ପୋଲ ସମ୍ମୁଖରେ ମାଟି ଦବି ଯାତାୟାତ ବାଧାପ୍ରାପ୍ତ
ନାଉଗାଁ,(ଓ୍ବାଇଏନ୍ଏସ୍):ନାଉଗାଁ ବ୍ଲକ ଅନ୍ତର୍ଗତ ବାଂଶ ପଂଚାୟତ ବାଂଶ ଗ୍ରାମର ମୁଖ୍ୟ ରାସ୍ତା ଠାରୁ ଗ୍ରାମ ମଧ୍ୟକୁ ଯିବା ପାଇଁ ସଂଯୋଗୀକରଣ ରାସ୍ତାରେ ଗୋବରୀ ନଦୀ ଉପରେ ଡ୍ରେନଜ ବିଭାଗ ତରଫରୁ ନିର୍ମାଣ କରାଯାଇଛି ଏକ ସୁଇଜ ଗେଟ । ଏହି ସ୍ଳୁଇସ ଗେଟ ଦେଇ ବାଂଶ ଗ୍ରାମକୁ ସଂଯୋଗ କରୁଛି ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା । ପୂର୍ତ ବିଭାଗ ଦ୍ୱାରା ଯାଇଥିବା ମୁଖ୍ୟ ରାସ୍ତାରୁ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାର ପୋଲ ସମ୍ମୁଖରେ ଲଗାଣ ବର୍ଷାରେ ମାଟି ଦବି ଏକ ଗର୍ତ ସୃଷ୍ଟି ହୋଇଛି । ଯାହାକି ଯାନବାହନ ଯିବା ଆସିବାରେ ସମସ୍ୟା ସୃଷ୍ଟି ହେଉଥିବା ସ୍ଥାନୀୟ ଜନସାଧାରଣ ମତବ୍ୟକ୍ତ କରିଛନ୍ତି । ନର୍ମାଣ ହୋଇଥିବା ପୋଲରେ ପ୍ରତି ବର୍ଷ ମରାମତି ନାମରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ଚାଲିଛି କିନ୍ତୁ ସଂଯୋଗୀକରଣ ରାସ୍ତାର ଅବସ୍ଥା ସୁଧୁରୁ ନାହିଁ । ପ୍ରତି ବର୍ଷ ବର୍ଷା ଋତୁରେ ସୁଇସ୍ ଗେଟ୍ରେ ଫାଟ ସୃଷ୍ଟି ହେବା ଫଳରେ ବାଂଶ ଗ୍ରାମ ମୁଖ୍ୟ ରାସ୍ତାରୁ ବିଚ୍ଛିନ୍ନ ହେଉଛି । ୨୦୦୫ ମସିହାରେ ୫ ଲକ୍ଷ ଟଙ୍କା ଓ ୨୦୧୫ ମସିହାରେ ୮ ଲକ୍ଷ ଟଙ୍କା ବ୍ୟୟ କରାଯାଇ ଏହି ପୋଲ ମରାମତିରେ କରାଯାଇଥିଲେ ମଧ୍ୟ ପୋଲର ଅବସ୍ଥା ସୁଧୁରୁନାହିଁ । ଗର୍ତ ସୃଷ୍ଟି ହେବା ଫଳରେ ଅତଡା ଖସି ସଂପୂନ୍ନ ରାସ୍ତା ଦବିବାର ଆଶଙ୍କା କରାଯାଉଛି । ସେହିପରି କେହି ଅଜଣା ବ୍ୟକ୍ତି ରାତିରେ ଯଦି ଗ୍ରାମ ମଧ୍ୟକୁ ପ୍ରବେଶ କରେ ତେବେ ଦୁର୍ଘଟଣାର ସମ୍ମୁଖୀନ ହେବା ଆଶଙ୍କା ମଧ୍ୟ କରାଯାଉଛି । ତେଣୁ ବିଭାଗ ପକ୍ଷରୁ ଉକ୍ତ ଗର୍ତକୁ ମରାମତି କରିବା ପାଇଁ ସ୍ଥାନୀୟ ଅଂଚଳବାସୀ ଦାବି କରିଛନ୍ତି । ଏପ୍ରସଙ୍ଗରେ ଡ୍ରେନଜ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରି ନଥିଲା ।