ନୂତନ ଟ୍ରାଫିକ ନିୟମକୁ ଭୟ ପାଲିସ ଡାଳେ ଡାଳେ ଗଲେ ,ଚାଳକ ପତରେ ପତରେ

ହିଂଜିଳିକାଟୁ, (ଶେଷଦେବ ସାହୁ): ଦିନକୁ ଦିନ ସଡ଼କ ଦୂର୍ଘଟଣା ବୃଦ୍ଧି କାରଣରୁ ହୁ ଲୋକଙ୍କ ମୂଲ୍ୟବାନ ଜୀବନ ଅକାରଣରେ ଚାଲିଯାଉଛି । ଏହାକୁ ନିୟନ୍ତ୍ରଣ କରିବା ଏବଂ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାରଙ୍କ ତରଫରୁ କଠୋର ପଦକ୍ଷେପ ଗ୍ରହଣ ସ୍ୱରୁପ ଟ୍ରାଫିକ ନିୟମରେ ବ୍ୟାପକ ପରିବର୍ତନ କରାଯାଇଛି । ଚଳିତ ମାସ ୧ ତାରିଖ ଠାରୁ ନୂଅାଁ ଟ୍ରାଫିକ ନିୟମ ପ୍ରଚଳନ ଯୋଗୁଁ ଗାଡ଼ିୀ ଚାଳକ ମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଜରିମାନା ଆଦାୟକୁ ନେଇ ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ସଙ୍ଘର୍ଷର ସୁତ୍ରପାତ ଘଟିଥିଲା । ଏତେ ମାତ୍ରାରେ ଫାଇନ ଆଦାୟକୁ ସହଜରେ ଗ୍ରହଣ କରିପାରିନାହାନ୍ତି ଜନସାଧାରଣ । ପୋଲିସର ଚେକିଂ ଭୟରେ ବହୁ ଲୋକେ ଟ୍ରାଫିକ ନିୟମକୁ ସମ୍ମାନ ଜଣାଇ ଚଳପ୍ରଚଳ ହେଉଥିବା ବେଳେ କେତେକ ଲୋକେ ଭୟଭୀତ ଅବସ୍ଥାରେ ଲୁଚିଛପି ଯାତାୟତ କରୁଛନ୍ତି ।
ହେଲେ ହିଂଜିଳିକାଟୁ ପୌରାଂଚଳ ମଧ୍ୟରେ ଆଜି ବି ବହୁ ବାଇକ୍ ଚାଳକ ସଚେତନ ନହୋଇ ବିନା ହେଲମେଟରେ ବାଇକ୍ରେ ୩ ଜଣ ବସି ଦୃତ ଗତିରେ ଗାଡ଼ି ଚଲାଉଥିବା ବେଳେ ବହୁ ମହିଳା ମୁଣ୍ଡରେ ହେଲମେଟ ପରିବର୍ତେ ମୁହଁରେ କପଡ଼ା ବାନ୍ଧି ସ୍କୁଟିରେ ୩ ଜଣ ବସି ଯାତ୍ରା କରୁଥିବାର ଦେଖିବାକୁ ମିଳୁଛି । କିଛି ଦିନ ପୂର୍ବେ ନୋ ହେଲମେଟ – ନୋ ପେଟ୍ରୋଲ କାର୍ଯ୍ୟକାରୀ କରାଯିବା ପରେ କିଛି ଗାଡ଼ି ଚାଳକ ହେଲମେଟ ପରିଧାନ କରି ପେଟ୍ରୋଲ ପମ୍ପରେ ତେଲ ପକାଉଥିବା ବେଳେ ଅନ୍ୟ କିଛି ଗାଡ଼ି ଚାଳକ ନିକଟରେ ଥିବା ବାଇକ ଚାଳକଙ୍କୁ ହେଲମେଟ ମାଗି ନିଜ ବାେଇକରେ ତେଲ ପକାଉଥିବାର ଦେଖିବାକୁ ମିଳିଥିଲା । ତେବେ ଅନ୍ୟ କିଛି ବାଇକ ଚାଳକ ଚତୁରତାର ସହ ପେଟ୍ରୋଲ ପମ୍ପ ଠାରୁ କିଛି ଦୂରରେ ନିଜ ମୋଟର ସାଇକେଲକୁ ରଖି ବୋତଲରେ ପେଟ୍ରୋଲ କିଣି ଆଣି ବାଇକରେ ପକାଉଥିବାରେ ଦେଖିବାକୁ ମିଳୁଥିଲା । କିଛି ଦିନ ପରେ ଉକ୍ତ ନିୟମକୁ ଫୁ କରି ଦିଆଗଲା । ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ଚେକିଂକୁ କଡ଼ାକଡ଼ି କରାଯାଇ ସହରର ବିଭିନ୍ନ ଛକ ଗୁଡ଼ିକରେ ଗାଡ଼ି ଗୁଡ଼ିକ ଯାଂଚ କରାଯାଉଛି । ହେଲେ କାଁ ଭାଁ କେତେକ ବାଇକ ଚାଳକ ପୋଲିସ ହାବୁଡ଼ରେ ପଡ଼ି କାନମୁଣ୍ଡ ଆଉଁସି ଫାଇନ୍ କାଟି ଫେରୁଥିବା ବେଳେ ଅନ୍ୟମାନେ ଖବର ପାଇ ସେହି ରାସ୍ତାରେ ନଆସି ଅନ୍ୟ ରାସ୍ତାରେ ଖସି ଚାଲି ଯାଉଛନ୍ତି । ବର୍ତମାନ ପରିସ୍ଥିତିରେ ଟ୍ରାଫିକ ନିୟମକୁ ୩ ମାସ କୋହଳ କରାଯାଇଥିବାରୁ ବହୁ ଲୋକେ ଆଶ୍ୱସ୍ତି ଲାଭ କରିଛନ୍ତି । ଜନସାଧାରଣଙ୍କ ଜୀବନ ରକ୍ଷା ଲାଗି ଓ ସଚେତନତା ଉଦେ୍ଧ୍ୟଶରେ ସରକାର ଟ୍ରାଫିକ ନିୟମକୁ କଡ଼ାକଡ଼ି କରିଥିବା ବେଳେ ଜନସାଧାରଣ କେବଳ ପୋଲିସ ଚେକିଂକୁ ଭୟ କରି ହେଲମେଟ ପିନ୍ଧୁଥିବା ଏବଂ ଅନ୍ୟ ସମୟରେ ହେଲମେଟକୁ ଗାଡ଼ି ହେଣ୍ଡଲରେ ରଖି ଯାତାୟତ କରୁଥିବାର ଦେଖିବାକୁ ମିଳୁଛି । ହେଲମେଟ ପରିଧାନର ସୁରକ୍ଷା ନେଇ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ସ୍ଥାନୀୟ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳ ଗୁଡ଼ିକରେ ଜନ ସଚେତନତା ସୃଷ୍ଟି କରିବା ଦିଗରେ ଆବଶ୍ୟକୀୟ ପନ୍ଥା ଗ୍ରହଣ କରାଯିବ ବୋଲି ହିଂଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ