ପ୍ରିୟଙ୍କା-ଫର୍ହାନଙ୍କୁ ଚେତାବନୀ ମୁମ୍ବାଇ
ସୋନାଲୀ ବୋଷଙ୍କ ନିର୍ଦ୍ଦେଶିତ ଫିଲ୍ମ “ଦ ସ୍କାଏ ଇଜ୍ ପିଙ୍କ୍’ର ଟ୍ରେଲର ରିଲିଜ୍ ହୋଇସାରିଛି । ଟ୍ରେଲର ରିଲିଜ୍ ପରେ ଏହା ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସୁଥିବା ଦେଖାଯାଇଛି । ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି, ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା, ଜାଇରା ୱସିମ୍ ଓ ଅଭିନେତା ଫର୍ହାନ୍ ଅଖତର । ଫିଲ୍ମରେ ଜାଇରାଙ୍କୁ ଏକ ଗମ୍ଭୀର ରୋଗ ହୋଇଥିବାବେଳେ ସେ ନିଜ ବାପା-ମା’ ଜୀବନର ସବୁଠାରୁ ବଡ଼ ଖଳନାୟିକା ବୋଲି ଫିଲ୍ମରେ କହୁଥିବା ଦେଖାଯାଇଛି । ଟ୍ରେଲରରେ ଥିବା ଏକ ସଂଳାପକୁ ନେଇ ଏବେ ମହାରାଷ୍ଟ୍ର ପୁଲିସ ଉଭୟ ପ୍ରିୟଙ୍କା ଚୋପ୍ରା ଓ ଫର୍ହାନ୍ ଅଖତରଙ୍କୁ ଚେତାବନୀ ଦେଇଛନ୍ତି । ଟୁଇଟ୍ରେ ଟ୍ରେଲରର ଏକ ଭିଡିଓ ରହିଛି, ଯେଉଁଥିରେ ପ୍ରିୟଙ୍କା ଫର୍ହାନଙ୍କୁ, “ଥରେ ଆୟଶା ଠିକ୍ ହୋଇଯାଉ, ତା’ ପରେ ମିଶି କରି ବ୍ୟାଙ୍କ ଲୁଟିବା ବୋଲି କହୁଥିବା ଦେଖାଯାଉଛି ? ଭିଡିଓ ଉପରେ ମହାରାଷ୍ଟ୍ର ପୁଲିସ କ୍ୟାପ୍ସନ୍ ଦେଇ ଲେଖିଛି, “ଆଇପିସି ଧାରା ୩୯୩ ଅନୁଯାୟୀ ୭ବର୍ଷ ଜେଲ ଦଣ୍ଡ ଭାଗିବେ ।” ତେବେ ମହାରାଷ୍ଟ୍ର ପୁଲିସର ଏଭଳି ଟୁଇଟ୍ ପରେ ରି-ଟୁଇଟ୍ କରି ପ୍ରିୟଙ୍କା ଲେଖିଛନ୍ତି, “ଧରାପଡ଼ିଗଲୁ, ଏବେ ଯୋଜନା କାର୍ଯ୍ୟକ୍ଷମ କରିବାର ସମୟ ।”


