ପ୍ରଭୁ ଅଭୟ ନୃସିଂହନାଥଙ୍କ ବାର୍ଷିକ ଯାତ୍ରା ଉଦ୍ଯାପିତ
ଆସିକା (ୱାଇଏନ୍ଏସ୍) :ପୂର୍ବବର୍ଷ ଭଳି ଚଳିତବର୍ଷ ମଧ୍ୟ ଆସିକା ପୌର ପରିଷଦ ଅଧିନସ୍ଥ ସୁନାମ୍ବ ରଥଦାଣ୍ଡ ସାହିରେ ପୂଜା ପାଉଥିବା ଅଭୟ ନୃସିଂହନାଥଙ୍କ ବାର୍ଷିକ ଯାତ୍ରା ମହୋତ୍ସବ ଶୁକ୍ରବାର ପାରମ୍ପରିକ ରୀତିନୀତି ଅନୁଯାୟୀ ସଂପନ୍ନ ହୋଇଯାଇଛି । ଗତ ଗୁରବାର ଦିନ ଆସିକା ପୌର ପରିଷଦ ଅଧିନସ୍ଥ ଅଭୟ ନୃସିଂହନାଥ ମନ୍ଦିର ରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ନୃସିଂହ ଜନ୍ମୋତ୍ସବ ପାଳିତ ହୋଇଥିଲା । ଶହ ଶହ ଶ୍ରଦ୍ଧାଳୁ ଭକ୍ତ ମନ୍ଦିରରେ ମହାପ୍ରଭୁ ନୃସିଂହନାଥଙ୍କୁ ପୂଜାର୍ଚ୍ଚନା କରିଥିଲେ । ଆସିକା ପୌର ପରିଷଦ ଅଧୀନସ୍ଥ ସୁନାମ୍ବ ରଥଦାଣ୍ଡ ସ୍ଥିତ ଅଭୟ ନୃସିଂହଙ୍କ ବିଜେ ପ୍ରତିମାକୁ ସୁସଜ୍ଜିତ ପାଲିଙ୍କିରେ ଅଧିଷ୍ଟିତ କରାଯାଇ ଏକ ବିରାଟ ଶୋଭାଯାତ୍ରାରେ ନଗର ପରିକ୍ରମା କରାଯାଇଥିଲା । ଶ୍ରଦ୍ଧାଳୁ ଭକ୍ତମାନେ ମୁଖ୍ୟରାସ୍ତାରେ ଗୋବରପାଣି, ଚନ୍ଦନପାଣି ଛିଞ୍ଚନ ଠାରୁ ଆରମ୍ଭ କରି ଛେରାପହଁରା କାର୍ଯ୍ୟରେ ସାମିଲ ହୋଇଥିବା ଲକ୍ଷ୍ୟ କରାଯାଇଥିଲା । ପ୍ରଭୁ ନୃôସିଂହନାଥଙ୍କ ବାର୍ଷିକ ଯାତ୍ରା ଅବସରରେ ମହାପ୍ରଭୁ ନୃସିଂହନାଥଙ୍କ ବିଜେ ପ୍ରତିମା ମନ୍ଦିର ସମ୍ମୁଖରେ ଅସ୍ଥାୟୀ ମଣ୍ଡପରେ ସ୍ଥାପନ କରାଯାଇଥିଲା ବେଳେ ଦିନତମାମ ଶ୍ରଦ୍ଧାଳୁ ଭକ୍ତମାନେ ନିଷ୍ଠାର ସହ ପୂଜାର୍ଚ୍ଚନାରେ ସାମିଲ ହୋଇଥିଲେ । ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ଆସିକା ପୁଲିସ ପ୍ରଶାସନ, ଯାତ୍ରା ପରିଚାଳନା କମିଟି, ମନ୍ଦିର ପରିଚାଳନା କମିଟି, ସାହିବାସିନ୍ଦାଙ୍କ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ଗ୍ରହଣ କରାଯାଇଥିବା ଲକ୍ଷ୍ୟ କରାଯାଇଥିଲା । ନୃସିଂହ ଯାତ୍ରା ଅବସରରେ ସୁନାମ୍ବ ରଥଦାଣ୍ଡ ସାହିରେ ପୂର୍ବାହ୍ନରେ ଚିକିଟି ନିକଟସ୍ଥ ଟିକରପଡା ଗ୍ରାମର ପୌରାଣିକ ନାଟକ ଭକ୍ତ ପ୍ରହଲ୍ଲାଦ ମଞ୍ଚସ୍ଥ ହୋଇଥିଲା। ସୁନାମ୍ବ ରଥଦାଣ୍ଡ ସାହି ବାସିନ୍ଦାଙ୍କ ସହଯୋଗରେ ମହନ୍ତ ମହାରାଜ୍ ଲଛମନ ଦାସ, ମନ୍ଦିର ପୂଜକ କୈଳାଶ ଚନ୍ଦ୍ର ଦାଶ ଏବଂ ଶୁଭ୍ରାଂଶୁ ଦାଶ ଓ ଶିବାନନ୍ଦ ଦାଶ, ଯାତ୍ରା ପରିଚାଳନା କମିଟି ସଭାପତି ତୋଫାନ କୁମାର ସାହୁ, ଉପସଭାପତି ସୁକାନ୍ତ ପ୍ରଧାନ, କୋଷାଧ୍ୟକ୍ଷ ରମେଶ ଚନ୍ଦ୍ର ଗୌଡ, ସଂପାଦକ ସୁମନ ପ୍ରଧାନ, ସହସଂପାଦକ ରୋହନ କୁମାର ଗୌଡ, ଉପଦେଷ୍ଟା ଲକ୍ଷ୍ମୀ ନାରାୟଣ ମହାନ୍ତି ଓ ଲକ୍ଷ୍ମୀ ନାରାୟଣ ବେହେରା, ଆଧ୍ୟାତ୍ମିକପ୍ରେମୀ ପି.ନାଗେଶ୍ୱର ପାତ୍ର, ବସନ୍ତ କୁମାର ପାଣିଗ୍ରାହୀ, ନାରାୟଣ ଗୌଡ, ଶୁଭମ୍ ଗୌଡ, ଶୁଭମ୍ ଦାଶ, ନରସିଂହ ପାଣିଗ୍ରାହୀ, ନିରଞ୍ଜନ ପ୍ରଧାନ, କଂଗ୍ରେସ ଗୌଡ, କୁନା ଗୌଡ, କାହ୍ନା ଗୌଡଙ୍କ ସମେତ ସ୍ଥାନୀୟ ଅଞ୍ଚଳବାସୀ ଓ ଉତ୍ସାହୀ ଯୁବପିଢୀ ଏବଂ ଶ୍ରଦ୍ଧାଳୁ ଭକ୍ତ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ସକ୍ରିୟ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା ।


