ଡେରାବିଶି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଅଖିଳ ଭାରତ କୃଷକ ସଭାର ବିକ୍ଷୋଭ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ଅଖିଳ ଭାରତ କୃଷକ ସଭା ପକ୍ଷରୁ ଡେରାବିଶି ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି । କୃଷି ଓ କୃଷକର ଉନ୍ନତି ପାଇଁ ଅଖିଳ ଭାରତ କୃଷକ ସଭା ସ୍ୱାଧୀନତା ପୂର୍ବରୁ ତା’ର ଲଢେଇ ଜାରି ରଖିଛି । ସ୍ୱାଧୀନତାର ୭୪ବର୍ଷ ପରେବି କୃଷି ଓ କୃଷକର ଉନ୍ନତି ହୋଇପାରୁନାହିଁ । କୃଷକ ଆଜିବି ମୁଣ୍ଡରେ ହାତଦେଇ ଦାରିଦ୍ର‌୍ୟତାର ପଂଚାକ୍ଷର ଜପୁଛି । ଏହି ସମୟରେ କରୋନା ମହାମାରୀ ଓ ଲଘୁଚାପ ଜନିତ ବର୍ଷା ଚାଷୀର ମେରୁଦଣ୍ଡକୁ ଭାଙ୍ଗିଦେଇଛି । ଏହି ଅବସରରେ ଅଖିଳ ଭାରତ କୃଷକ ସଭା ପକ୍ଷରୁ ଏକ ଦାବିପତ୍ର ଡେରାବିଶି ତହସିଲଦାରଙ୍କୁ ପ୍ରଦାନ କରାଯାଇଥିଲା । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ଡେରାବିଶି ତହସିଲ ଅଂଚଳରୁ ତୁରନ୍ତ ଜଳ ନିଷ୍କାସନ ବ୍ୟବସ୍ଥା ଗ୍ରହଣ କରାଯିବା,ଫନି ଓ ଅମ୍ଫାନ ବାତ୍ୟା ସହ ଲଘୁଚାପ ବର୍ଷାରେ ଫସଲ କ୍ଷୟକ୍ଷତିର କ୍ଷତିପୁରଣ ତୁରନ୍ତ ପ୍ରଦାନ କରାଯିବା, ବୀମାଭୁକ୍ତ ହୋଇନଥିବା ଚାଷୀମାନଙ୍କୁ ବୀମାଭୁକ୍ତ କରାଯିବା, ଚାଷ ଓ ଚାଷୀଙ୍କ ସମସ୍ୟା ସମ୍ପର୍କରେ ସଂପୃକ୍ତ ବିଭାଗ ଗୁଡିକ ସହିତ ଆଲୋଚନା କରାଯିବା, ସମସ୍ତ ପ୍ରବାସୀଙ୍କ ସମେତ ଗ୍ରାମରେ ଥିବା ଶ୍ରମିକମାନଙ୍କୁ କାମ ଯୋଗାଇଦେବା, ମନରେଗା ଯୋଜନାରେ ସାମିଲ କରାଯାଇ ଶ୍ରମିକ ଓ ପ୍ରବାସୀମାନଙ୍କୁ ୨ଶହ ଦିନର କାମ ଏବଂ ଦୈନିକ ୬ଶହ ଟଙ୍କା ମଜୁରୀ ପ୍ରଦାନ,ପେଟ୍ରୋଲ ଓ ଡିଜେଲର ଅହେତୁକ ମୁଲ୍ୟ ବୃଦ୍ଧିକୁ କମାଯିବା ପ୍ରଭୃତି ଦାବି ରହିଛି । ଏହି କାର୍ଯ୍ୟକ୍ରମରେ ଅଖିଳ ଭାରତ କୃଷକ ସଭାର ଡେରାବିଶି ବ୍ଲକ ସଭାପତି ଅଜୟ ଦାସ, ସମ୍ପାଦକ କୁବେର ସାହୁ, ଉପସଭାପତି ଦାମୋଦର ମଳିକ, ଆଇନଜୀବି ରମଣୀରଞ୍ଜନ ରାଉତରାୟ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ