ଟ୍ରାଫିକ ନିୟମ ଉଲ୍ଲଂଘନ ଅଭିଯୋଗ​‌ରେ ୧୧ ହଜାର ଚାଲାଣ ସହ ୨୮ ଗାଡ଼ି ଜବତ

କଟକ, (ଓ୍ବାଇଏନଏସ): ରାଜ୍ୟରେ ଅମାନିଆ ଗାଡ଼ିଚାଳକଙ୍କ ବିରୋଧରେ ପୁଣି ଥରେ ଆରମ୍ଭ ହୋଇଛି ଚଢ଼ଉ ଅଭିଯାନ । ଗତ ଦୁଇ ଦିନରେ ବିଭିନ୍ନ ମୋଟରଯାନ ଆଇନର ଉଲ୍ଲଂଘନ ଅଭିଯୋଗରେ ଆଞ୍ଚଳିକ ପରିବହନ ଅଧିକାରୀ (ଆର୍‌ଟିଓ)ଙ୍କ ପକ୍ଷରୁ ଗାଡ଼ି ଚାଳକମାନଙ୍କ ବିରୋଧରେ ପ୍ରାୟ ୧୧ ହଜାର ଚାଲାଣ କରାଯାଇଛି । ସେହିପରି ୨୮ଟି ଗାଡ଼ି ମଧ୍ୟ ଜବତ ହୋଇଛି । ଚାଲାଣ କଟିଥିବା ଗାଡ଼ିଚାଳକମାନଙ୍କ ମଧ୍ୟରୁ ସର୍ବାଧିକ ହେଲ୍‌ମେଟ୍ ପିନ୍ଧିନଥିବା ଉଲ୍ଲଂଘନକାରୀମାନେ ରହିଥିବା ଦେଖାଯାଇଛି । ସଡ଼କ ସୁରକ୍ଷାକୁ ଦୃଷ୍ଟିରେ ରଖି ଗତ ଦୁଇଦିନ (ସୋମ,ମଙ୍ଗଳ) ଧରି ସ୍ୱତନ୍ତ୍ର ଭାବେ ବିଭିନ୍ନ ସ୍ଥାନମାନଙ୍କରେ ଜୋର୍‌ଦାର୍ ଯାଞ୍ଚ୍ କରାଯାଉଛି । ଏହି ଯାଞ୍ଚ୍‌ର ଉଦ୍ଦେଶ୍ୟ କେବଳ ଜରିମାନା ନୁହେଁ ଏଥିରେ ଉଲ୍ଲଂଘନକାରୀମାନଙ୍କୁ ସଚେତନ ମଧ୍ୟ କରାଯାଉଛି ବୋଲି ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍‌ଟିଏ)ର ଅତିରିକ୍ତ କମିସନର ଦୀପ୍ତିରଞ୍ଜନ ପାତ୍ର ପ୍ରକାଶ କରିଛନ୍ତି । ପ୍ରତ୍ୟେକ ଆରଟିଓଙ୍କୁ ଏ ଦିଗରେ ଆବଶ୍ୟକ ପରାମର୍ଶ ଦିଆଯାଇଛି । ଏହି ଦୁଇ ଦିନରେ ୧୦ ହଜାର ୯୮୮ ଜଣ ଅମାନିଆ ଗାଡ଼ି ଚାଳକଙ୍କ ବିରୋଧରେ ଚାଲାଣ କଟାଯାଇଛି । ଏଥିରେ ହେଲ୍‌ମେଟ୍ ନପିନ୍ଧି ଗାଡ଼ି ଚଳାଉଥିବା ୩ ହଜାର ୯୯୪ଜଣ ଗାଡ଼ି ଚାଳକ ଅଛନ୍ତି । ସେହିପରି ଗାଡ଼ି ପଛରେ ବସି ହେଲ୍‌ମେଟ୍ ପିନ୍ଧିନଥିବା ନେଇ ୧୦୨୭ଜଣଙ୍କ ବିରୋଧରେ, ଅଧିକ ବେଗରେ ଯାଉଥିବା ୧ ହଜାର ୪୦୯ଜଣ ଓ ମଦ ପିଇ ଗାଡ଼ି ଚଳାଉଥିବା ୫୨ଜଣଙ୍କ ବିରୋଧରେ ଚାଲାଣ କଟାଯାଇଛି । ଇନସ୍ୟୁରାନ୍ସ ନଥିବା ୪୧୫ଟି ଗାଡ଼ି ବିରୋଧରେ ବି ଚାଲାଣ କଟାଯାଇଛି । ସିଟ୍ ବେଲଟ୍ ପିନ୍ଧିନଥିବା ଥିବାରୁ ୨୫୮ଟି ଚାଲାଣ ଓ ପଞ୍ଜୀକରଣ ନଥିବା ୧୨୮ଟି ଗାଡ଼ି ବିରୋଧରେ ମଧ୍ୟ ଚାଲାଣ କଟାଯାଇଛି । ଏହି ଯାଞ୍ଚ୍ ପ୍ରକ୍ରିୟା ଜାରି ରଖିବାକୁ ଆରଟିଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଭଳି ଯାଞ୍ଚ୍ର ମୁଖ୍ୟ ଉଦ୍ଦେଶ୍ୟ ହେଊଛି ସାଧାରଣ ଲୋକଙ୍କୁ ସଡ଼କ ସୁରକ୍ଷା ସମ୍ପର୍କରେ ସଚେତନ କରିବା । ଲୋକେ କେବଳ ନିୟମ ଉଲ୍ଲଂଘନ କରୁନାହାନ୍ତି ସେମାନେ ଏହା ଦ୍ୱାରା ସେମାନେ ନିଜ ପାଇଁ ଓ ଅନ୍ୟମାନଙ୍କ ପାଇଁ ବିପଦ ଡାକି ଆଣୁଛନ୍ତି ବୋଲି ଶ୍ରୀ ପାତ୍ର କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ