ସାର ଓ କୀଟନାଶକ ଔଷଧର ଅହେତୁକ ମୂଲ୍ୟ ବୃଦ୍ଧିକୁ ନେଇ ନବ ନିର୍ମାଣ କୃଷକ ସଙ୍ଗଠନ ଓ ଚାଷି ମାନଙ୍କ ପକ୍ଷରୁ କୃଷି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ବ୍ଳକରେ ସାର ଓ କୀଟନାଶକ ଔଷଧର ଅହେତୁକ ମୁଲ୍ୟ ବୃଦ୍ଧି ଘଟୁଛି । ଏପରିକି ସରକାରୀ ଅଧିକୃତ ସାର ଦୋକାନୀ ମାନେ ସାର ମହଜୁଦ ନଥିବା ଦର୍ଶାଇ କଳା ବଜାରରେ ଚଢା ଦରରେ ସାର ବିକ୍ରି କରୁଛନ୍ତି । ଯାହାଫଳରେ ଚାଷୀ ଏକ ପ୍ରକାର ଶୋଷିତ ହେଉଛି । କେବଳ ସାର ନୁହେଁ ଅନୁରୂପ ଭାବେ କୀଟନାଶକ ଔଷଧର ମଧ୍ୟ ଏକା ସମସ୍ୟା ଦେଖିବାକୁ ମିଳିଛି । ସାର ଦୋକାନୀମାନେ ସରକାରଙ୍କ ପ୍ରଦତ ମୂଲ୍ୟାଙ୍କ ସୂଚୀ ନ ଲଗାଇ ମନଇଚ୍ଛା ଦାମ ନେଉଛନ୍ତି । ବର୍ତମାନ ୟୁରିଆ ସାରର ଚାହିଦା ଥିବା ବେଳେ ସରକାରୀ ମୂଲ୍ୟ କିଗ୍ରା ପ୍ରତି ୨୬୭ ଟଙ୍କା ୫୦ ପଇସା ଥିବା ବେଳେ ଦୋକାନୀ ବସ୍ତା ପ୍ରତି ୪୮୦ ଟଙ୍କା ବିକ୍ରି କରୁଛି । ଏବିଷୟରେ ଗତ ୪ ସେପ୍ଟମ୍ବରରେ ବ୍ଳକ କୃଷି ଅଧିକାରୀ ଓ ଜିଲ୍ଲା ଉପ କୃଷି ନିର୍ଦ୍ଦେଶକଙ୍କ ସହ ଆଲୋଚନା କରାଯାଇଥିଲେ ମଧ୍ୟ ଏହାର କିଛି ସୁଫଳ ମିଳି ନଥିଲା । ବ୍ଳକରେ ୬ଟି ସମବାୟ ସମିତି ମାଧ୍ୟମରେ ସାର ବିକ୍ରିୟ କରାଯାଉଥିବା ବେଳେ ୧୫ଟି ସରକାରୀ ଅଧଧିକୃତ ଦୋକାନ ରହିଛି । କିନ୍ତୁ କଳା ବଜାରରେ ୪୦ରୁ ଉଦ୍ଦ୍ୱର୍ ଦୋକାନ ସାର ବିକ୍ରି କରୁଥିଲେ ମଧ୍ୟ ବିଭାଗ ପକ୍ଷରୁ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଯାହାକୁ ନେଇ ସୋମବାର ନବନିର୍ମାଣ କୃଷକ ସଙ୍ଗଠନ ଓ ଚାଷୀମାନଙ୍କ ପକ୍ଷରୁ କୃଷି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯିବା ସହ କୃଷି କାର୍ଯ୍ୟାଳୟକୁ ଅଚଳ କରି ଦିଆଯାଇଥିଲା । ଦାବି ଗୁଡିକ ମଧ୍ୟରେ ରହିଥିଲା-ସାର ଓ କୀଟନାଶକ ଔଷଧର ଉଚିତ ମୂଲ୍ୟ ଓ ଉଚିତ ସମୟରେ ପ୍ରଦାନ, ଲଘୁଚାପ ବର୍ଷାରେ ପଚି ଯାଇଥିବା ଧାନ ମୂଲ୍ୟର ପରିମାଣ ପଂଚାୟତ ଅନୁସାରେ ସାର୍ବଜନୀନ କରିବା, କୃଷିଅଧିକାରୀ କୃଷିକ୍ଷେତ୍ର ପରିଦର୍ଶନ କରିବା ସମୟରେ ଚାଷୀଙ୍କୁ ଭେଟି ତାଙ୍କ ଠାରୁ ଦସ୍ତଖତ ସଂଗ୍ରହ କରିବା,ଉଚିତ ସମୟରେ କୃଷି ଅଧିକାରୀ ମାନେ କାର୍ଯ୍ୟାଳୟକୁ ଆସନ୍ତୁ ଓ ଚାଷୀ ମାନଙ୍କ ଫୋନ କୁ ଗ୍ରହଣ କରନ୍ତୁ ଆଦି ଦାବି କୁ ନେଇ ବିକ୍ଷୋଭ କରାଯାଇଥିଲା । ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଜିଲ୍ଲା ସଂଯୋଜକ ଅଶୋକ ସ୍ୱାଇଁ ବ୍ଳକ ସଂଯୋଜକ କୈାଳାସ ପରିଡା,ଜିଲ୍ଲା କମିଟି ସଦସ୍ୟ ପ୍ରଫୁଲ୍ଲ ପରିଡା, ଚତୁଭୁଜ ମହାନ୍ତି, ନବ କିଶୋର ମହାନ୍ତି, ଅକ୍ଷୟ ସ୍ୱାଇଁ, କେଦାର ମହାନ୍ତି,କମଳ କାନ୍ତ ପରିଡାଙ୍କ ସମେତ ୫୦ରୁ ଉର୍ଦ୍ଧ ଚାଷୀ ଉପସ୍ଥିତ ଥିଲେ । ନବ ନିର୍ମାଣ କୃଷକ ସଙ୍ଗଠନର କର୍ମକର୍ତା ମାନଙ୍କୁ ନେଇ ବ୍ଳକ ଆତ୍ମା କମିଟିର ଚେୟାରମ୍ୟାନ ବସନ୍ତ ପାଢୀ, ବ୍ଳକ ଅଧ୍ୟକ୍ଷ ଜଗନ୍ନାଥ ଦାସ, ଥାନା ଧିକାରି ଭରତ ବେହେରା, କୃଷି ଅଧିକାରୀ ନିର୍ମାଲ୍ୟ ନାୟକ, ତୁଷାରକାନ୍ତ ସ୍ୱାଇଁ କାର୍ଯ୍ୟାଳୟ ମଧ୍ୟରେ ଆଲୋଚନା କରିଥିଲେ । ସାର ଓ କୀଟ ନାଶକ ଔଷଧ କଳାବଜାର ବିକ୍ରିୟ ରୋକିବା ପାଇଁ ଏକ ଟିମ ଗଠନ କରାଯିବ । ଉକ୍ତ ଟିମ ମାଧ୍ୟମରେ ସରକାରୀ ଅଧିକୃତ ଦୋକାନୀ ଗୁଡିକୁ ଯାଂଚ କରାଯିବା ସହ କଳା ବଜାରରେ ବିକ୍ରି କରୁଥିବା ଦୋକାନୀମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦିଆଯାଇଥିଲା । ସେହିପରି ଲଘୁଚାପ ଜନିତ ବର୍ଷାରେ କ୍ଷୟ କ୍ଷତି ହୋଇଥିବା ଧାନ ଫସଲର ବ୍ଳକ ସ୍ତରୀୟ ରିପୋର୍ଟ ପ୍ରଦାନ କରାଯାଇଛି । ରିଲିଫ କମିଶନରଙ୍କ ଠାରୁ କୈାଣସି ଫର୍ମାଟ ଆସିନାହିଁ । ଫର୍ମାଟ ଆସିଲେ ରାଜସ୍ୱ ବିଭାଗ ଦ୍ୱାରା ଗ୍ରାମ ଅନୁସାରେ ସର୍ଭେ କରାଯିବ । ଜିପିଏସ ମାଧ୍ୟମରେ ଚାଷିଙ୍କୁ ନିଜ ଜମି ନିକଟରେ ଛିଡା ହୋଇ ଫଟୋ ଉଠାଯିବା ପରେ କ୍ଷତି ପୁରଣ ଦିଆଯିବ ବୋଲି କହିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ