ଦିଗପହଣ୍ଡିରେ ମିଳୁନି ୟୁରିଆ ସାର ; ପ୍ରତିବାଦରେ ଚାଷୀଙ୍କ ବିକ୍ଷୋଭ,

ଦିଗପହଣ୍ଡି, (ଓ୍ବାଇଏନ୍ଏସ୍):ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସହରରେ ଚାଷୀଙ୍କୁ ୟୁରିଆ ସାର ମିଳୁନଥିବା ପ୍ରତିବାଦରେ ଗୁରୁବାର ପୂର୍ବାହ୍ନରେ ବହୁ ସଂଖ୍ୟକ ଚାଷୀ ସ୍ଥାନୀୟ ପ୍ରାଥମିକ ସେବା ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦିଗପହଣ୍ଡି ବ୍ରହ୍ମପୁର ମୁଖ୍ୟରାସ୍ତା କୁ ଅବରୋଧ କରିଥିଲେ।ଧାନରୁଆ ବେଉଷଣ ସରିବା ପରେ ଧାନ ଫସଲ ନିମନ୍ତେ ୟୁରିଆ ସାରର ଆବଶ୍ୟକତା ରହିଥିବା ବେଳେ ସାର ସ୍ଥାନୀୟ ସମବାୟ ସମିତିରେ ମିଳୁନଥିବା ଜଣାପଡିଛି । ଚାଷୀମାନେ ଟଙ୍କା ଧରି ବୁଲୁଥିଲେ ମଧ୍ୟ ସାର ପାଇପାରୁ ନାହାନ୍ତି।ଦିଗପହଣ୍ଡି ସହରରେ ୨୩ ଶହ ୟୁରିଆ ସାର ପ୍ୟାକେଟ ର ଆବଶ୍ୟକତା ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୧ ଶହ ବସ୍ତା ସାର ସ୍ଥାନୀୟ ସେବା ସମବାୟ କେନ୍ଦ୍ର ଜରିଆରେ ବିକ୍ରି କରାଯାଇଛି। ଏଭଳି ପରିସ୍ଥିତିରେ କେଉଁ ଚାଷୀକୁ ସାର ମିଳୁଛି ତ ଅନ୍ୟ କାହାକୁ ମିଳୁପାରୁ ନାହିଁ । ଯାହାଫଳରେ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ଉପସଭାପତି ପ୍ରଫୁଲ୍ଲ ପଣ୍ଡା, ସିପିଆଇ (ଏମ୍) ଗଞ୍ଜାମ ଜିଲ୍ଲା କମିଟି ସମ୍ପାଦକ କୈଳାସ ଷଡ଼ଙ୍ଗୀ,ବିଜେପି ଜିଲ୍ଲା କମିଟି ଉପସଭାପତି ପରେଶ ଚନ୍ଦ୍ର ରଥ ,ସାମାଜିକ କର୍ମୀ କୁରେଶୁ ମହାରଣା, ନୀଳମାଧବ ପଣ୍ଡା, ଚାଷୀ ନେତା ଲବ ମହାନ୍ତି,କିଶୋର ଜେନା,ପି. ନୀଳ ମାଧବ, ଡି. ଅନ୍ତର୍ଯ୍ୟାମୀ ସମବାୟ କେନ୍ଦ୍ର ସମ୍ମୁଖ ମୁଖ୍ୟ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ସକାଳ ୯ ଟାରୁ ୧୨ ଟା ପର୍ଯ୍ୟନ୍ତ ରାସ୍ତା ଅବରୋଧ କରିବା ପରେ ରାସ୍ତାର ଉଭୟ କଡ଼ରେ ଶତାଧିକ ଗାଡ଼ି ମୋଟର ଅଟକି ରହିଥିଲା। ଦିଗପହଣ୍ଡି ଥାନା ଅଧିକାରୀ ବସନ୍ତ କୁମାର ସେଠୀ ଘଟଣାସ୍ଥଳରେ ପହଞ୍ଚି ଚାଷୀମାନଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ଚାଷୀମାନଙ୍କ ଉତ୍ତେଜନା ଥମିନଥିଲା।ପରେ ଦିଗପହଣ୍ଡି ତହସିଲଦାର ଅଦ୍ୱୈତ କୁମାର ସ୍ବାଇଁ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନର ନେତୃତ୍ବ ନେଇଥିବା ଚାଷୀ ପ୍ରତିନିଧି ମାନଙ୍କ ସହ ଆଲୋଚନା ପରେ ଏକ ସପ୍ତାହ ମଧ୍ୟରେ ସମସ୍ତ ଚାଷୀମାନଙ୍କୁ ଆବଶ୍ୟକ ଅନୁଯାୟୀ ୟୁରିଆ ସାର ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନ ହଟିଥିଲା। ଯାହାଫଳରେ ଗାଡି ଚଳାଚଳ ସ୍ବାଭାବିକ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ