କେ.ନୂଆଗାଁ ଥାନା ସମ୍ମୁଖରେ ଦଳୀୟ କର୍ମୀଙ୍କ ଧାରଣା

ଦିଗପହଣ୍ଡି,(ୱାଇଏନ୍ଏସ୍): ଦିଗପହଣ୍ଡି ବ୍ଳକ ଦେଓଖାଳି ଗାଁର ଯୁବତୀ ପ୍ରମୋଦିନୀ ନାୟକଙ୍କ ହତ୍ୟାଘଟଣାର କ୍ରାଇମବ୍ରାଞ୍ଚ୍ ତଦନ୍ତ ଦାବୀରେ ଭାଜପା ଦିଗପହଣ୍ଡି ବ୍ଳକ କମିଟି ପକ୍ଷରୁ ଶନିବାର କେ.ନୂଆଗାଁ ଥାନା ଘେରାଉ କରାଯାଇଥିଲା । ଭାଜପା ଗଞ୍ଜାମ ଜିଲା କାର୍ଯ୍ୟକର୍ତ୍ତା ଶ୍ରୀକାନ୍ତ ପାଢ଼ୀ, ମହନ୍ତ ଚିନ୍ମୟାନନ୍ଦ ଦାସ, ପରେଶ ଚନ୍ଦ୍ର ରଥଙ୍କ ନେତୃତ୍ଵରେ ବୋହୁ ସଂଖ୍ୟକ ଦଳୀୟ କର୍ମୀ ଶୋଭାଯାତ୍ରାରେ ବାହାରି ଥାନା ସମ୍ମୁଖରେ ପହଞ୍ଚି ଦାବୀ ପତ୍ର ପ୍ରଦାନ କରିବାପରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଥାନା ମୁଖ୍ୟ ଫାଟକ ସମ୍ମୁଖରେ ଧାରଣାରେ ବସି ରହିଥିଲେ । ଚିକିଟି ଏସ.ଡି.ପି.ଓ ସୁରେନ୍ଦ୍ରନାଥ ମୁର୍ମୁ, ଥାନା ଆଇ.ଆଇ.ସି ମାଧବାନନ୍ଦ ନାୟକ ଉପସ୍ଥିତ ଦଳୀୟ ନେତୃବୃନ୍ଦଙ୍କ ସହ ସବିଶେଷ ଆଲୋଚନା କରି ଖୁବ୍ ଶୀଘ୍ର ସଂମ୍ପୃକ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଗଣ ଧାରଣା ପ୍ରତ୍ୟାହୃତ ହୋଇଥିଲା । ଗଣଧାରଣା ସ୍ଥଳରେ ଭାଜପା ଦିଗପହଣ୍ଡି ନଗର କମିଟି ସଭାପତି ଭବାନୀ ପଣ୍ଡା,ପୂର୍ବତନ ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ବନଜା ପଣ୍ଡା, ସମିତି ସଭ୍ୟ ଶୁଭ୍ରାଂଶୁ ପ୍ରଧାନ,ଅରୁଣ ଗୌଡଙ୍କ ସମେତ ବିଭିନ୍ନ ପଞ୍ଚାୟତର ଦଳୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ । ପ୍ରକାଶ ଯେ, ଦିଗପହଣ୍ଡି ବ୍ଳକ କରପଡ଼ା ପଞ୍ଚାୟତ ଦେଓଖାଳି ଗ୍ରାମର ଉଚ୍ଚଶିକ୍ଷିତା ଯୁବତୀ ପ୍ରମାେଦୀନି ଗାଁ ନିକଟ କଣ୍ଟେଇଯୋଡ଼ି ନଦୀକୁ ଗତ ୧୦ ତାରିଖ ପୂର୍ବାହ୍ନରେ ଗାଧୋଇ ଯାଇଥିବା ବେଳେ କୌଣସି ଦୁର୍ବୃତ୍ତ ତାଙ୍କୁ ନଦୀ ପାଣିରେ ତଣ୍ଟି ଚିପି ହତ୍ୟା କରିବା ପରେ ଫେରାର ହୋଇ ଯାଇଥିଲେ । କେ.ନୂଆଗାଁ ପୋଲିସ ମୃତଦେହ ଜବତ କରି ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଇଥିଲେ । ପ୍ରଥମେ ଥାନା ଅପମୃତ୍ୟୁ ମାମଲା ନଂ.୨/୨୦ ଅନୁଯାୟୀ ମକଦ୍ଦମା ରୁଜୁ କରାଯାଇଥିଲା । ବ୍ୟବଚ୍ଛେଦ ରିପୋର୍ଟ ମିଳିବାପରେ ପୋଲିସ ଥାନା ମାମଲା ନଂ.୧୨୫/୨୦ ଅନୁଯାୟୀ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଥିଲେ ମଧ୍ୟ ଘଟଣାର ୫ ମାସ ପରେ ବି ଏହି ରହସ୍ୟଜନକ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିପାରିନଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ