ସରପଂଚ କହୁଛନ୍ତି ଜିଲ୍ଲା ପରିଷଦ ସଭ୍ୟାଙ୍କ ପାଉଣା ଦେଲେ ବକେୟା ଭତ୍ତା ମିଳିବ !
କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ବକେୟା ଭତ୍ତା ପାଇବା ପାଇଁ ହିତାଧିକାରୀ ସରପଂଚକୁ ଭେଟି ଜଣାଇବାରେ ସରପଂଚ କହିଲେ ଜିଲ୍ଲା ପରିଷଦ ସଭ୍ୟା କହିଛନ୍ତି ତାଙ୍କ ପାଉଣା ଦେଲେ ସେମାନଙ୍କୁ ବକେୟା ଭତ୍ତା ମିଳିବ । ଏଭଳି ଅଭିଯୋଗ ମଙ୍ଗଳବାର ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିକଟରେ କରିଛନ୍ତି କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଳପଡା ପଂଚାୟତର ଭତ୍ତା ହିତାଧିକାରୀମାନେ । ଅଭିଯୋଗ ଅନୁଯାଇ କଳପଡା ଗ୍ରାମପଂଚାୟତର ଭତ୍ତାହିତାଧିକାରୀ ଅଭିଯୋଗ କରିଛନ୍ତି ଯେ ସେମାନଙ୍କର ଭତ୍ତା ଗତ ୨୦୧୮ମସିହା ରୁ ମଞ୍ଜୁର ହୋଇଥିବା ବେଳେ ସେମାନେ ଭତ୍ତା ପାଇ ଆସୁଛନ୍ତି । ସେମାନଙ୍କ ଭତ୍ତା ମଞ୍ଜୁର ତାରିଖର ୫ମାସ ପରେ ସେମାନେ ଭତ୍ତା ପ୍ରଦାନ କରାଯାଇ ପିଛିଲା ମାସର ଭତ୍ତା ସେମାନଙ୍କୁ ପରେ ପ୍ରଦାନ କରାଯିବ ବୋଲି କୁହାଯାଇଥିଲା । କିନ୍ତୁ ସେମାନେ ଅପେକ୍ଷା କରି ନମିଳିବାରୁ ସେହି ୫ମାସର ବକେୟା ଭତ୍ତା ପାଇବା ପାଇଁ ସେମାନେ ପଂଚାୟତର ନିର୍ବାହୀ ଅଧିକାରୀଙ୍କୁ ପଚାରିବାରେ ସେ କହିଲେ ମୁଁ କିଛି କରିପାରିବି ନାହିଁ ସରପଂଚଙ୍କୁ ପଚାରନ୍ତୁ । ସେମାନେ ସରପଂଚଙ୍କୁ ଭେଟି ଜଣାଇବାରେ ସରପଂଚ ସେମାନଙ୍କୁ କହିଲେ ଯେ ଜିଲ୍ଲା ପରିଷଦ ସଭ୍ୟା କହିଛନ୍ତି ତାଙ୍କ ପାଉଣା ଦେଲେ ତୁମର ବକେୟା ଭତ୍ତା ମିଳିବ । ସେମାନେ ଗରୀବ ଲୋକ ଭତ୍ତା ପାଇଲେ ଚଳିନ୍ତି ବୋଲି କହିଛନ୍ତି । ସେମାନେ କେଉଁଠୁ କିଭଳି ସରପଂଚ ଓ ଜିଲ୍ଲା ପରିଷଦ ସଭ୍ୟାଙ୍କୁ ପାଉଣା ଅର୍ଥ ଆଣି ଦେବେ ବୋଲି ଜିଲ୍ଲାପାଳଙ୍କୁ ଜଣାଇଛନ୍ତି । ତେଣୁ ସେମାନଙ୍କୁ ବକେୟା ଭତ୍ତା ପ୍ରଦାନ କରାଯିବାର ବ୍ୟବସ୍ଥା କରାଯିବାକୁ ସେମାନେ ଜିଲ୍ଲାପାଳଙ୍କୁ ନିବେଦନ କରିଥିଲେ । ଭତ୍ତା ହିତାଧିକାରୀ ଆଦିକନ୍ଦ ସାହୁ, ମାଧବାନନ୍ଦ ସ୍ୱାଇଁ, ଅମରି ସାହୁ, ଗୋବିନ୍ଦ ଚନ୍ଦ୍ର ଲେଙ୍କା, ସୁରେନ୍ଦ୍ର ନାଥ ବାରିକ, ଶକୁନ୍ତଳା ବେହେରା, କୁସୁମ ପ୍ରଧାନ, ସାବିତ୍ରୀ ସାମଲ, ନାଥୁରାମ ସାହୁ ପ୍ରମୁଖ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି ।