ପି.ଏମ୍‌.ଏ.ୱାଇ ନିର୍ମାଣ ପାଇଁ ଟ୍ୟାଗ୍ ଅଫିସରଙ୍କ ପରିବାର ପେଟକୁ ମାଡ

ବନ୍ତ,(ଚାନ୍ଦିନୀ ମହାନ୍ତି) : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ ପାଇଁ ବ୍ଲକ କର୍ମଚାରୀ ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯୋଜନା ଗୁଡିକର ସଫଳ ରୂପାୟନ ପାଇଁ ବ୍ଲକ କର୍ମଚାରୀ ମାନେ ଖରାବର୍ଷାରେ ଜୀବନକୁ ବାଜି ଲଗାଇ କାର୍ଯ୍ୟ କରିଥାନ୍ତି । ସାଂପ୍ରତିକ କୋଭିଡ୍‌-୧୯ ପରିପେକ୍ଷୀରେ ସେମାନଙ୍କ ଦାୟୀତ୍ୱ ଏବଂ କାର୍ଯ୍ୟ ଚାପ ବହୁ ଗୁଣରେ ବଢି ଯାଇଛି । ସେମାନେ କୋଭିଡ୍ ପରିଚାଳନା କରିବା ସହିତ ଅନ୍ୟାନ୍ୟ ସରକାରୀ ଯୋଜନା ଗୁଡିକର ସଫଳ ରୂପାୟନ ପାଇଁ କାର୍ଯ୍ୟ କରିଛନ୍ତି । ପି.ଡି.ଏସ୍ ସାମଗ୍ରୀ ବଣ୍ଟନ, ଭତ୍ତା ବଣ୍ଟନ ସହିତ ପ୍ରଧାନମନ୍ତ୍ରୀ ଆବାସ ଗୃହ ନିର୍ମାଣ ଆଦି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକୁ ସେମାନେ ତ୍ୱରାନ୍ୱିତ କରାଉଛନ୍ତି । ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟ ଓ ପି.ଡି.ଏସ୍ ସାମଗ୍ରୀ ବଣ୍ଟନର ଦାୟୀତ୍ୱ ଅଧିକାରୀ ମାନଙ୍କ ନାମରେ ହେଉଥିବାରୁ ସେମାନେ ଚାପରେ ମଧ୍ୟ ରହି ଆସୁଛନ୍ତି । ଭଦ୍ରକ ଜିଲାର ୭ଟି ବ୍ଲକରେ ପି.ଏମ୍‌.ଏ.ୱାଇ ପାଇଁ ଟ୍ୟାଗ୍ ଅଫିସର ଭାବେ କାର୍ଯ୍ୟ କରୁଥିବା ଶତାଧିକ ଅଧିକାରୀ ଯଥା- ପି.ଇ.ଓ, ଜେଇ, ଜିଆରଏସ୍‌, ଏ.ଏଫ.ଇ.ଓ, ଏବିଡିଓ, ଏ.ଇ, ଆଇ.ଏନ୍‌.ଇ.ଓ ମାନେ ଖରାବର୍ଷାରେ ପି.ଏମ୍‌.ଏ.ୱାଇ ହିତାଧିକାରୀ ମାନଙ୍କ ଘରକୁ ଘର ବାରମ୍ବାର ଗ୍ରସ୍ତ କରି ଗୃହ ନିର୍ମାଣ କାର୍ଯ୍ୟ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ କରିବାକୁ ପ୍ରବର୍ତ୍ତାଇବା ସହିତ ନିବେଦନ ମଧ୍ୟ କର ଆସୁଛନ୍ତି । ସମସ୍ତ ବ୍ଲକର ବିଡିଓ, ଜିଲା ପ୍ରକଳ୍ପ ଅଧିକାରୀ, ଅତିରିକ୍ତ ଓ ସହକାରୀ ପ୍ରକଳ୍ପ ଅଧିକାରୀ ମାନେ ପି.ଏମ୍‌.ଏ.ୱାଇ ହିତାଧିକାରୀ ମାନଙ୍କ ଘରକୁ ଘର ଯାଇ ଧାର୍ଯ୍ୟ ସମୟ ମଧ୍ୟରେ ଗୃହ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ପ୍ରବର୍ତ୍ତାଉଛନ୍ତି । ଟ୍ୟାଗ୍ ଅଫିସର ଓ ଉଚ୍ଚ ପଦସ୍ଥ ଅଧିକାରୀ ମାନଙ୍କ ବାରମ୍ବାର ଗ୍ରସ୍ତ ଦ୍ୱାରା ନିର୍ମାଣ କାର୍ଯ୍ୟରେ ଅଗ୍ରଗତି ହୋଇଛି । କିନ୍ତୁ କୋଭିଡ୍ ମହାମାରୀ ପରିପେକ୍ଷୀରେ ପ୍ରତିକୂଳ ପାଗ, ଗ୍ରାମାଞ୍ଚଳ ମାନଙ୍କରେ ରାସ୍ତାର ଦୂରାବସ୍ଥା ପାଇଁ ଗୃହ ନିର୍ମାଣ ସାମଗ୍ରୀ ଆଣିବାରେ ଯଥେଷ୍ଟ ପ୍ରତିବନ୍ଧକ ଥିବା ପ୍ରଶାସନ ହୃଦୟଙ୍ଗମ କରିଛି । ଏହାଦ୍ୱାରା ଆଶାନୁରୂପ ଅଗ୍ରଗତି ହୋଇପାରି ନାହିଁ । ହିତାଧିକାରୀ ମାନଙ୍କ ସଞ୍ଚୟ ଖାତାକୁ ଟଙ୍କା ଯାଉଛି । ଗୃହ ନିର୍ମାଣ କରିବାକୁ ସେମାନଙ୍କ ଘରକୁ ଟ୍ୟାଗ୍ ଅଫିସର, ବିଡିଓ, ପି.ଡି ବାରମ୍ବାର ଗ୍ରସ୍ତ କରୁଛନ୍ତି । ହେଲେ ନିର୍ମାଣ କାର୍ଯ୍ୟ ଆଶାନୁରୂପ ହୋଇପାରୁନଥିବା ଦର୍ଶାଇ ଜିଲାର ୭ଟି ବ୍ଲକର ଶତାଧିକ ଟ୍ୟାଗ୍ ଅଫିସର ମାନଙ୍କ ଦରମା ବନ୍ଦ ରଖିବା ପାଇଁ ଜିଲା ପ୍ରଶାସନ ସମସ୍ତ ବିଡିଓ ମାନଙ୍କୁ ନିର୍ଦ୍ଦେଶ ହୋଇଛି । ବନ୍ତ ବ୍ଲକରେ ୨୨ ଜଣ ଟ୍ୟାଗ୍ ଅଫିସରଙ୍କ ଦରମା ବନ୍ଦ ରଖିବାକୁ ଜିଲା ପ୍ରଶାସନ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି । ଟ୍ୟାଗ୍ ଅଫିସର ମାନେ ବାରମ୍ବାର ଗ୍ରସ୍ତ କରି ଏପରିକି ସମସ୍ତ ସରକାରୀ ଛୁଟି ଦିନ ଗୁଡିକରେ ଉକ୍ତ ଗ୍ରସ୍ତ କାର୍ଯ୍ୟ ଜାରି ରଖିଥିଲେ । କୋଭିଡ୍ ମହାମାରୀ ଓ ଦଶହରା ପାଇଁ ସରକାରୀ କର୍ମଚାରୀ ମାନଙ୍କୁ ଅଗ୍ରୀମ ଦେବା ପାଇଁ ସରକାର ଆର୍ଥିକ ବ୍ୟବସ୍ଥା କରିଥିବା ବେଳେ ପି.ଏମ୍‌.ଏ.ୱାଇ ହିତାଧିକାରୀ ମାନଙ୍କ ନିର୍ମାଣ କାର୍ଯ୍ୟରେ ମନ୍ଥରତା ପାଇଁ ଜିଲା ପ୍ରଶାସନ ତମାମ ଟ୍ୟାଗ୍ ଅଫିସର ମାନଙ୍କ ପୂଜା ସମୟରେ ଦରମା ବନ୍ଦ ରଖିବା ସହିତ ବିଭାଗୀୟ ଶୃଂଖଳାଗତ କାର୍ଯ୍ୟାନୁଷ୍ଠାନ ନେବା ନିଷ୍ପତ୍ତି ସରକାରଙ୍କ ଆଭିମୁଖ୍ୟକୁ ଅସ୍ପଷ୍ଟ କରିବା ସହିତ କର୍ମଚାରୀଙ୍କ ପରିବାର ପେଟକୁ ମାଡ ମାରିବା ସଦୃଶ ହୋଇଛି । ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ