ବିଶ୍ୱବିଦ୍ୟାଳୟ ଅର୍ଡିନାନସ -୨୦୨୦ ବିରୋଧରେ ସ୍ମାରକପତ୍ର ରାଜ୍ୟପାଳଙ୍କୁ ପ୍ରଦାନ
ଭୁବନେଶ୍ୱର,(ଓ୍ବାଇଏନ୍ଏସ୍):ସମ୍ପ୍ରତି ରାଜ୍ୟ ସରକାର ବିଶ୍ୱବିଦ୍ୟାଳୟ ପରିଚାଳନା ପାଇଁ ପୂର୍ବରୁ ଥିବା ଅଇନି ଗୁଡିକୁ ବାତିଲକରି ଯେଉୁଁ ଅର୍ଡିନାନ୍ସ ଆଣିଛନ୍ତି ତାହା ବିରୁଦ୍ଧରେ ରାଜ୍ୟ ବ୍ୟାପି ବିଶ୍ୱବିଦ୍ୟାଳୟ ର ଛାତ୍ର, ଅଧ୍ୟାପକ, କର୍ମଚାରୀ ତଥା ବୁଦ୍ଧିଜୀବୀ ଓ ସମସ୍ତରର ଶିକ୍ଷାପ୍ରେମୀ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ପ୍ରତିକ୍ରୀୟା ପ୍ରକାଶ ପାଇଛି ଓ ସାରା ଭାରତ ଶିକ୍ଷା ବଂଚାଅ କମିଟି, ଓଡିଶା ପକ୍ଷରୁ ଏକ ରାଜ୍ୟସ୍ତରୀୟ ଅନଲାଇନ୍ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ସାରା ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟର ଶତାଧିକ ଅଧ୍ୟାପକ ଓ ବୁଦ୍ଧିଜୀବୀ ଅନଲାଇନରେ ଦସ୍ତଗତ କରି ଆଜି ରାଜ୍ୟପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।
ଏହି ଅଧ୍ୟାଦେଶରେ ବିଶ୍ୱବିଦ୍ୟାଳୟ ଦ୍ୱାରା ହେଉଥିବା ଅଧ୍ୟାପକ ଓ ଅନ୍ୟାନ୍ୟ ପଦବୀ ପାଇଁ ଚୟନ ପ୍ରକ୍ରିୟା ବଦଳରେ ଏହାକୁ ଯଥାକ୍ରମେ opsc & ssb ମାଧ୍ୟମରେ କରିବାର ବ୍ୟବସ୍ଥା କରାଯାଇଛି । ବିଶ୍ୱବିଦ୍ୟାଳୟ ପରିଚାଳନା ପାଇଁ ଛାତ୍ର, ଶିକ୍ଷକ, ଅଧ୍ୟାପକ, ଶିକ୍ଷାବିତ୍ ତଥା ବିଭିନ୍ନ ବର୍ଗର ଶିକ୍ଷାପ୍ରେମୀ ବିଶିଷ୍ଟ ବ୍ୟକ୍ତିମାନଙ୍କ ପ୍ରତିନିଧିକୁ ନେଇ ଯେଉଁ ସିନେଟ୍ ଥିଲା ସେହି ଗଣତାନ୍ତ୍ରିକ ଭାବେ ଗଠିତ ହେଉଥିବା ଅନୁଷ୍ଠାନକୁ ଅକାର୍ଯ୍ୟକାରୀ କୁହାଯାଇ ସମ୍ପୂର୍ଣ୍ଣ ଉଠେଇ ଦିଆଯାଇଛି, ସିଣ୍ଡିକେଟରେ ରାଜ୍ୟପାଳ ଓ ରାଜ୍ୟ ସରକାରଙ୍କ ଦ୍ୱାରା ଅଧିକ ମନୋନୀତ ସଭ୍ୟମାନଙ୍କୁ ଅବସ୍ଥାପିତ କରିବାର ବ୍ୟବସ୍ଥା କରାଯାଇଛି, କୁଳପତି ମନୋନୟନ କମିଟିରେ ସିଣ୍ଡିକେଟର ଜଣେ ପ୍ରତିନିଧିଙ୍କ ଉପସ୍ଥିତିକୁ ସମ୍ପୂର୍ଣ୍ଣ ବାତିଲ କରାଯାଇ ତାଙ୍କ ସ୍ଥାନରେ ଜଣେ ସରକାରଙ୍କ ଦ୍ୱାରା ମନୋନୀତ ବ୍ୟକ୍ତିଙ୍କୁ ନିଆଯିବାର ବ୍ୟବସ୍ଥା କରାଯାଇଛି । ଏହି ନୂତନ ବ୍ୟବସ୍ଥା ବିଶ୍ୱବିଦ୍ୟାଳୟର ପରିଚାଳନା କ୍ଷେତ୍ରରେ ରାଜନୈତିକ ଓ ଅମଲାତାନ୍ତ୍ରୀକ ହସ୍ତକ୍ଷେପ ବୃଦ୍ଧିକରି ଏହାର ସ୍ୱାତନ୍ତ୍ର୍ୟକୁ ବ୍ୟାଘାତ କରିବବୋଲି ଏହି ସ୍ମାରକପତ୍ରରେ ଶିକ୍ଷାବିତମାନେ ଅଭିଯୋଗ କରିଛନ୍ତି । ଏହାଛଡା ରେଭେନ୍ସା ବିଶ୍ୱବିଦ୍ୟାଳୟର ସ୍ୱତନ୍ତ୍ର ଆଇନକୁ ବାତିଲ କରାଯାଇ ଉପରୋକ୍ତ ସରକାରୀ ବ୍ୟବସ୍ଥା ଲାଗୁକରାଯାଇଛି । ଐତିହାସିକ ଓ ଉଚ୍ଚ ପରମ୍ପରା ବହନକାରୀ ରେଭେନ୍ସା ବିଶ୍ୱବିଦ୍ୟାଳୟର ସ୍ୱତନ୍ତ୍ର ଆଇନ ଫଳରେ ଏହାର ବ୍ୟାପକ ଉନ୍ନତି ହୋଇଥିବାବେଳେ ଏହାକୁ ଛଡାଇ ନେବା କେବଳ ଶିକ୍ଷା ବିରେଧି ନୁହେଁ ଏହା ରାଜ୍ୟର ଐତିହକୁ ସଂରକ୍ଷଣ ଓ ସମ୍ମାନ ପ୍ରଦର୍ଶନ କରିବା ବିରୁଦ୍ଧରେ ଏକ ଘୃଣ୍ୟ ପଦକ୍ଷେପ ବୋଲି ସ୍ମାରକ ପତ୍ରରେ ଅଭିଯୋଗ କରାଯାଇଛି ।ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ନିଯୁକ୍ତି ପ୍ରକ୍ରୀୟା ରାଜ୍ୟ ସରକାରଙ୍କ ଅସ୍ପଷ୍ଟ ସଂରକ୍ଷଣ ନୀତି ତଥା ରାଜ୍ୟ ସରକାର ଓ ବିଶ୍ୱବିଦ୍ୟାଳୟ ମଞ୍ଜୁରୀ କମିଶନର ନିଯୁକ୍ତି ନିୟାମକ ମଧ୍ୟରେ ତାଳମେଳର ଅଭାବ ଯୋଗୁଁ ବ୍ୟଘାତ ହୋଇଛି । ଅକୃତକାର୍ଯ୍ୟ ହେଉଥିବା ବହୁତ ପ୍ରାଥୀ କୋର୍ଟର ଆଶ୍ରୟ ନେଉଛନ୍ତି ଓ ସରକାରଙ୍କ ସ୍ପଷ୍ଟ ନୀତି ଅଭାବରୁ ବହୁ କ୍ଷେତ୍ରରେ କୋର୍ଟ ନିଯୁକ୍ତି ଫଳାଫଳକୁ ସ୍ଥଗିତ ରଖିଛି । ଏହି କ୍ଷେତ୍ରରେ ଥିବା ଏହି ମୂଳ ସମସ୍ୟା ଗୁଡିକୁ ସମାଧାନ ନକରି ବିଶ୍ୱବିଦ୍ୟାଳୟ ଗୁଡିକର ସ୍ୱାତନ୍ତ୍ର୍ୟ କୁ ସମ୍ପୂର୍ଣ୍ଣ ଭାବେ ଅପହରଣ କରିନିଆଯାଇଛି ବୋଲି ଶିକ୍ଷାବିତ୍ମାନେ ଏହି ସ୍ମାରକ ପତ୍ରରେ ଅଭିଯୋଗକରିବା ସଙ୍ଗେ ସଙ୍ଗେ ଏହି ଅର୍ଡିନାନ୍ସକୁ ତୁରନ୍ତ ପ୍ରତ୍ୟାହାର କରିନେବା ପାଇଁ ଦାବୀ କରିଛନ୍ତି ।ଏହି ସ୍ମାରକପତ୍ର ରେ ଦସ୍ତଗତ କରିଥିବା ପ୍ରମୁଖ ଶିକ୍ଷାବିଦ୍ମାନେ ହେଲେ ଇନ୍ଷ୍ଟିଚ୍ୟୁଟ ଅଫ ମାଥମେଟିକସ୍ର ପୂର୍ବତନ ନିର୍ଦ୍ଦେଷକ ପ୍ରଫେସର ସ୍ୱାଧିନ ପଟ୍ଟନାୟକ, ରାଧାନାଥ ଇନଷ୍ଟିଚୁଟ ଅଫଆଡଭାନ୍ସ ଷ୍ଟଡିଜ୍ ଇନ୍ ଏଜୁକେସନ୍ , କଟକର ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁରେନ୍ଦ୍ର ମୋହନ ପାଣି, ଉତ୍କଳ ବିଶ୍ୱବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଫେସର ଲମ୍ବୋଦର ପ୍ରସାଦ ସିଂହ, ପ୍ରଫେସର ବିରେନ୍ଦ୍ର ନାୟକ, ଅବସର ପ୍ରାପ୍ତ ବୈଜ୍ଞାନିକ ଆଶୁତୋଷ ପରିଡା, ଡଃ ରମେଶ ନାୟକ, ଡଃ ଅମରେନ୍ଦ୍ର ଦାସ, ପୂର୍ବତନ ବିଚାରପତି ଆଡଭୋକେଟ୍ ବିଜୟ ରାଉତରାୟ, ରେଭେନ୍ସା ବିଶ୍ୱବିଦ୍ୟାଳୟର ଡଃ ସିଦ୍ଧାର୍ଥ ଭରଦ୍ୱାଜ, ଡଃ ମନୋଜ ଦାସ, ଡଃ ଉର୍ମିଶ୍ରୀ ବେଦମାତା, ଡଃ ଉମାକାନ୍ତ ମିଶ୍ର ପ୍ରମୁଖ ।


