ନୂଆଦିଲ୍ଲୀ ଜୁହାର ପରିବାରର ଇ-‘ନୂଆଁଖାଇ ପରବ୍‌’ରେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର,(ୱାଇଏନ୍ଏସ୍): ସେପ୍ଟେମ୍ବର ୧୩ ନୂଆ ଦିଲ୍ଲୀର ଜୁହାର୍ ପରିବାର ଦ୍ୱାରା ରବିବାର ଆୟୋଜିତ ଇ‘ନୂଆଁଖାଇ ପରବ୍‌’ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇ କରୋନାକୁ ଅଣଦେଖା ନକରି ଅଧିକ ସତର୍କ ରହିବାକୁ ଲୋକମାନଙ୍କୁ ନିବେଦନ କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ବର୍ତ୍ତମାନ କରୋନା ମହାମାରୀ ଦ୍ୱାରା ଓଡିଶା ସମେତ ସାରାଦେଶ ପ୍ରଭାବିତ ହୋଇଛି । ତେବେ ଏହି ମହାମାରୀକୁ ବେଖାତିର ନକରି ଲୋକମାନେ ଲକ୍ଷଣ ଦେଖୁଥିଲେ କୋଭିଡ୍ ଟେଷ୍ଟିଂ ସେଣ୍ଟରରେ ପରୀକ୍ଷା କରେଇନେବାର ଆବଶ୍ୟକତା ରହିଛି । କରୋନାର ଅପ୍ରଚାର ଠାରୁ ଦୂରେଇ ରହିବା ସହ ଆଇ.ସି.ଏମ.ଆର ର କରୋନା ସମ୍ପର୍କିତ ପ୍ରୋଟୋକଲକୁ ସମସ୍ତେ ପାଳନ କରିବା ଦରକାର । କରୋନାରୁ ରକ୍ଷା ପାଇବା ପାଇଁ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରଖିବା, ହାତ ଧୋଇବା,ଡାକ୍ତରଙ୍କ ପରାମର୍ଶ ନେବା, କରୋନା ଲକ୍ଷଣ ଥିଲେ ପରୀକ୍ଷା କରାଇବା ପାଇଁ ଲୋକଙ୍କୁ ସଚେତନ କରିବାକୁ ଜୁହାର୍‌ ଭଳି ଅନେକ ସାମାଜିକ ସଂଗଠନକୁ ନିବେଦନ କରିଛନ୍ତି ଶ୍ରୀ ପ୍ରଧାନ । ଆଜିର ମୂଳ ବିଷୟ ହେଉଛି ସମସ୍ତଙ୍କ ଜୀବନକୁ ସୁରକ୍ଷିତ କରିବାର ଓ କରୋନାରୁ ଦୂରେଇ ରହିବା ପାଇଁ ସଚେତନତା ସୃଷ୍ଟି କରିବାର । ଗୋଟିଏ ସାମାଜିକ ସଂଗଠନର ଦାୟିତ୍ୱ କେବଳ ସଂସ୍କୃତି ଓ ପରମ୍ପରାକୁ ଆଗକୁ ନେବାର ନୁହେଁ ବରଂ ବର୍ତ୍ତମାନ ଓ ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ଆଗେଇ ଆସିବା ଦରକାର ବୋଲି ସେ କହିଛନ୍ତି ।କୃଷିଭିତ୍ତିକ, ସାମାଜିକ ତଥା ସାଂସ୍କୃତିକ ଗଣପର୍ବ ହେଉଛି ନୂଆଁଖାଇ । ମା’ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଭୋଗ ଲାଗି ହେବା, ସ୍ଥାନୀୟ ଜୀବନ ଜୀବିକାକୁ ବଢ଼ାଇବା, ସଂସ୍କୃତି ଓ ପରମ୍ପରାକୁ ଆଗକୁ ନେବା ଓ ଆତ୍ମନିର୍ଭର ହେବା ସହ ନୂଆ କଳ୍ପନା ଓ ନୂଆ ବିଚାରକୁ ନେଇ ଆଗକୁ ବଢ଼ିବାର ମହାନ୍ ଏବଂ ଅନନ୍ୟ ପରମ୍ପରା ନୂଆଁଖାଇ ବୋଲି ଶ୍ରୀ ପ୍ରଧାନ ଏହି କାର୍ଯ୍ୟକ୍ରମରେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ