ମହିଳା ହୋମଗାର୍ଡ ଙ୍କୁ ଯୌତୁକ ନିର୍ଯ୍ୟାତନା ଓ ଆକ୍ରମଣ ମାମଲା ; ସ୍ଵାମୀଙ୍କ ସମେତ ୫ ସମ୍ପର୍କୀୟ ଥାନାରେ ଅଟକ
ଦିଗପହଣ୍ଡି,(ଓ୍ବାଇଏନ୍ଏସ୍): ଦିଗପହଣ୍ଡି ଥାନାରେ କାର୍ଯ୍ୟରତ ମହିଳା ହୋମଗାର୍ଡ ନର୍ମଦା ପଣ୍ଡା ଙ୍କୁ ସୋମବାର ମଧ୍ୟାହ୍ନ ପ୍ରାୟ ସାଢେ଼ ୧୨ ଟାରେ ତାଙ୍କ ସ୍ବାମୀ ରାଧାଶ୍ୟାମ ନନ୍ଦ ଓ ତାଙ୍କ ପରିବାର ଲୋକେ ସଂଘବଦ୍ଧ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତିକରି ଆଇ ଆଇ ସି ବସନ୍ତ କୁମାର ସେଠୀ ଘଟଣାର ତଦନ୍ତ କରିବାସହ ମାମଲା ନଂ.୨୦୩/୨୦ ଦଫା – ୨୯୪/୩୨୩/୩୨୪/୩୪୨/୩୫୪(ଖ)/୪୯୮(କ) ଅନୁଯାୟୀ ମକଦ୍ଦମା ରୁଜୁ କରିଥିଲେ। ମାମଲା ରେ ସମ୍ପୃକ୍ତ ଥିବା ସ୍ଵାମୀଙ୍କ ସମେତ ୫ ସମ୍ପର୍କୀୟଙ୍କୁ ଶୁକ୍ରବାର ପୋଲିସ ଥାନାରେ ଅଟକ ରଖି ତଦନ୍ତ ଚଳାଇଛନ୍ତି। ପୋଲିସ ସୂଚନାନୁସାରେ, ଗତ ୨୦୧୮ ଅଗଷ୍ଟ ୫ ତାରିଖରେ ରାଧା ଶ୍ୟାମ ଙ୍କ ସହ ମହିଳା ହୋମଗାର୍ଡ ଙ୍କ ବିବାହ ପୁରୀଠାରେ ଅନୁଷ୍ଠିତ ହୋଇଥିଲା। ବିବାହର କିଛିଦିନ ପରେ ସ୍ବାମୀ ଓ ତାଙ୍କ ପରିବାର ଲୋକେ ଅଧିକା ଯୌତୁକ ପାଇଁ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଉଥିବା ନେଇ ଅଭିଯୋଗ କରିବାପରେ ଉଭୟଙ୍କ ମଧ୍ୟରେ ଦାମ୍ପତ୍ୟ କଳହ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ହୋମଗାର୍ଡ ଜଣକ ରାଜ୍ୟ ମହିଳା କମିଶନଙ୍କ ସମେତ ତାଙ୍କ ଭରଣପୋଷଣ ପାଇଁ କୋର୍ଟ ଙ୍କ ଦ୍ବାରସ୍ଥ ହୋଇଥିଲେ। ଘଟଣା ଦିନ ସେ ସ୍କୁଟିରେ ଘରୁ ବସଷ୍ଟାଣ୍ଡ ଆସୁଥିବା ବେଳେ ବର୍ଷା ହେବାରୁ ଜନତାଲେନ ରାଣୀ ସାହି ଛକରେ ଥିବା ତାଙ୍କ ସ୍ବାମୀ ଙ୍କ ରାସନ ଦୋକାନ ନିକଟ ଡ୍ରେସ୍ ଦୋକାନ ବାରଣ୍ଡାରେ ସେ ଠିଆ ହୋଇଥିବା ବେଳେ ସ୍ଵାମୀ ତାଙ୍କୁ ଗାଳି ଗୁଲଜ କରିଥିଲେ। ପ୍ରତିବାଦ କରିବାରୁ ତାଙ୍କୁ ଦୋକାନ ଭିତରକୁ ଟାଣି ନେଇ ଛୁରୀରେ ହାତକୁ ଆଘାତ ଦେବା ସହ ନିସ୍ତୁକ ମାଡ଼ ମାରିଥିଲେ। ଦୋକାନ ବାହାର ପଟୁ ଗେଡ଼ା ପକାଇ ତାଙ୍କୁ ଦୀର୍ଘ ସମୟ ଅଟକ ରଖି ନିର୍ଯାତନା ଦେଇଥିଲେ।ସେ ଭୟଭୀତ ହୋଇ ବ୍ରହ୍ମପୁର ଏସ ପି ଙ୍କୁ ମୋବାଇଲ ଫୋନ୍ ଯୋଗେ ଜଣାଇବା ପରେ ସ୍ଥାନୀୟ ପୋଲିସ ଏସ ଆଇ ସସ୍ମିତା ସେଠୀ ,ବଳଭଦ୍ର ଗଣ୍ଡ ସଦଳବଳ ସହ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ପୋଲିସ ହୋମଗାର୍ଡ ଙ୍କୁ ଚିକିତ୍ସା ପାଇଁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ।ସେଠାରୁ ସେ ଚିକିତ୍ସା ହୋଇ ଫେରିବା ପରେ ସେ ଥାନା ରେ ଏତଲା ଦେଇଥିଲେ।


