ନୂତନ କ୍ୟାବିନେଟ ସଚିବ ଭାବେ ଶ୍ରୀ ରାଜୀବ ଗୌବାଙ୍କ ଦାୟିତ୍ୱଗ୍ରହଣ

ନୂତନ କ୍ୟାବିନେଟ ସଚିବ ଭାବେ ଆଜି ଶ୍ରୀ ରାଜୀବ ଗୌବା ଦାୟିତ୍ୱ ଗ୍ରହଣ କରିଛନ୍ତି । ବିଦାୟୀ କ୍ୟାବିନେଟ ସଚିବ ଶ୍ରୀ ପି.କେ. ସିହ୍ନାଙ୍କ ଅବସର ପରେ ତାଙ୍କୁ ଏହି ଦାୟିତ୍ୱ ମିଳିଛି । ୧୯୮୨ ବ୍ୟାଚର ଝାଡ଼ଖଣ୍ଡ କ୍ୟାଡର ଭାରତୀୟ ପ୍ରଶାସନିକ ସେବା ଅଧିକାରୀ (ଆଇଏଏସ) ଶ୍ରୀ ଗୌବା କେନ୍ଦ୍ର ଗୃହ ସଚିବ, ଭାରତ ସରକାରଙ୍କ ସହରାଂଚଳ ବିକାଶ ମନ୍ତ୍ରଣାଳୟ ସଚିବ, ତଥା ଝାଡ଼ଖଣ୍ଡର ମୁଖ୍ୟ ଶାସନ ସଚିବ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଦାୟିତ୍ୱ ନିର୍ବାହ କରିସାରିଛନ୍ତି । ସେ ମଧ୍ୟ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି ।କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସ୍ତରରେ ତଥା ଅନ୍ତର୍ଜାତୀୟ ସଂଗଠନରେ କାର୍ଯ୍ୟ କରିଥିବା ଶ୍ରୀ ଗୌବାଙ୍କର ନିରାପତା, ପ୍ରଶାସନ, ଆର୍ଥିକ କ୍ଷେତ୍ର ଆଦିରେ ବ୍ୟାପକ ପ୍ରଶାସନିକ ଅଭିଜ୍ଞତା ରହିଛି । ଧାରା ୩୭୦ ଉଚ୍ଛେଦ ଏବଂ ଜାମ୍ମୁ ଓ କାଶ୍ମୀରର ପୁନର୍ଗଠନ ଲାଗି କେନ୍ଦ୍ର ସରକାରଙ୍କ ନିଷ୍ପତି କାର୍ଯ୍ୟକାରୀ କରିବାରେ ସେ ପ୍ରମୁଖ ଭୂମିକା ନିର୍ବାହ କରିଛନ୍ତି । ଏହି ନିଷ୍ପତିର ବାଧାମୁକ୍ତ ଏବଂ ସୁଗମ କାର୍ଯ୍ୟାନ୍ୱୟନ ଦିଗରେ ମଧ୍ୟ ତାଙ୍କର ଉଲ୍ଲେଖନୀୟ ଭୂମିକା ରହିଛି । ବିସ୍ତୃତ ଭାବେ ଦେଖିଲେ ଏସବୁ ନିଷ୍ପତି କାର୍ଯ୍ୟକାରୀ କରିବାରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ପ୍ରୟାସର ସେ ନେତୃତ୍ୱ ନେଇଥିଲେ । ଏକ ଛୋଟ କୋର ଟିମକୁ ନେଇ ସେ ଏହି ନିଷ୍ପତିର ସାମ୍ବିଧାନିକ ତଥା ଆଇନଗତ ଦିଗକୁ ଚୁଡ଼ାନ୍ତ ରୂପ ଦେବା ସହିତ ପ୍ରଶାସନିକ ଏବଂ ସୁରକ୍ଷା ବନ୍ଦୋବସ୍ତ ଦିଗରେ ମଧ୍ୟ କାର୍ଯ୍ୟ କରିଥିଲେ ।ଏଥିପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଭାବେ ନିଜର କାର୍ଯ୍ୟକାଳ ସମୟରେ ସେ ବାମପନ୍ଥୀ ଉଗ୍ରବାଦର ମୁକାବିଲା କରିବା ଲାଗି ୨୦୧୫ରେ ଏକ ବହମୁଖୀ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିଥିଲେ ଏବଂ ଏହାର ସଠିକ କାର୍ଯ୍ୟାନ୍ୱୟନର ନେତୃତ୍ୱ ନେଇଥିଲେ । ଫଳରେ ଦେଶରେ ବାମପନ୍ଥୀ ଉଗ୍ରବାଦ ପ୍ରଭାବ ଥିବା ଅଂଚଳ ସଂଖ୍ୟା ହ୍ରାସ ପାଇଥିଲା ।ଗୃହ ମନ୍ତ୍ରଣାଳୟ ବ୍ୟତୀତ ଶ୍ରୀ ଗୌବା କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ ଯଥା ସହରାଂଚଳ ବିକାଶ, ପ୍ରତିରକ୍ଷା, ଜଙ୍ଗଲ ଓ ପରିବେଶ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗରେ ମଧ୍ୟ ସଫଳତା ପୂର୍ବକ ଦାୟିତ୍ୱ ନିର୍ବାହ କରିସାରିଛନ୍ତି ।ଝାଡ଼ଖଣ୍ଡର ମୁଖ୍ୟ ସଚିବ ଭାବେ ସେ ବିଭିନ୍ନ ପ୍ରଶାସନିକ ଏବଂ ଅର୍ଥନୈତିକ ସଂସ୍କାର ଆଣିପାରିଥିଲେ । ପେସାଦାରଙ୍କ ପାଇଁ ଲାଟେରାଲ ଏଂଟ୍ରି, ମନ୍ତ୍ରଣାଳୟର ପୁନର୍ଗଠନ, ଶ୍ରମସଂସ୍କାର ଆଦି କ୍ଷେତ୍ରରେ ତାଙ୍କର ଯୋଗଦାନ ରହିଥିଲା । ତାଙ୍କର କାର୍ଯ୍ୟକାଳ ସମୟରେ ଝାଡ଼ଖଣ୍ଡ ବ୍ୟବସାୟିକ ସୁଗମତା ମାନ୍ୟତାରେ ସର୍ବନିମ୍ନ ସ୍ଥାନରୁ ଉପରକୁ ଉଠି ତୃତୀୟ ସ୍ଥାନ ହାସଲ କରିଥିଲା ।ଶ୍ରୀ ଗୌବା ମଧ୍ୟ ଦେଶ ପକ୍ଷରୁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିରେ ପ୍ରତିନିଧିତ୍ୱ କରିବା ସହିତ ଆଇଏମଏଫର ବୋର୍ଡରେ ୪ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ