ପୁଣି ଜଣେ ଓଡିଆ ଅଧିକାରୀଙ୍କ ସଫଳତା
ଓଡ଼ିଆ ଆଇଆର୍ଏସ୍ ଅଧିକାରୀ (ସୀମାଶୁଳ୍କ) ଦେବୀ ପ୍ରସାଦ ଦାଶ ୧୮୨ ସଦସ୍ୟ ବିଶିଷ୍ଟ ବିଶ୍ୱ ସୀମାଶୁଳ୍କ ସଂଗଠନ(ଡବ୍ଲ୍ୟୁସିଓ)ର ଏନ୍ଫୋର୍ସମେଣ୍ଟ କମିଟି ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ବେଲଜିୟମର ବ୍ରସେଲ୍ସଠାରେ ତାଙ୍କୁ ସର୍ବସମ୍ମତିକ୍ରମେ ନିର୍ବାଚିତ କରାଯାଇଛି। ପ୍ରଥମ ଭାରତୀୟ ତଥା ଓଡ଼ିଆ ସୀମାଶୁଳ୍କ ଅଧିକାରୀ ଭାବେ ସେ ଏହି ସମ୍ମାନଜନକ ପଦବୀ ହାସଲ କରିପାରିିଛନ୍ତି। ପୂର୍ବରୁ ସେ ଏହି କମିଟିରେ ୨ ବର୍ଷ ପର୍ୟ୍ୟନ୍ତ ଉପାଧ୍ୟକ୍ଷ ଭାବେ କାର୍ୟ୍ୟ କରିଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିବା ପରେ ଦାଶ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ ଏବଂ ଜେଏନ୍ୟୁର ସ୍କୁଲ୍ ଅଫ୍ ଇଣ୍ଟରନ୍ୟାଶନାଲ ଷ୍ଟଡିଜରୁ ଅନ୍ତର୍ଜାତୀୟ ଅଧ୍ୟୟନ ଓ ଅନ୍ତର୍ଜାତୀୟ ଆଇନ ଉପରେ ସ୍ନାତକୋତ୍ତର ପାଠ୍ୟକ୍ରମ ଶେଷ କରିବା ପରେ ଏହି ଶିକ୍ଷାନୁଷ୍ଠାନରେ ନିରସ୍ତ୍ରୀକରଣ ଅଧ୍ୟୟନ ବିଷୟରେ ଏମ୍.ଫିଲ୍ ଶେଷ କରି ଆଇଆର୍ଏସ୍ ଭାବେ ଚାକିରି ଜୀବନ ଆରମ୍ଭ କରିଛନ୍ତି। ଜାତିସଂଘ ସୁରକ୍ଷା ପରିଷଦ, କମନଓ୍ବେଲ୍ଥ ସେକ୍ରେଟାରିଏଟ୍, ସିବିଆଇ, ଆର୍ବିଆଇ ଏବଂ ବର୍ତ୍ତମାନ ଡାଇରେକ୍ଟୋରେଟ ଅଫ୍ ରେଭିନ୍ୟୁ ଇଣ୍ଟେଲିଜେନ୍ସରେ ପ୍ରିନ୍ସିପାଲ ଡାଇରେକ୍ଟର ଜେନେରାଲ ଭାବେ କାର୍ୟ୍ୟରତ ୧୯୮୫ ବ୍ୟାଚ୍ର ଏହି ଓଡ଼ିଆ ଆଇଆର୍ଏସ୍ ଅଧିକାରୀଙ୍କର ସୀମାଶୁଳ୍କ ପ୍ରଶାସନ, କୂଟନୀତି, ବାଣିଜ୍ୟ ସୁବିଧା ପ୍ରଦାନ, ଗୋଇନ୍ଦା, ଅନ୍ତର୍ଜାତୀୟ ଆଇନ,ବିଶେଷ କରି ଆତଙ୍କବାଦ, ବେଆଇନ ଅର୍ଥ କାରବାର କ୍ଷେତ୍ରରେ ଆପରାଧିକ ମାମଲା ପରିଚାଳନା, ପ୍ରତ୍ୟର୍ପଣ ଓ ଆର୍ଥିକ କଟକଣା, ଆପୋସ ଆଇନଗତ ସହାୟତା ଆଦି କ୍ଷେତ୍ରରେ ଦୀର୍ଘ ବର୍ଷର ଅଭିଜ୍ଞତା ରହିଛି। ରାଷ୍ଟ୍ରପତି ପଦକପ୍ରାପ୍ତ ଦାଶ ଡବ୍ଲ୍ୟୁସିଓରୁ ମଧ୍ୟ ମେରିଟ ପୁରସ୍କାର ହାସଲ କରିଛନ୍ତି।