ଗ୍ଲୋବାଲ୍ ୱେଷ୍ଟର୍ଣ୍ଣ ଓଡିଶା ନୂଆଁଖାଇ ଭେଟଘାଟ୍ରେ କେନ୍ଦ୍ରମନ୍ତ୍ରୀଙ୍କ ଉଦ୍ବୋଧନ
ଭୁବନେଶ୍ୱର,(ୱାଇଏନ୍ଏସ୍): ସେପ୍ଟେମ୍ବର ୨୦ ଟେକ୍ସଟାଇଲ୍, ପର୍ଯ୍ୟଟନ ଏବଂ କୃଷି କ୍ଷେତ୍ର ଓଡିଶାର ମୂଳପୁଞ୍ଜି । ସେହି ରି ରାଜ୍ୟର ସଂସ୍କୃତି ଓ ପରମ୍ପରା ମଧ୍ୟ ଆମର ଭିନ୍ନ ଏକ ପୁଞ୍ଜି । ତେବେ ଏହି ସବୁ ପୁଞ୍ଜିକୁ ବିଶ୍ୱସ୍ତରରେ ପହଁଚାଇବା ଆମର ଲକ୍ଷ୍ୟ ହେବା ଦରକାର ବୋଲି ରବିବାର ଗ୍ଲୋବାଲ୍ ୱେଷ୍ଟର୍ଣ୍ଣ ଓଡିଶା ପକ୍ଷରୁ ଆୟୋଜିତ ନୂଆଁଖାଇ ଭେଟଘାଟ୍ରେ ଭିଡିଓ କନଫରେନ୍ସିଂ ଜରିଆରେ ଯୋଗଦେଇ ଆହ୍ୱାନ କରିଛନ୍ତି | ଶ୍ରୀ ପ୍ରଧାନ କହିଛନ୍ତି ଯେ ନୂଆଁଖାଇ ଚାଷଭିତିକ ଏକ ସାଂସ୍କୃତିକ ସାମାଜିକ ମହାନ ଗଣପର୍ବ । ଚାଷ ଆଧାରିତ ଅର୍ଥନୀତିକୁ ସଦୃଢ କରି ରଖିବାର ମହତ ବାର୍ତା ନୂଆଁଖାଇ ଦିଏ । ଭାରତ ସରକାର ଚାଷର ଉନ୍ନତି,କୃଷକଙ୍କ କଲ୍ୟାଣ ଏବଂ ଚାଷ ଆଧାରିତ ଅର୍ଥନୀତିର ସୁଦୃଢୀକରଣକୁ ପ୍ରଧାନ୍ୟ ଦେଇଛନ୍ତି । ସେ କହିଛନ୍ତି ମହାମାରୀ ସମୟରେ ସମ୍ବଲପୁରୀ ମାସ୍କର ଚାହିଦା ବୃଦ୍ଧି ପାଉଛି । ଏହାକୁ ଆହୁରି ଜନାଦୃତ କରିବାକୁ ପଡିବ । ସେହି ରି ପ୍ରସିଦ୍ଧ ରଙ୍ଗବତି ଗୀତ ଦୀର୍ଘ ଦଶନ୍ଧି ଧରି ଦେଶ ଓ ବିଶ୍ୱରେ ଆଦୃତ ହୋଇପାରିଛି । ଏହି ରି ଭାବରେ ଆମର ସଂସ୍କୃତି ଓ ପରମ୍ପରାକୁ ବିଭିନ୍ନ ସଂଗଠନର ଉଦ୍ୟମରେ ବିଶ୍ୱସ୍ତରୀୟ କରିବାର ଆବଶ୍ୟକତା ରହିଛି | ବର୍ତ୍ତମାନ କରୋନା ମହାମାରୀ ଦ୍ୱାରା ଓଡିଶା ସମେତ ସାରାଦେଶ ପ୍ରଭାବିତ ହୋଇଛି । ତେବେ ଆଜିର ସମୟରେ ଡିଜିଟାଲ ସଂଯୋଗ ବୃଦ୍ଧି ପାଇଛି । ଗ୍ରାମଞ୍ଚଳ ସମେତ ଅଧିକରୁ ଅଧିକ ଲୋକମାନେ ଡିଜିଟାଲ ପ୍ଲାଟଫର୍ମର ଯୋଡିହୋଇଛନ୍ତି । ବର୍ତମାନର ମୂଳ ବିଷୟ ହେଉଛି ସମସ୍ତଙ୍କ ଜୀବନକୁ ସୁରକ୍ଷିତ କରିବାର ଓ କରୋନାରୁ ଦୂରେଇ ରହିବା ପାଇଁ ସଚେତନତା ସୃଷ୍ଟି କରିବାର । ବିଶ୍ୱରେ ଅର୍ଥନୀତି ଓ ସାମାଜିକ ବ୍ୟବସ୍ଥା ସ୍ୱାଭାବିକ ହେବ । ଏହି ସକରାତ୍ମକ ଚିନ୍ତାଧାରା ନେଇ ସମସ୍ତଙ୍କୁ ଆଗକୁ ବଢିବା ଦରକାର ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଉଲ୍ଲେଖନୀୟ ଯେ, ଆଜିର ଏହି କାର୍ଯ୍ୟକ୍ରମରେ ଦେଶ ଓ ବିଦେଶରୁ ପଶ୍ଚିମ ଓଡିଶାର ପ୍ରତିନିଧିମାନେ ଯୋଗଦେଇ ଓଡିଶାର ଅନନ୍ୟ ଗଣପର୍ବ ନୂଆଁଖାଇ ସଂସ୍କୃତି ଓ ପରମ୍ପରା ଉପରେ ଆଲୋଚନା କରିଥିଲେ ।


