ନାଉଗାଁ ତହସିଲରେ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଅବସ୍ଥା ୩ ରାଜସ୍ୱ ନିରୀକ୍ଷକ, ଜଣେ ପିଅନ
ନାଉଗାଁ, (ଓ୍ବାଇଏନ୍ଏସ୍):ନାଉଗାଁ ତହସିଲ ଅଧିନରେ ୫ଟି ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ରହିଛି । ଏହି ୫ଟି କାର୍ଯ୍ୟାଳୟ ପାଇଁ ୫ ଜଣ ରାଜସ୍ୱ ନିରୀକ୍ଷକ, ୫ ଜଣ ଅତିରିକ୍ତ ରାଜସ୍ୱ ନିରୀକ୍ଷକ, ୫ ଜଣ ଅମିନ ଓ ୫ ଜଣ ପିଅନ ପଦବୀ ରହିଛି । କିନ୍ତୁ ଏହି ୫ଟି କାର୍ଯ୍ୟାଳୟ ପାଇଁ କେବଳ ୩ ଜଣ ରାଜସ୍ୱ ନିରୀକ୍ଷକ ଦାୟିତ୍ୱରେ ରହିଥିବା ବେଳେ ଅତିରିକ୍ତ ରାଜସ୍ୱ ନିରୀକ୍ଷକ ଓ ଅମିନ ପଦବୀ ସମ୍ପୂର୍ଣ୍ଣ ଫାଙ୍କା ରହିଛି । କେବଳ ଜଣେ ମାତ୍ର ପିଅନ ଡେରିକି ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟରେ ନିଯୁକ୍ତି ଅଛନ୍ତି । ହେଲେ ଉକ୍ତ ପିଅନ ଆସନ୍ତା ନଭେମ୍ବର ମାସରେ ଅବସର ଗ୍ରହଣ କରିବେ ବୋଲି ଜଣାଯାଇଛି ।
ସୂଚନା ମୁତାବକ ନାଉଗାଁ ତହସିଲ ଅଧିନସ୍ଥ ୧୬ଟି ପଂଚାୟତ ମଧ୍ୟରେ ଡେରିକି, ଶିଖର, ନାଉଗାଁ, ନୁଆପାରୀ ଓ ଜାମୁଗାଁ ଆଦି ୫ଟି ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ରହିଛି । ଡେରିକି ଓ ଶିଖର ରାଜସ୍ୱ କାର୍ଯ୍ୟାଳୟ ଦାୟିତ୍ୱରେ ରାଜସ୍ୱ ନିରୀକ୍ଷକ ଭାବେ ବିଶ୍ୱଭୂଷଣ ମହାପାତ୍ର ରହିଥିବା ବେଳେ ନାଉଗାଁ ଓ ଜାମୁଗାଁ ରାଜସ୍ୱ କାର୍ଯ୍ୟାଳୟ ଦାୟିତ୍ୱରେ ରାଜସ୍ୱ ନିରୀକ୍ଷକ ଭାବେ ପ୍ରଭାସ ସ୍ୱାଇଁ ଓ ନୁଆପରୀ ରାଜସ୍ୱ କାର୍ଯ୍ୟାଳୟ ଦାୟିତ୍ୱରେ ଜଣେ ମହିଳା ରାଜସ୍ୱ ନିରୀକ୍ଷିକା ଭାବେ ଅଛନ୍ତି । ରାଜସ୍ୱ ବିଭାଗରେ ରାଜସ୍ୱ ନିରୀକ୍ଷକଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ପଦବୀ ରହିଛି । ଗାଁ ଗାଁ ବୁଲି ଜମି ମାଲିକଙ୍କ ଠାରୁ ରାଜସ୍ୱ ଆଦାୟ କରିବା ସହିତ ବିଭିନ୍ନ ଜମିଜମା ମାମଲାର ଫଇସଲା କରିବା, ବିଭିନ୍ନ ପ୍ରମାଣ ପତ୍ର ପ୍ରଦାନ କରାଯିବା ପାଇଁ ତଦନ୍ତ କରିବା, ଏହା ସହିତ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କ୍ଷୟକ୍ଷତି ଆକଳନ ଆଦି କାର୍ଯ୍ୟ ତୁଲାଇଥାନ୍ତି । ତାଙ୍କୁ ଏସବୁ କାର୍ଯ୍ୟରେ ସହଯୋଗ କରିବା ପାଇଁ କାର୍ଯ୍ୟାଳୟରେ ଜଣେ ଅତିରିକ୍ତ ରାଜସ୍ୱ ନିରୀକ୍ଷକ, ଜଣେ ଅମିନ ଓ ଜଣେ ପିଅନ ପଦବୀ ରହିଛି । କିନ୍ତୁ ଏହି ତହସିଲ ଅଧିନରେ ୫ଜଣ ରାଜସ୍ୱ ନିରୀକ୍ଷକଙ୍କର ଆବଶ୍ୟକ ଥିବା ବେଳେ ମାତ୍ର ୩ ଜଣ ଦାୟିତ୍ୱ ତୁଲାଉଛନ୍ତି । ଏପରିକି ୫ ଜଣ ଅତିରିକ୍ତ ରାଜସ୍ୱ ନିରୀକ୍ଷକ ଓ ୫ ଜଣ ଅମିନଙ୍କର ଆବଶ୍ୟକ ରହିଥିବା ବେଳେ ଉକ୍ତ ପଦବୀ ଗୁଡିକ ଫାଙ୍କା ରହିଛି । ବିଭାଗୀୟ ଉଚ୍ଚ କତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ଉକ୍ତ କାର୍ଯ୍ୟାଳୟରେ ସମସ୍ତ ପଦବୀକୁ ତୁରନ୍ତ ପୂରଣ କରିବା ପାଇଁ ସାଧାରଣରେ ଦାବି ହେଉଛି ।


