱାଧୀନତାର ୭୪ବର୍ଷ ପରେବି ଜିଲ୍ଲା ସଦର ମହକୁମା ଠାରୁ ପ୍ରାୟ ୨୫କିଲୋମିଟର ଦୂର ଗଙ୍ଗାରାମପୁର ଗ୍ରାମପଂଚାୟତ ଅଧିନ କଇଁକୁଳ(ଖଟୁଆ ସାହି) ଗ୍ରାମ ଅପହଁଚ ହୋଇପଡିଛି । ଆଜକୁ ପ୍ରାୟ ୬୦ବର୍ଷରୁ ଉର୍ଦ୍ଧ୍ୱ ହେବ ସେହି ଗ୍ରାମରେ ସ୍ଥିତିବାନ ସତ୍ୱରେ ଗୃହନିର୍ମାଣ କରି ବସବାସ କରି ଆସୁଥିବା ଏକଶହରୁ ଉର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ କଇଁକୁଳ(ଖଟୁଆ ସାହି) ଗ୍ରାମରୁ ମୁଖ୍ୟ ରାସ୍ତାକୁ ଆସିବା ପାଇଁ ପକ୍କା ସଡକ ଟିଏ ନାହିଁ । ବର୍ଷାଦିନେ ସେହି ଗ୍ରାମରୁ ସ୍କୁଲ ଓ କଲେଜକୁ ଛାତ୍ରଛାତ୍ରୀମାନେ ଆଣ୍ଠୁଏ ପାଣିରେ ପଶି ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ଆସିବାକୁ ପଡିଥାଏ । ନିଜର ଜୀବନକୁ ବିପନ୍ନକରି ଛୋଟ ଛୋଟ ପିଲାମାନେ ପାଣି ଭିତରେ ପଶି ସ୍କୁଲକୁ ଯାଇଥାନ୍ତି । ମେଡିକାଲକୁ ଯିବାଭଳି ଜରୁରୀ ପରିସ୍ଥିତିରେ ମଧ୍ୟ ରୋଗୀକୁ ପାଣି ଭିତରେ ବୋହିକରି ଆଣିବାକୁ ପଡିଥାଏ । ଚାଷୀମାନେ କ୍ଷେତକୁ ଯିବା ପାଇଁ ମଧ୍ୟ ସେମାନଙ୍କ ହଳବଳଦ ନେଇ ପାଣିରେ ପଶି ଯାଇଥାନ୍ତି । ପାନୀୟ ଜଳର କୈାଣସି ସୁବିଧା ନଥିବାରୁ ଗ୍ରାମବାସୀମାନେ ନଦୀ ପାଣିକୁ ପିଇବାକୁ ବାଧ୍ୟ ହୋଇଥାନ୍ତି । ଏସବୁ ସମସ୍ୟା ସମ୍ପର୍କରେ ଗ୍ରାମବାସୀମାନେ ସ୍ଥାନୀୟ ସରପଂଚ ଓ ପଟ୍ଟାମୁଣ୍ଡାଇ ବ୍ଲକର ବିଡିଓଙ୍କୁ ବାରମ୍ବାର ନିବେଦନ କରିଥିଲେ ବି ଅଦ୍ୟାବଧି କୈାଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ସେଥିପାଇଁ ସେମାନେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଏସବୁ ସମସ୍ୟାର ସମାଧାନ ପାଇଁ ନିବେଦନ କରିଛନ୍ତି । ଏଥିସହିତ ସେହି ଗ୍ରାମର ନବମ ଶ୍ରେଣୀରେ ପାଠ ପଢୁଥିବା ୧୫ବର୍ଷ ବୟସର ପ୍ରୀୟା ରାଉତ ମଧ୍ୟ ଜିଲ୍ଲାପାଳଙ୍କୁ ଅନୁରୋଧ କରି ଦରଖାସ୍ତ ଟିଏ ଲେଖିଛି ସେହି ରାସ୍ତାଟି ନିର୍ମାଣ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ । ଗ୍ରାମବାସୀଙ୍କ ପକ୍ଷରୁ ଅନିରୁଦ୍ଧ ରାଉତ, ଗିରିଧାରୀ ରାଉତ, ରାଜେଶ ରାଉତ, ପରୀ ସେଠୀ, ପ୍ରଦୀପ ସେଠୀ, ପ୍ରଦ୍ୟୁମ୍ନ ରାଉତ, ଦିଲ୍ଲିପ ସେଠୀ, ଗୈାରୀ ସ୍ୱାଇଁ, ରାମଚନ୍ଦ୍ର ସେଠୀ, ଶ୍ରୀଧର ସ୍ୱାଇଁ, ପ୍ରୀୟା ରାଉତ, ମଞ୍ଜୁଲତା ସେଠୀ, ଗୀତାରାଣୀ ସେଠୀ, ସସ୍ମିତା ରାଉତ, ଇତିଶ୍ରୀ ଲେଙ୍କା, ବାସନ୍ତୀ ଲେଙ୍କା ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ