ବିପ୍ଲବୀ ଅର୍ଜ୍ଜୁନ ଚରଣ ବେହେରାଙ୍କ ଜୀବନୀ ଉପରେ ଲିଖିତ ପୁସ୍ତକ ଆର୍ଯ୍ୟପୁତ୍ର ଲୋକାର୍ପିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ଅର୍ଜ୍ଜୁନ ଚରଣ ବେହେରା ସ୍ମୃତି ପରିଷଦ ଆନୁକୁଲ୍ୟରେ ଇଛାପୁର ଯାତ୍ରୀନିବାସ ପରିସରରେ ଗୁରୁବାର ପୂର୍ବାହ୍ନରେ ତାଙ୍କ ଜୀବନୀ ଉପରେ ଲିଖିତ ପୁସ୍ତକ “ଆର୍ଯ୍ୟପୁତ୍ର”ର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଡଃ.ବିଜୟାନନ୍ଦ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଲୋକାର୍ପଣ ଉତ୍ସବରେ ମୁଖ୍ୟ ସମୀକ୍ଷକ ଭାବରେ ପ୍ରାଧ୍ୟାପକ ଡଃ. ବୈଷ୍ଣବ ଚରଣ ସାମଲ, ସମ୍ମାନୀତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପୂର୍ବତନ କେନ୍ଦ୍ରାପଡା କଲେଜ ଅଧ୍ୟକ୍ଷ ନନ୍ଦ କିଶୋର ପରିଡା ପ୍ରମୁଖ ଯୋଗଦେଇ ସ୍ୱର୍ଗତ ବେହେରାଙ୍କ ତ୍ୟାଗ, ସାହାସ ଓ ଆତ୍ମମର୍ଯ୍ୟାଦା ବାସ୍ତବରେ “ଆର୍ଯ୍ୟପୁତ୍ର” ବୋଲି ଅଭିହିତ କରିଥିଲେ । କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ତିଖିରୀ ଗ୍ରାମରେ ଜନ୍ମିତ ସ୍ୱର୍ଗତ ଅର୍ଜ୍ଜୁନ ଚରଣ ବେହେରା ସାମ୍ୟବାଦୀ ଚେତନାର ନାୟକ ଭାବେ ଭାଗଚାଷୀ ଆନ୍ଦୋଳନର ନେତୃତ୍ୱ ନେଇ କାରାବରଣ କରି ସାରା ରାଜ୍ୟରେ ଜଣେ ଅଗ୍ରଣୀ ବିପ୍ଲବୀ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ସ୍ୱର୍ଗତ ବେହେରାଙ୍କ ଜୀବନୀ, ବ୍ୟକ୍ତିତ୍ୱ ଓ ସାମାଜିକ ପ୍ରଭାବ ଉପରେ ଶିକ୍ଷାବୀତ ନିରଞ୍ଜନ ମେକାପଙ୍କ ଲିଖିତ “ଆର୍ଯ୍ୟପୁତ୍ର”ପୁସ୍ତକ’ଟିରେ ବିଭିନ୍ନ ଘଟଣାବଳୀକୁ ସନ୍ନିବେଶିତ କରାଯାଇ ବେଶ ବୋଧଗମ୍ୟ ହୋଇଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ପୁସ୍ତକଟିକୁ ଭିଡିଓ କନଫରେନସିଙ୍ଗ ମାଧମରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ଲୋକାର୍ପିତ କରିଥିଲେ । ଉତ୍ସବରେ ପୁସ୍ତକର ପ୍ରକାଶକ ଗଣେଶ୍ୱର ମେକାପ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ପୁସ୍ତକର ଲେଖକ ଶ୍ରୀ ମେକାପ ପୁସ୍ତକ ରଚନା ପାଇଁ ସ୍ୱର୍ଗତ ବେହେରାଙ୍କ ବ୍ୟକ୍ତିତ୍ୱର ଆକର୍ଷଣ ହିଁ ଆକର୍ଷିତ କରିଥିଲା ବୋଲି କହିଥିଲେ । ଏହି ଉତ୍ସବରେ ଶିକ୍ଷାବୀତ ଭଜକୃଷ୍ଣ ରାଉତ, ଦେବେନ୍ଦ୍ର ବେହେରା, ବାବାଜୀ ଧଳ, ଗୟାଧର ଧଳ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ସ୍ମୃତି ପରିଷଦ ପକ୍ଷରୁ ଅଧ୍ୟାପକ ଅଜୟ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ