ସାମାଜିକ ବିକାଶ ପ୍ରତି ଗୁରୁତ୍ୱ ଦେଉ ‘ବିଶ୍ୱ ଓଡ଼ିଶା’ : ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ଓଡ଼ିଶା ବିଧାନସଭା ପରିସରରେ ଅନୁଷ୍ଠିତ ‘ବିଶ୍ୱ ଓଡ଼ିଶା’ ରାଜ୍ୟ କାର୍ଯ୍ୟକାରିଣୀ ପରିଷଦର ଏକ ବିଶେଷ ବୈଠକରେ ବିଶ୍ୱ ଓଡ଼ିଶା ସାମାଜିକ ବିକାଶ ପ୍ରତି ଗୁରୁତ୍ୱ ଦେଉ ବୋଲି ମତବ୍ୟକ୍ତ କରିଛନ୍ତି ‘ବିଶ୍ୱ ଓଡ଼ିଶା’ର ସଭାପତି ତଥା ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ।‘ବିଶ୍ୱ ଓଡ଼ିଶା’ ସମଧର୍ମୀ ଅନେକ ଅନୁଷ୍ଠାନ ଓଡ଼ିଆ ସମ୍ମାନ, ସ୍ୱାଭିମାନ, ଆବେଗ ନେଇ ରାଜ୍ୟ ତଥା ରାଜ୍ୟ ବାହାରେ ଜାତୀୟ ଓ ଆନ୍ତର୍ଜାତୀୟସ୍ତରରେ କାର୍ଯ୍ୟ କରୁଥିଲେ ସୁଦ୍ଧା ‘ବିଶ୍ୱ ଓଡ଼ିଶା’ ସମସ୍ତଙ୍କ ଠାରୁ ଭିନ୍ନ ହେଉ ଏବଂ ସାମାଜିକ ବିକାଶ ପ୍ରତି ଗୁରୁତ୍ୱ ଦେଇ ଓଡ଼ିଶାର ସାମଗ୍ରିକ ବିକାଶର ଏକ କାର୍ଯ୍ୟବାହୀ ହେଉ ବୋଲି ଡ. ପାତ୍ର ତାଙ୍କର ସଭାପତିତ୍ୱ ପରାମର୍ଶ ଦେଇଥିଲେ ।‘ବିଶ୍ୱ ଓଡ଼ିଶା’ ଯେଉଁ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ ବିଶ୍ୱବ୍ୟାପୀ ଓଡ଼ିଆ ଜାତୀୟତା ଜାଗରଣ ବାର୍ତ୍ତା ବହନ କରି ଏକ ଅଭିଯାନ ଆରମ୍ଭ କରିଛି ସେଥିପ୍ରତି ପ୍ରଶଂସା କରି ବିଶ୍ୱବ୍ୟାପୀ ବିସ୍ତାରିତ ହୋଇ ରହିଥିବା ଓଡ଼ିଆ ଭାଇଭଉଣୀଙ୍କୁ ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ ଆଗେଇ ଆସନ୍ତୁ ବୋଲି ଆହ୍ୱାନ ଦେଇଥିଲେ । ବିଶେଷତଃ ଦିଲ୍ଲୀ, ବାଙ୍ଗାଲୋର, ଚେନ୍ନାଇ, ମୁମ୍ବାଇ, ସୁରତ, କଲିକତା ଆଦି ମହାନଗର ମାନଙ୍କରେ ଗଢି ଉଠିଥିବା ଓଡ଼ିଆ ଅନୁଷ୍ଠାନମାନଙ୍କୁ ପ୍ରଶଂସା କରି ସେମାନଙ୍କ ସହିତ ସମନ୍ୱୟ ରକ୍ଷା କରି ‘ବିଶ୍ୱ ଓଡ଼ିଶା’ କାର୍ଯ୍ୟ କରିବ ବୋଲି କର୍ମକର୍ତ୍ତାମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଦେଶରେ ଆମେରିକା, କାନାଡ଼ା, ଲଣ୍ଡନ, ବାହାରିନ୍, ମିଆଁମାର, ସାଉଦିଆରବ ଆଦି ଦେଶମାନଙ୍କରେ କେତେକ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ନିଜ ନିଜ ସ୍ତରରେ ଓଡ଼ିଶା ପାଇଁ ଚିନ୍ତା କରୁଛନ୍ତି । ସେମାନଙ୍କୁ ଓଡ଼ିଶାର ସାମଗ୍ରିକ ବିକାଶ, ବିଶେଷତଃ କୃଷି, କୁଟୀର ଶିଳ୍ପ, ଗ୍ରାମୀଣ ପର୍ଯ୍ୟଟନ ଆଦିରେ ସଂଯୋଗ କରିବା ପାଇଁ ‘ବିଶ୍ୱ ଓଡ଼ିଶା’ କାର୍ଯ୍ୟ କରିବ ବୋଲି ଡ. ପାତ୍ର ମତାମତ ଦେଇଥିଲେ । ବିଶ୍ୱ ଓଡ଼ିଶାର ଏକ ଆନ୍ତର୍ଜାତିକ ଅଧିବେଶନ ଭୁବନେଶ୍ୱରଠାରେ ଆସନ୍ତା ମାର୍ଚ୍ଚ ମାସରେ ବିଭିନ୍ନ ଦେଶ ଓ ରାଜ୍ୟର ପ୍ରତିନିଧିମାନଙ୍କୁ ନେଇ ହେବା ପାଇଁ ନିଷ୍ପତ୍ତି ନିଆଯିବା ସହିତ ପ୍ରବାସୀ ସ୍ଥାନାନ୍ତରିତ ଶ୍ରମିକ ତଥା କର୍ମଜୀବୀ ମାନଙ୍କର ଅନ୍ଲାଇନ୍ ତାଲିକା ପ୍ରସ୍ତୁତ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଏଥିରେ ଆବାହକ ଭାବରେ ଖ୍ୟାତିସମ୍ପନ୍ନ ସାମ୍ବାଦିକ କିଶୋର ଦ୍ୱିବେଦୀ, ବାହାରିନ ଓଡ଼ିଆ ସମାଜ ପ୍ରତିଷ୍ଠାତା ସଭାପତି ଡ. ଅରୁଣ ପ୍ରହରାଜ, କାଡ଼ାନାରେ ଅବସ୍ଥାପିତ ପ୍ରଫେସର ଡ. ତନ୍ମୟ ପଣ୍ଡା ପ୍ରମୁଖଙ୍କୁ ଗ୍ରହଣ କରାଗଲା । ଏଥିସହିତ ବିଭିନ୍ନ ରାଜ୍ୟରେ ତଥା ଦେଶରେ ଏହାର ଶାଖା ଗଠନ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ବୈଠକରେ ବିଶ୍ୱ ଓଡ଼ିଶାର ମୁଖ୍ୟ ସଂଯୋଜକ ଆଡ଼ଭୋକେଟ ମନୋରଞ୍ଜନ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି କବି ବାହାଦୂର ପାଟସାହାଣୀ, ସାଧାରଣ ସମ୍ପାଦକ ମନୋଜ ମନ୍ମୟ, ସଂଯୋଜକ ସରୋଜ ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ ।