ହିତାଧିକାରୀ ଚୟନ ରେ ପକ୍ଷ ପାତିତା ଅଭିଯୋଗ ; ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ବୃଦ୍ଧ – ବୃଦ୍ଧା ଙ୍କ ବିକ୍ଷୋଭ
ଦିଗପହଣ୍ଡି,(ଓ୍ବାଇଏନ୍ଏସ୍): ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ଗ୍ରାମରେ ସରକାରୀ ଯୋଜନା ହିତାଧିକାରୀ ଚୟନ ରେ ପକ୍ଷ ପାତିତା କରାଯାଉଥିବା ଅଭିଯୋଗ ହୋଇଛି। ବାର୍ଦ୍ଧକ୍ୟ,ବିଧବା ଓ ଭିନ୍ନକ୍ଷମ ଭତ୍ତା ପାଇଁ ବାଦ୍ ପଡ଼ିଥିବା ବହୁସଂଖ୍ୟକ ବୃଦ୍ଧା,ବୃଦ୍ଧ ବୁଧବାର ମଧ୍ୟାହ୍ନ ରେ ଦିଗପହଣ୍ଡି ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ସମାଜସେବୀ ଇଂ. ଉତ୍ତମ କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ବିଡ଼ିଓ ହଳଧର ଶବର ଙ୍କ ଅନୁପସ୍ଥିତି ରେ ବ୍ଳକ କାର୍ଯ୍ୟାଳୟ ମୁଖ୍ୟ କିରାଣୀ ତ୍ରିନାଥ ଶବରଙ୍କ ଜରିଆରେ ଗଞ୍ଜାମ ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟରେ ଦସ୍ତଖତ ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଥିଲେ। ଯୋଗ୍ୟ ହିତାଧିକାରୀ ଙ୍କୁ ମିଳୁନି ବାର୍ଦ୍ଧକ୍ୟ , ବିଧବା ଓ ଭିନ୍ନକ୍ଷମ ଭତ୍ତା। ଇନ୍ଦିରା ଆବାସ, ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କା ଘର ଯୋଜନା,ପାଇଖାନା ନିର୍ମାଣ, ମୋ ଗୁହାଳ ହିତାଧିକାରୀ ଚୟନ ରେ ଦଳୀୟ ବାଛବିଚାର କରାଯାଉଛି। ବାରମ୍ବାର ଅଭିଯୋଗ କଲେ ମଧ୍ୟ ବ୍ଳକ ପ୍ରଶାସନ ନିଦାବିଷ୍ଣୁ ଅବସ୍ଥାରେ ନିଜର ଅସହାୟତା ପ୍ରକାଶ କରୁଛନ୍ତି।ଅଭିଯୋଗ ପ୍ରତି ସରପଞ୍ଚ ସଂଯୁକ୍ତା ଚଣ୍ଡ କର୍ଣ୍ଣପାତ କରୁନଥିବା ସ୍ମାରକପତ୍ର ରେ ଉଲ୍ଲେଖ ରହିଛି। ଶୀଘ୍ର ସମସ୍ୟାର ସମାଧାନ କରାନଗଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଇଂ. ଉତ୍ତମ କୁମାର ପାଣିଗ୍ରାହୀ ଚେତାବନୀ ଦେଇଛନ୍ତି। ଏନେଇ ବିଡ଼ିଓ ଙ୍କୁ ଯୋଗାଯୋଗ କରାଯିବାରେ ଖୁବ୍ ଶୀଘ୍ର ପ୍ରକୃତ ହିତାଧିକାରୀ ଙ୍କୁ ଚିହ୍ନଟ କରାଯାଇ ବିଭିନ୍ନ ସରକାରୀ ଜନକଲ୍ୟାଣ ଯୋଜନାରେ ସାମିଲ କରାଯିବ ବୋଲି କହିଛନ୍ତି।


