ଅବହେଳିତ ଅବସ୍ଥାରେ ପକାମୁଳ ପ୍ରାଥମିକ ବିଦ୍ୟାଳୟ
ନାଉଗାଁ,(ଓ୍ବାଇଏନ୍ଏସ୍): ସରକାର ସମସ୍ତେ ପଢନ୍ତୁ ସମସ୍ତେ ବଢନ୍ତୁ ନାରା ଦେଉଥିବା ବେଳେ ସର୍ବଶିକ୍ଷା ଅଭିଯାନ ପରେ ସମଗ୍ର ଶିକ୍ଷା ବ୍ୟବସ୍ଥା ପ୍ରଣୟନ କରିଛନ୍ତି । ପିଲାମାନେ ପାଠ ପଢିବା ପାଇଁ ବିଭିନ୍ନ ପ୍ରକାର ଯୋଜନା କାର୍ଯ୍ୟକାରୀ କରାଯାଉଛି । ପିଲାମାନେ ବିଦ୍ୟାଳୟକୁ ଆସିବା ପାଇଁ ଡେସ ଯୋଗାଇ ଦେବା ସହିତ ବହି ଖାତା ଠାରୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ମଧ୍ୟ କରାଯାଇଛି । କିନ୍ତୁ ବିଦ୍ୟାଳୟକୁ ଯିବା ପାଇଁ ରାସ୍ତା ନଥିବାରୁ ପିଲାମାନେ ବିଦ୍ୟାଳୟକୁ ଯିବା ପାଇଁ ଅମଙ୍ଗ ହେଉଥିବା ଅଭିଯୋଗ ହେଉଛି । ଯାହା ଦେଖିବାକୁ ମିଳୁଛି ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ବଛାଳୋ ପଂଚାୟତର ପକାମୁଳ ପ୍ରାଥମିକ ବିଦ୍ୟାଳୟରେ । ଉକ୍ତ ବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷ ପାଇଁ ପ୍ରଥମ ଠାରୁ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ ୨୫ ଜଣ ଛାତ୍ରଛାତ୍ରୀ ଅଧୟନ ପାଇଁ ନାମ ପଂଜିକରଣ କରିଥିବା ଜଣାଯାଇଛି । ଏହି ପ୍ରାଥମିକ ବିଦ୍ୟାଳୟଟି ଗାଁ ଲୋକଙ୍କ ପ୍ରଚେଷ୍ଠାରେ ୧୯୬୫ ମସିହାରେ ସ୍ଥାପିତ ହୋଇଥିଲା । କିନ୍ତୁ ଦୁଃଖ ଓ ପରିତାପର ବିଷୟ ଆଜକୁ ୫୫ ବର୍ଷ ବିତିଯାଇଥିଲେ ମଧ୍ୟ ଏହି ବିଦ୍ୟାଳୟକୁ ରାସ୍ତା ଖଣ୍ଡେ ନିର୍ମାଣ ହୋଇପାରୁନାହିଁ । ସବୁଠାରୁ ସମ୍ବେଦନଶୀଳ କଥା ହେଲା ଏହି ବିଦ୍ୟାଳୟର ପଛ ପାଶ୍ୱର୍ରେ ପୋତା ନଇ ପ୍ରବାହିତ ହୋଇ ଦେବୀନଦୀରେ ମିଶିଛି । ବର୍ଷା ଦିନ ହେଲେ ଏହି ବିଦ୍ୟାଳୟ ସମ୍ମୁଖରେ ଆଣ୍ଢୁଏ ପାଣି ଜମି ରହୁଛି । ଛୋଟ ଛୋଟ ପିଲାମାନେ ବିଦ୍ୟାଳୟକୁ ଯିବା ଆସିବା କରିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଭାବକମାନେ ପ୍ରକାଶ କରିଛନ୍ତି । ପ୍ରଶାସନ ପକ୍ଷରୁ ତୁରନ୍ତ ଏହି ବିଦ୍ୟାଳୟକୁ ରାସ୍ତା ନିର୍ମାଣ ପାଇଁ ସ୍ଥାନୀୟ ଜନସାଧାରଣମାନେ ଦାବି କରିଛନ୍ତି ।