ବିଭିନ୍ନ ସ୍ଥାନରେ “ଗ୍ଲୋବାଲ ଆୟୋଡିନ” ଖାଦ୍ୟ ସାରର ଅବ୍ୟବସ୍ଥା ନିରୋଧ ଦିବସ ପାଳିତ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗ୍ଲୋବାଲ ଆୟୋଡିନ ଖାଦ୍ୟ ସାର ଅବ୍ୟବସ୍ଥା ନିରୋଧ ଦିବସ ପାଳନ ଅବସରରେ ଜିଲ୍ଲାର ନୂଆଗଡ ସ୍ଥିତ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଠାରେ ଏବଂ ପାରଳାଖେମୁଣ୍ଡି ସ୍ଥିତ ସିଡିଏମ୍ଓଙ୍କ କାର୍ଯ୍ୟାଳୟ ପରିସରରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ଖଜୁରିପଦା ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ନୂଆଗଡ ସ୍ଥିତ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆୟୋଡିନ ଯୁକ୍ତ ଲୁଣ ବ୍ୟବହାର ଓ ତାର ଉପାଦେୟତା ଉପରେ ଆଶା ଓ ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ସଚେତନ କରାଯାଇଥିଲା । ସ୍ୱାସ୍ଥ୍ୟ କେନ୍ଦ୍ରର ଗୋଷ୍ଠି ଜନ ସ୍ୱାସ୍ଥ୍ୟ ସମ୍ପସାରଣ ଅଧିକାରୀ ମମତା ପାଢୀ କାର୍ଯ୍ୟକ୍ରମକୁ ପରିଚାଳନା କରି ଆୟୋଡିନ ଯୁକ୍ତ ଲୁଣର ଗୁଣବତ୍ତା ଓ ତାର ଉପାଦେୟତା, ଲୁଣ ପରୀକ୍ଷା କୀଟ ମାଧ୍ୟମରେ ଆୟୋଡିନ ଯୁକ୍ତ ଲୁଣର ପରୀକ୍ଷା କରି ତାକୁ କିଭଳି ଚିହ୍ନିବେ ସେ ଉପରେ ଉପସ୍ଥିତ ଆଶା ଓ ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ବୁଝାଇ ଦଉଜଣ ଆଶାକର୍ମୀ ରଶ୍ମିତା ସିଂ ଓ ବିଜୟଲକ୍ଷ୍ମୀ ସିଂଙ୍କ ସହଯୋଗରେ ନମୁନା ପରୀକ୍ଷା ପ୍ରଦର୍ଶନ ଦେଖାଇଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରର କର୍ମଚାରୀ ତୁଷାର ନାୟକ ସ୍ୱାସ୍ଥ୍ୟ କର୍ମୀ ବି.ଅରୁଣା ଏବଂ ମୋହିନୀ ସାମଲ ପ୍ରମୁଖ ଆଶାକର୍ମୀ ମାନଙ୍କ ସହଯୋଗରେ ଗ୍ରାମବାସୀ ମାନଙ୍କୁ ଆୟୋଡିନ ଯୁକ୍ତ ଲୁଣ ବ୍ୟବହାର ତାର ଉପକାରୀତା ଓ ଅପକାରିତା ଉପରେ ବୁଝାଇ ସଚେତନ କରାଇଥିଲେ । ସେହିଭଳି ପାରଳାଖେମୁଣ୍ଡି ସ୍ଥିତ ସିଡିଏମ୍ଓଙ୍କ କାର୍ଯ୍ୟାଳୟର ଭି.ସି. ହଲ ଠାରେ ଗ୍ଲୋବାଲ ଆୟୋଡିନ ଖାଦ୍ୟସାର ଅବ୍ୟବସ୍ଥା ନିରୋଧ ଦିବସ ଉପରେ ଏକ ଭରଚୁଆଲ ଜୁମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସିଡିଏମ୍ଓ ଡାକ୍ତର ପ୍ରଦୀପ କୁମାର ପାତ୍ର, ଡିପିଏମ୍ ସୌମ୍ୟରାଣୀ ଗୌଡ, ଜିଲ୍ଲା ଜନସ୍ୱାସ୍ଥ୍ୟ ଓ ମ୍ୟାଲେରିଆ ଅଧିକାରୀ ଡାକ୍ତର ମହମ୍ମଦ ମୁବାରକ ଅଲ୍ଲୀ ଏବଂ ଜିଲ୍ଲା ସମନ୍ୱିତ ରୋଗ ନିରୀକ୍ଷଣ ପ୍ରକଳ୍ପର ମ୍ୟାନେଜର ତୁଷାର କାନ୍ତ ପଟ୍ଟନାୟକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଏ ସମ୍ପର୍କରେ ଅଧିକ ସୂଚନା ଦେଇ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅଲ୍ଲୀ କହିଥିଲେ ଯେ ଜନସାଧାରଣଙ୍କୁ ଆୟୋଡିନ ଯୁକ୍ତ ଲୁଣର ବ୍ୟବହାର ଉପରେ ସବୁ ସ୍ତରରେ ସଚେତନ କରାଇବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ । ଏହାର ବ୍ୟବହାର ଦ୍ୱାରା ଲୁଣର ଅଭାବ ଜନିତ ରୋଗ ଦେଖାଦେବ ନାହିଁ । ପ୍ରତିଦିନ ଏହି ଆୟୋଡିନ ଯୁକ୍ତ ଲୁଣ ଖାଦ୍ୟରେ ଖାଇଲେ ପିଲାଙ୍କ ମାନସିକ ଓ ବୈଦ୍ଧିକ ବିକାଶରେ ଏହା ବିଶେଷ ସହାୟକ ହୋଇଥାଏ । ଗର୍ଭ ଅବସ୍ଥାରେ ମଧ୍ୟ ଏହାର ବ୍ୟବହାର ଦ୍ୱାରା ଜନ୍ମିତ ଶିଶୁର ମାନସିକ ଓ ଶାରୀରିକ ଅଭିବୃଦ୍ଧି ହୋଇଥାଏ । ତେଣୁ ଆୟୋଡିନ ଯୁକ୍ତ ଲୁଣ ଖାଦ୍ୟରେ ବ୍ୟବହାର କରନ୍ତୁ ଓ ଏକ ସୁସ୍ଥ ସମାଜ ଗଠନରେ ସହାୟକ ହୁଅନ୍ତୁ ବୋଲି କହିଥିଲେ ।


