ଲଘୁଚାପ ଜନିତ ବର୍ଷାରେ ତଳିଆ ଅଂଚଳ ଜଳମଗ୍ନ

ନାଉଗାଁ, (ଓ୍ବାଇଏନ୍ଏସ୍):ଗତ ଦୁଇଦିନ ଧରି ଲଘୁଚାପଜନିତ ବର୍ଷା ଲାଗି ରହିଥିବାରୁ ନାଉଗାଁ ବ୍ଳକର ତଳିଆ ଅଂଚଳ ଜଳମଗ୍ନ ହୋଇଥିବାର ଦେଖିବାକୁ ମିଳିଛି । ବ୍ଳକ କାର୍ଯ୍ୟାଳ ସୂତ୍ରୁ ମିଳିଥିବା ସୂଚନାନୁଯାୟୀ ଗତକାଲି ମଙ୍ଗଳବାର ସଂଧ୍ୟା ୫ଟା ସୁଦ୍ଧା ୪୨.୦୩ ମିଲି ମିଟର ବର୍ଷା ହୋଇଥବା ବେଳେ ବୁଧବାର ସକାଳ ୮ଟା ସୁଦ୍ଧା ୮୦ ମିଲିମିଟର ଓ ସଂଧ୍ୟା ୫ ଟା ସୁଦ୍ଧା ୨୦ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ବର୍ଷା ଯୋଗୁ ଗାଁ ଗହଳିର ରାସ୍ତାଘାଟ ଜଳମଗ୍ନ ହୋଇଥିବା ବେଳେ ଚାଷ ଜମିରେ ପାଣି ଜମି ରହିଛି । ବିଶେଷକରୀ ବ୍ଳକର ତଳିଆ ଅଂଚଳରେ ଜନସାଧାରଣ ଜଳବନ୍ଦୀରେ ରହିଥିବା ଦେଖାଯାଇଛି । ଶିଖର ପଂଚାୟତର ୩ ନମ୍ବର ୱାର୍ଡ ତଥା ମଠକୂଳ(ବାହାଲିଆସାହି)ରେ ୧୦ପରିବାର ଜଳବନ୍ଦୀରେ ରହିଥିବା ସୂଚନା ମିଳିଛି । ଏହି ପଡାରେ ଥିବା କଚ୍ଚା ଘର ନିକଟରେ ପାଣି ଲାଗି ଯାଇଥିବାରୁ ଘର ଭାଙ୍ଗିବାର ସମ୍ଭାବନା ମଧ୍ୟ ରହିଛି । ଏହି ପଡା ନିକଟରେ ବାଂଶ-ଶିଖର ରାସ୍ତା ସଂଯୋଗୀକରଣ କରାଯାଇଥିଲେ ମଧ୍ୟ ପଡା ମଧ୍ୟକୁ ମୁଖ୍ୟରାସ୍ତାରୁ ସଂଯୋଗୀକରଣ ରାସ୍ତା ନାହିଁ । ପଡା ମଧ୍ୟକୁ ରାସ୍ତା ପାଇଁ ବାରମ୍ବାର ପଂଚାୟତ କାର୍ଯ୍ୟାଳୟ ଓ ବ୍ଳକ କାର୍ଯ୍ୟାଳୟରେ ପଡାବାସୀ ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ପଡାର ମଙ୍ଗୁଳି ବାହାଲିଆ,କୈଳାଶ ବାହାଲିଆ, ଶଙ୍କର ବାହାଲିଆ, ଜିତୁ ବାହାଲିଆ, ପବିନ୍ଦ୍ର ବାହାଲିଆ ଆଦି ପ୍ରକାଶ କରିଛନ୍ତି । ତେଣୁ ଉକ୍ତ ୧୦ପରିବାର ପାଣି ଘେରରେ ରହିଥିବା ବେଳେ ଗୃହପାଳିତ ପଶୁ ବାହାରକୁ ବାହାରି ପାରୁ ନାହାନ୍ତି । ତେଣୁ ପ୍ରଶାସନ ପକ୍ଷରୁ ସହାୟତା ପ୍ରଦାନ ପାଇଁ ଦାବି କରାଯଇାଛି । ସେହିପରି ଉକ୍ତ ପଂଚାୟତର ଦାଣ୍ଡୁଆ ପଡିଆ ନିକଟରେ ଥିବା ୧୮ ନମ୍ବର ୱାର୍ଡରେ ଥିବା ୧୫ ରୁ ଉର୍ଦ୍ଧ ପରିବାର ପାଣି ଘେରରେ ଥିବା ଜଣାଯାଇଛି । ସେହିପରି ଶାଳିଜଙ୍ଗା ଗ୍ରାମର ଉର୍ମିଳା ମାହାପାତ୍ରଙ୍କ ୨ ବଖରା କଚ୍ଚା ଘର ଭାଙ୍ଗିଥିବା ଜଣାଯାଇଛି । ବର୍ଷା ଯୋଗୁଁ ଉକ୍ତ ପଂଚାୟତର ତଳିଆ ଅଂଚଳରେ ଜଳବନ୍ଦୀରେ ଥିବା ଜନସାଧାରଣଙ୍କୁ ସହୟତା ପାଇଁ ସରପଂଚ ଅକ୍ଷୟ ଜେନା ଲିଖିତ ଭାବେ ବିଡିଓ ରଶ୍ମିରେଖା ମଲ୍ଲିକଙ୍କୁ ଜଣାଇଥିବା ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ