ବିଲେଇ ପିନ୍ଧୁଛନ୍ତି ନିଜ ଲୋମରେ ତିଆରି କ୍ୟାପ୍
ପୋଷା ପ୍ରାଣୀ ଭାବେ ଅନେକେ ବିଲେଇ ରଖିବାକୁ ପସନ୍ଦ କରନ୍ତି । ସେମାନଙ୍କ ସୁନ୍ଦର କମନୀୟ ଚେହେରା, ଗେହ୍ଲେଇ ହେବା ଲୋକଙ୍କ ମନ ଜିଣିନିଏ । ଅନେକେ ତ ନିଜ ପୋଷା ବିଲେଇକୁ ବିଭିନ୍ନ ବେଶରେ ସଜେଇ ମଧ୍ୟ ଥାଆନ୍ତି । ଯାହା ଫଳରେ ସେମାନେ ଆହୁରି ସୁନ୍ଦର ଲାଗନ୍ତି । ଜାପାନର ଫଟୋଗ୍ରାଫର୍ ର୍ୟ୍ୟୋ ୟାମାଜାକି ଓ ତାଙ୍କ ସ୍ତ୍ରୀ ହିରୋମୀ କ୍ୟାମ୍ ବି ଘରେ ବିଲେଇ ରଖିଥିଲେ । ଆଉ ସେମାନେ ଏହି ଦମ୍ପତିଙ୍କର ବହୁତ ପ୍ରିୟ । ତେବେ ଉକ୍ତ ଦମ୍ପତି ନିଜ ପୋଷା ବିଲେଇଙ୍କୁ ସଜେଇବା ପାଇଁ ଏକ ଭିନ୍ନ ଉପାୟ ଆପଣେଇଛନ୍ତି । ବିଲେଇ ଶରୀରରୁ ଛିଣ୍ଡି ଏଠିସେଠି ପଡୁଥିବା ଲୋମକୁ ସଂଗ୍ରହ କରି ସେଥିରେ ସେମାନେ ତିଆରି କରିଛନ୍ତି ଭାଇକିଂ ହେଲମେଟ୍, ପାଇଲଟ୍ଙ୍କ ହ୍ୟାଟ୍, ଡକ୍ କ୍ୟାପ୍, ଡିଟେକ୍ଟିଭ୍ କ୍ୟାପ୍ ଆଦି ଭଳି ବିଭିନ୍ନ ପ୍ରକାରର ଆକର୍ଷକ ଛୋଟ ଛୋଟ ଟୋପି । ଏସବୁକୁ ପିନ୍ଧି ତାଙ୍କ ପୋଷା ବିଲେଇ ଲାଗନ୍ତି ବହୁତ କ୍ୟୁଟ୍ । ସେସବୁର ଫଟୋ ଉଠାଇ ସେମାନେ ସୋସିଆଲ୍ ମିଡିଆରେ ବି ପୋଷ୍ଟ କରିଛନ୍ତି, ଯାହାକୁ ସମସ୍ତେ ବେଶ୍ ପସନ୍ଦ କରୁଛନ୍ତି ।


