ଶିଖରଘାଟ-ନାଉଗାଁ ରାସ୍ତା କାମ ନିମ୍ନମାନର
ନାଉଗାଁ,: ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକର ଶିଖରଘାଟ-ବାଲିଭଉଁରି ମୁଖ୍ୟ ରାସ୍ତାଟି ଦିର୍ଘବର୍ଷ ହେବ ବିପର୍ଯ୍ୟସ୍ତ ହୋଇପଡିଥିଲା । ଯାହାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ରାସ୍ତା ନିର୍ମାଣକାରୀ ସଂସ୍ଥା ପୂର୍ତ ବିଭାଗର ଚେତା ପଶିଥିଲା । ଏହି ରାସ୍ତା କାର୍ଯ୍ୟ କରିବା ପାଇଁ ବିଭାଗ ପକ୍ଷରୁ ଟେଣ୍ଡର କରାଯାଇ ୨ ଜଣ ଠିକାଦାରଙ୍କୁ କାର୍ଯ୍ୟ କରିବା ପାଇଁ ଦାୟିତ୍ୱ ଦିଆଯାଇଥିଲା । ଶିଖରଘାଟ ଠାରୁ ନାଉଗାଁ ପର୍ଯ୍ୟନ୍ତ ପବିତ୍ର ନାୟକ ଓ ପାଳସାହି ଠାରୁ ବାଲିଭଉଁରୀ ପର୍ଯ୍ୟନ୍ତ ଇମ୍ପା ସଂସ୍ଥା କାର୍ଯ୍ୟ କରୁଥିବା ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କ ଠାରୁ ସୂଚନା ମିଳିଥିଲା । ଶିଖରଘାଟ-ନାଉଗାଁ ରାସ୍ତା କାର୍ଯ୍ୟ ନିମ୍ନମାନର ହୋଇଥିବା ସ୍ଥାନୀୟ ଜନସାଧାରଣ ପ୍ରକାଶ କରିଛନ୍ତି । ଏହି ରାସ୍ତାର ପାଶ୍ୱର୍ ପ୍ରଶସ୍ତିକରଣ ଚାଲୁଥିବା ବେଳେ କଂକ୍ରିଟ ରାସ୍ତାରୁ ଗୋଡି ଉଠୁଥିବା ଦେଖାଦେଇଛି । ଯାହାଫଳରେ ଜନ ଅସନ୍ତୋଷ ଦେଖା ଦେଇଛି । ପ୍ରକାଶ ଯୋଗ୍ୟ ଯେ ସରକାରୀ ନିୟମାନୁସାରେ ରାସ୍ତା କାର୍ଯ୍ୟ ନିର୍ମାଣ ପୂର୍ବରୁ ରାସ୍ତା କାର୍ଯ୍ୟ କରୁଥିବା ସଂସ୍ଥା ପକ୍ଷରୁ ଠିକାଦାରଙ୍କ ନାମ, ଅନୁଦାନର ପରିମାଣ, ନିର୍ମାଣ କାର୍ଯ୍ୟ ଆରମ୍ଭ ଓ ଶେଷ ତାରିଖ, କେତେ ମିଟର କଂକ୍ରିଟ, କେତେ ମିଟର ପିଚୁ ଓ ଏହାର ଭାଗମାପ, ଦୈର୍ଘ୍ୟ,ପ୍ରସ୍ଥ, ଉଚ୍ଚତା ସହିତ ରକ୍ଷାଣବେକ୍ଷଣ ସଂର୍ପକରେ ତଥ୍ୟ ସୂଚନା ଫଳକରେ ଦର୍ଶାଇବା କଥା । କିନ୍ତୁ ବିଭାଗ ପକ୍ଷରୁ କାର୍ଯ୍ୟାଦେଶ ପାଇଥିବା ଠିକାଦାର ଜନସାଧାରଣକୁ ତଥ୍ୟ ନ ଦର୍ଶାଇବା ପାଇଁ ସୂଚନା ଫଳକ ଲଗାଯାଇନାହିଁ । ସୂଚନା ଫଳକ ନଥିବାରୁ ଜନସାଧାରଣମାନେ ରାସ୍ତାର ନିର୍ମାଣ ସଂପର୍କରେ କିଛି ତଥ୍ୟ ଜାଣି ପାରୁନାହାନ୍ତି । ଯାହାଫଳରେ ସଂପୃକ୍ତ ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ସଲାସୁତରାରେ ଉକ୍ତ କାର୍ଯ୍ୟ କରାଯାଇଛି । ସଂପୃକ୍ତ ଠିକାଦାର ଏଷ୍ଟିମେଟ ଅନୁସାରେ କାର୍ଯ୍ୟ ନ କରି ନିଜ ମନ ମୁତାବକ ଭାଗମାପ କରି ନିମ୍ନମାନର ସିମେଂଟ ସହିତ ଲୁଣାବାଲି ଓ ମେଟାଲ ଡଷ୍ଟ ମିଶାଇ କାର୍ଯ୍ୟ କରିଥିବା ଅଭିଯୋଗ ହେଉଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଏହି ରାସ୍ତାର ଦୁଇ ପାଶ୍ୱର୍ ପ୍ରଶସ୍ତିକରଣ କରାଯାଉଛି । କିନ୍ତୁ ରାସ୍ତାର ପ୍ରଶସ୍ତିକରଣ କାର୍ଯ୍ୟ ଚାଲୁଥିବା ବେଳେ ନିର୍ମାଣ ହୋଇଥିବା କଂକ୍ରିଟ ରାସ୍ତାରୁ ଗୋଡି ଉଠିବା ଦେଖା ଦେଲାଣୀ । ଯାହାକି ରାସ୍ତାର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେହିପରି ୨୦୧୪-୧୫ ଆର୍ଥିକ ବର୍ଷରେ ନାଉଗାଁ ବଜାର ପେଟ୍ରୋଲ ପମ୍ପ ଠାରୁ ପାଳସାହି ଛକ ପର୍ଯ୍ୟନ୍ତ ବିଭାଗ ପକ୍ଷରୁ ଟେଣ୍ଡର କରାଯାଇ ରାସ୍ତା କାର୍ଯ୍ୟ କରାଯାଇଥିଲା । କିନ୍ତୁ ବର୍ଷ କେତେଟା ମଧ୍ୟରେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ରାସ୍ତାରେ ଖାଲ ସୃଷ୍ଟି ହେବା ଦେଖା ଦେଇଛି । ସେହିପରି ପାଳସାହି ଛକ ଠାରୁ ବାଲିଭଉଁରୀ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି । ଏହି ରାସ୍ତାର କାର୍ଯ୍ୟ କରିବା ପାଇଁ ଦାୟିତ୍ୱ ଥିବା ଠିକାଦାର କାର୍ଯ୍ୟ ଆରମ୍ଭ କରିଥିଲେ ମଧ୍ୟ କାର୍ଯ୍ୟ ଅଧା ହୋଇ ରହିଛି । ଫଳରେ ଏହି ରାସ୍ତାରେ ଜନସାଧାରଣମାନେ ଯାତାୟତରେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସଂପୃକ୍ତ ଠିକାଦାର ଦୀର୍ଘଦିନ ଧରି ରାସ୍ତା କାର୍ଯ୍ୟ କରୁ ନଥିଲେ ମଧ୍ୟ ବିଭାଗ ପକ୍ଷରୁ ଠିକାଦାର ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ଯାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟପଟରେ ପଂଚାୟତ ସମିତି ସମ୍ମିଳନୀ କକ୍ଷରେ ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ପ୍ରଥମ ସମୀକ୍ଷା ବୈଠକରେ ଉକ୍ତ ରାସ୍ତା ନିର୍ମାଣ ନିମ୍ନମାନର ହୋଇଥିବା ଓ ଉଭୟ ପାଶ୍ୱର୍ରେ ବାଲି ମରମ ଦିଆ ନଯିବା ସହିତ ବର୍ଷା ଦିନେ ବର୍ଷା ଜଳ ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା ନଥିବା ବିଷୟକୁ ଉପସ୍ଥାପନ କରିବା ସହିତ ଏଥିପ୍ରତି ଦୃଷ୍ଟି ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ବିଧାୟକଙ୍କ ନିର୍ଦ୍ଦେଶକୁ ବିଭାଗୀୟ ଅଧିକାରୀମାନେ ଫୁ କରି ଦେଇଥିବା ଆଲୋଚନା ହେଉଛି । ଏ ସଂର୍ପକରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ରମେଶ ମିଶ୍ରଙ୍କର ମତାମତ ନେବା ପାଇଁ ବାରମ୍ବାର ଫୋନ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନଥିଲେ । ଉଚ୍ଚ କତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବା ସହିତ ଏହି କାର୍ଯ୍ୟ ଉପରେ ଭିଜିଲାନ୍ସ ତଦନ୍ତ ପାଇଁ ସାଧାରଣରେ ଦାବୀ ହୋଇଛି ।


