ଘରେ ଘରେ ତ୍ରିରଙ୍ଗା ଅଭିଯାନ
ଆସିକା (ୱାଇଏନ୍ଏସ୍) : ନାଗରିକ ମାନଙ୍କ ମନରେ ଦେଶପ୍ରେମ ଓ ଜାତୀୟ ଗୌରବ ଭାବନାକୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଘରେ ଘରେ ତ୍ରିରଙ୍ଗା ଅଭିଯାନ କାର୍ଯ୍ୟକ୍ରମ ଜାରି ରହିଛି । ନାଗରିକମାନଙ୍କ ମଧ୍ୟରେ ଜାତୀୟତା ଭାବ ଏବଂ ଏକତାର ଭାବନା ସୃଷ୍ଟି ସହ ଦେଶପ୍ରେମ, ଜାତୀୟ ସଂହତି ଏବଂ ତ୍ରିରଙ୍ଗା ପ୍ରତି ସମ୍ମାନ ଲକ୍ଷ୍ୟ ନେଇ ସାରା ଦେଶ ପାଳନ କରୁଛି ହର୍ ଘର୍ ତ୍ରିରଙ୍ଗା ଯାତ୍ରା । ଆସିକା ବ୍ଳକ ପ୍ରଶାସନ ଓ ପୌର ପରିଷଦର ମିଳିତ ସହଯୋଗରେ ଶୁକ୍ରବାର ଘରେ ଘରେ ତ୍ରିରଙ୍ଗା ଅଭିଯାନ ୨୦୨୬ ଏବଂ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜନ କରାଯାଇ ଦେଶମାତୃକା ପ୍ରତି ସମ୍ମାନ ପ୍ରଦର୍ଶନ କରାଯାଇଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ପିଏମ୍ଶ୍ରୀ ହରିହର ହାଇସ୍କୁଲ ପରିସରରେ ଘରେ ଘରେ ତ୍ରିରଙ୍ଗା ଅଭିଯାନ-୨୦୨୬ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ଭି.କିର୍ତ୍ତୀଭାସନ, ଆସିକା ବିଧାୟକ ସରୋଜ କୁମାର ପାଢୀ, ଭଂଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ଆସିକା ବିଡିଓ ରାଜେନ୍ଦ୍ର ପ୍ରସାଦ ନାୟକ, ତହସିଲଦାର ସଙ୍ଗୀତା ସେଣ, ଆସିକା ଉପଖଣ୍ଡ ଚିକିତ୍ସାଳୟର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବାଲ୍ଗୋପାଳ ବେହେରା, ଭାରତୀୟ ଜନତା ପାର୍ଟିର ରାଜ୍ୟ ସଂପାଦକ ସାରଦା ଶତପଥୀ ପ୍ରମୁଖ ଯୋଗଦେଇ ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ଅମର ସହିଦ୍ ଓ ଦେଶପ୍ରେମୀମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇ ନାଗରିକ ମାନଙ୍କ ମଧ୍ୟରେ ଜାତୀୟତା ଭାବ ଜାଗ୍ରତ କରିବା ସହ ଦେଶମାତୃକାକୁ ମନେ ପକାଇବା ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ ବୋଲି ପ୍ରକାଶ କରି ଦେଶପ୍ରେମ, ଜାତୀୟ ଏକତା ଓ ତ୍ରିରଙ୍ଗା ପ୍ରତି ସମ୍ମାନର ବାର୍ତ୍ତାକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଆହ୍ୱାନ କରିଥିଲେ । ଆସିକା ବ୍ଳକ ପ୍ରଶାସନ ଓ ପୌର ପରିଷଦର ମିଳିତ ସହଯୋଗରେ ଆସିକାରେ ଅନୁଷ୍ଠିତ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଆସିକା ପିଏମ୍ଶ୍ରୀ ହରିହର ହାଇସ୍କୁଲ ନିକଟରୁ ବାହାରି କଳିଙ୍ଗରୋଡ, ଲକ୍ଷ୍ମୀବଜାର, ବିନାୟକବଜାର, ଅଶୋକ ସିନେମା ରୋଡ, ଖମ୍ବେଶ୍ୱରୀପାଟଣା, ହରିହର ନଗର ଇତ୍ୟାଦି ଅଞ୍ଚଳ ପରିକ୍ରମା କରିଥିଲା ବେଳେ ଭାରତ ମାତା କୀ ଜୟ ଓ ବନ୍ଦେ ମାତରମ୍ ଧ୍ୱନୀରେ ରାଜରାସ୍ତା ପ୍ରକମ୍ପିତ ହୋଇପଡିଥିଲା । ଆସିକା ବ୍ଳକ ପ୍ରଶାସନ ଓ ପୌର ପରିଷଦର ମିଳିତ ସହଯୋଗରେ ଅନୁଷ୍ଠିତ ଏହି ବିଶାଳ ତ୍ରିରଙ୍ଗା କାର୍ଯ୍ୟକ୍ରମରେ ଆସିକା ବ୍ଳକ ଓ ପୌର ପରିଷଦ ଅଧୀନସ୍ଥ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଏନ୍ସିସି କ୍ୟାଡେଟ୍, ଯୁବ ରେଡକ୍ରସର ସ୍ୱେଚ୍ଛାସେବୀ, ଭାରତ ସ୍କାଉଟସ୍ ଓ ଗାଇଡସ୍ର ସ୍ୱେଚ୍ଛାସେବୀଙ୍କ ସମେତ ବରିଷ୍ଠ ବିଜେପି ନେତା ନିରଞ୍ଜନ ମହାନ୍ତି, ଶିବକୁମାର ନାୟକ, ଭଗବାନ ସାହୁ, ଶଙ୍କର ସେଠୀ, ବିଜୟ କୁମାର ସ୍ୱାଇଁ, ସନ୍ଦୀପ କୁମାର ପାଢୀ, ସଙ୍ଗୀତ କୁମାର ପାଢୀ, ନାରାୟଣ ସ୍ୱାଇଁ, ଟୁଲୁ ଜେନା, ଭଜରାମ ସ୍ୱାଇଁ, ମଳୟ କୁମାର ସ୍ୱାଇଁ, ସୁରେନ୍ଦ୍ର ମହାରଣା, ଅନିଲ୍ କୁମାର ସ୍ୱାଇଁଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା । ଦେଶ ସ୍ୱାଧୀନତାର ୮୦ ବର୍ଷ ପୁର୍ତ୍ତି ତଥା ବନ୍ଦେ ମାତରମ୍ର ୧୫୦ ବର୍ଷ ପୁର୍ତ୍ତି ଅବସରରେ ଘରେ ଘରେ ତ୍ରିରଙ୍ଗା ଅଭିଯାନ ଅଧୀନରେ ଦେଶପ୍ରେମ, ଜାତୀୟ ଏକତା ଓ ତ୍ରିରଙ୍ଗା ପ୍ରତି ସମ୍ମାନର ବାର୍ତ୍ତାକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଲକ୍ଷ୍ୟରେ ଆସିକା ବ୍ଳକ ପ୍ରଶାସନ ଓ ପୌର ପରିଷଦର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମ ପାଳନ ଅବସରରେ ଜନସାଧାରଣଙ୍କ ମଧ୍ୟରେ ଦେଶପ୍ରେମର ନୁଆଁ ଶିହରଣ ଖେଳାଇ ଦେଇଥିବା ଦେଖିବାକୁ ମିଳିଥିଲା । ଆସିକା ବ୍ଳକ ପ୍ରଶାସନ ଓ ପୌର ପରିଷଦର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିବା ଘରେ ଘରେ ତ୍ରିରଙ୍ଗା ଅଭିଯାନ -୨୦୨୬ ପାଳନ ଅବସରରେ ପିଏମ୍ଶ୍ରୀ ହରିହର ହାଇସ୍କୁଲ ପରିସରରେ ପୂଣ୍ୟାତ୍ମା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ସମେତ ଅନ୍ୟ ମହାମନିଷୀମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା ବେଳେ ପରିବେଶର ସୁରକ୍ଷା ଲାଗି ଏକ ଚାରାରୋପଣ କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା।


