ରୋଗ ଶଯ୍ୟାରେ ବାପା-ପୁଅ; ପାଖରେ ପହଞ୍ଚିଲେ ଯୁବ ସ୍ୱେଚ୍ଛାସେବୀ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): ରୋଗଶଯ୍ୟାରେ ପରିବାରର ଦୁଇ ରୋଜଗାରକ୍ଷମ ବ୍ୟକ୍ତି, ଆର୍ଥିକ ଦୁସ୍ଥିତି ଯୋଗୁଁ ହୋଇ ପାରୁନି ସେମାନଙ୍କ ଚିକିତ୍ସା। ଫଳରେ ୬ ପ୍ରାଣୀ କୁଟୁମ୍ବର ପରିବାର ଏବେ ଦୁଃଖ ଯନ୍ତ୍ରଣାରେ କାଳାତିପାତ କରିବା ସହ ସହାୟତା ଅପେକ୍ଷାରେ। ଏପରି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଖଜୁରିପଡା ବ୍ଲକ ଅନ୍ତର୍ଗତ ସୁଡ୍ରୁକୁମ୍ପା ପଂଚାୟତର ନେଡିଗୁଡା ଗ୍ରାମରେ। ଗ୍ରାମର କୁଞ୍ଜବିହାରୀ ବେହେରା(୬୫) ପକ୍ଷାଘାତ ରୋଗରେ ପିଡିତ ଥିବା ବେଳେ ତାଙ୍କ ପୁଅ ଭାଗିରଥୀ(୩୦) କର୍କଟ ରୋଗରେ ଆକ୍ରାନ୍ତ ହୋଇଛି l ପ୍ରକାଶ ଯେ,  କୁଞ୍ଜବିହାରୀ ଜଣେ ଦିନ ମଜୁରିଆ ତଥା ନାମକୁ ମାତ୍ର ଚାଷୀ ଥିଲେ ପ୍ରତିଦିନ କାମ କଲେ ଘର ଚଳୁଥିଲା। ପୁଅ ଭାଗିରଥୀ ମଧ୍ୟ ଅଟୋ ଚଳାଇ ଦୁଇ ପଇସା ଆଣୁଥିଲେ। ତେବେ ୫ ବର୍ଷ ତଳେ କୁଞ୍ଜବିହାରୀ ପକ୍ଷାଘାତ ରୋଗରେ ପିଡିତ ହୋଇଗଲେ। ଫଳରେ ପରିବାରର ସମସ୍ତ ଭାର ପୁଅ ଭାଗିରଥୀଙ୍କ କାନ୍ଧରେ ପଡିଲା। ତେବେ ଦୁଇ ବର୍ଷ ତଳେ ଭାଗିରଥୀଙ୍କ ପାଟିରେ ଘା ହୋଇଗଲା। ଔଷଧ ଖାଇବା ପରେ ମଧ୍ୟ ନ କମିବାରୁ ଡାକ୍ତରଙ୍କୁ ଦେଖାଇଲେ। ପରୀକ୍ଷାରୁ ତାହା କର୍କଟ ରୋଗ ବୋଲି ଜଣା ପଡିଲା। ତାଙ୍କର ଅପରେସନରେ ପ୍ରାୟ ୩ ଲକ୍ଷ ଟଙ୍କା ଖର୍ଚ ହୋଇଗଲା। ଚିକିତ୍ସା ପାଇଁ ସମସ୍ତ ଜମିବାଡି ବିକ୍ରି କରିବା ସହ ରହୁଥିବା ଘର ମଧ୍ୟ ବନ୍ଧକ ପଡି ଯାଇଛି। ସରକାରୀ ସହୟତା ଭାବେ ଜିଲ୍ଲା ପ୍ରଶାସନ ପକ୍ଷରୁ ମାତ୍ର ୧୭ ହଜାର ଟଙ୍କା ସହୟତା ମିଳିଥିଲା। ତଥାପି ତାଙ୍କ ରୋଗ ଭଲ ହୋଇ ନାହିଁ। ପ୍ରତିମାସରେ ୨୦-୨୫ ହଜାର ଟଙ୍କାର ଔଷଧ ଖାଇବାକୁ ପଡୁଛି। ଏପଟେ ଉଭୟ ବାପା ପୁଅ ଅକର୍ମଣ୍ୟ ହୋଇ ପଡିଥିବା ବେଳେ ବୃଦ୍ଧା ମା ମୁଳାବତୀ ଓ ବୋହୁ ମିନି ଛୋଟ ଛୁଆକୁ ଧରି ପର ଘରେ କାମ କରି ବହୁ କଷ୍ଟରେ ପେଟକୁ ଦାନା ଯୋଗାଡ କରୁଛନ୍ତି। ଏପରି ସ୍ଥଳେ ଉଭୟଙ୍କର ଚିକିତ୍ସା ପାଇଁ ଔଷଧ କିଣିବେ ବା କିପରି ସରକାରୀ ସହୟତା ଭାବେ ଏବେ ସେମାନଙ୍କୁ ମିଳୁଛି ମାତ୍ର ମାସକୁ ୩୦ କିଲୋ ଚାଉଳ ଏବଂ କୁଞ୍ଜବିହାରୀ ଓ ମୁଳାବତୀଙ୍କୁ ମିଳୁଛି ୫ଶହ ଟଙ୍କା ଲେଖାଏ ଭତା। ଔଷଧ ଅଭାବରୁ ଭାଗିରଥୀଙ୍କ ରୋଗ ବଢିବାରେ ଲାଗିଛି। ତେଣୁ ସରକାରୀ ସହାୟତା ଯୋଗାଇ ଦେଲେ ଭାଗିରଥୀଙ୍କ ଚିକିତ୍ସା ହୋଇ ପାରନ୍ତା ବୋଲି ମୁଳାବତୀ ଓ ମିନି କୋହ ଭରା କଣ୍ଠରେ କହିଛନ୍ତି। କୁଞ୍ଜବିହାରୀଙ୍କ ପରିବାରର ଏହି ଦୁଖଭରା କଥା ଶୁଣିବା ପରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ବଳରାମ ସେଠୀ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କ ସହ ଆଲୋଚନା କରି କିପରି ତାଙ୍କୁ ସହୟତା ଯୋଗାଇ ଦିଆଯାଇ ପାରିବ ସେନେଇ ବ୍ୟବସ୍ଥା କରିବେ ବୋଲି ପ୍ରତିଶୃତି ଦେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରିନାହାନ୍ତି। ଏଭଳି ସ୍ଥଳେ ଆଜି ଏହି ପରିବାର ପାଖରେ ପହଞ୍ଚିଥିଲେ ଯୁବ ସ୍ୱେଚ୍ଛାସେବୀ ବୈଦ୍ୟନାଥ ବେହେରା। ପରିବାରର ପାଖରେ ପହଞ୍ଚି ୨୫ କେଜି ଚାଉଳ ପ୍ରଦାନ କରିବା ସହିତ ଡ଼ାଲି, ଆଳୁ ଆଦି ମଧ୍ୟ ପ୍ରଦାନ କରିଛନ୍ତି। ଗୋଟିଏ ପଟେ ପରିବାର ଆର୍ଥିକ ଅବସ୍ଥା ଯୋଗୁଁ ଚିକିତ୍ସା ପାଇଁ ଛଟପଟ ହେଉଥିବା ବେଳେ ଅନ୍ୟପଟେ ଆଜି ପର୍ଯ୍ୟନ୍ତ ଏହି ଗରୀବ ପରିବାରକୁ ମିଳିନାହିଁ ସରକାରୀ ସ୍ତରରେ ଆବାସ ଗୃହ। ଫଳରେ ଏକ ଭଙ୍ଗାକୁଡ଼ିଆରେ ଜୀବନ ବିତାଉଛନ୍ତି ଏହି ପରିବାରର ୬ ପ୍ରାଣି କୁଟୁମ୍ବ। ଜିଲା ପ୍ରଶାସନ ତୁରନ୍ତ ଏହି ପରିବାର ଉପରେ ଦୃଷ୍ଟିଦେଇ ପଦକ୍ଷେପ ନେବା ଜରୁରି ହୋଇ ପଡିଛି ବୋଲି ବିିଭିନ୍ନ ମହଲରେ ମତ ପ୍ରକାଶ ପାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ