ନିରାଡମ୍ବର ଭାବରେ ମାଁ ମାଣିକେଶ୍ୱରୀଙ୍କ ଲାଖମରା ଯାତ୍ରା ପାଳିତ
କଳାହାଣ୍ଡି,(ଓ୍ବାଇଏନ୍ଏସ୍):କଳାହାଣ୍ଡିର ଇଷ୍ଟଦେବୀ ମାଁ ମାଣିକେଶ୍ୱରୀଙ୍କ ଲାଖମରା ଯାତ୍ରା ନିରାଡମ୍ବର ଭାବରେ କୋଭିଡ କଟକଣା ମଧ୍ୟରେ ପାଳିତ ହୋଇଯାଇଛି । ମାଁ ଙ୍କ ଛତରଯାତ୍ରା ପରେ ବିଜୟାଦଶମୀ ତିଥିରେ ଲାଖମରା ଯାତ୍ରା ନିମନ୍ତେ ଅପରାହ୍ନ ପ୍ରାୟ ୩ଟା ୩୦ ସମୟରେ କୋଭିଡ କଟକଣା ମଧ୍ୟରେ ଦେବୀଙ୍କ ବିଜୟ ପ୍ରତିମା ଛତରକୁ ପୁଣିଥରେ ମାଣିକେଶ୍ୱରୀ ମନ୍ଦିରରୁ ବହାରକରି ସହରର ପଶ୍ଚିମ ଉପକଣ୍ଠରେ ପ୍ରାୟ ତିନି କିଲୋମିଟର ଦୂରରେ ଥିବା ନକ୍ଟିଗୁଡାସ୍ଥିତ ଲାଖମରା ପଡିଆକୁ ନିଆଯାଇଥିଲା । କମ ସଂଖ୍ୟକ ସେବାୟତ ମଧ୍ୟରେ ସେଠାରେ ଥିବା ମାଁଙ୍କ ମନ୍ଦିରରେ ଛତରକୁ ସ୍ଥାପନ କରାଯାଇ ପରମ୍ପରା ଅନୁସାରେ ପୂଜାର୍ଚନା କରାଯାଇଥିଲା ।ପରେ କଳାହାଣ୍ଡି ରାଜା ଅନନ୍ତ ପ୍ରତାପ ଦେଓ ଓ ଯୁବରାଜ ଅର୍କ କେଶରୀ ଦେଓ ଆସି ପୂଜାଚ୍ଚନା କରିସାରିବା ପରେ ଲାଖବିନ୍ଧା ପର୍ବ ଅନୁଷ୍ଠିତ ହୋଇଥିଲା । ଏଥିରେ ଏକ ଛୋଟ ହାଣ୍ଡିରେ ଲାଖ ଭର୍ତ୍ତିକରି ପ୍ରାୟ ୫୦ ମିଟର ଉଚ୍ଚରେ ଏକ ବାଉଁଶରେ ବନ୍ଦାଯାଇଥାଏ । ଏହାକୁ ଲକ୍ଷ୍ୟକରି ବନ୍ଧୁକରେ ମାରିବାର ପରମ୍ପରା ରହିଛି । ବିଗତ ବର୍ଷ ମାନଙ୍କରେ ଲାଖବିନ୍ଧାରେ ପ୍ରଥମେ ରାଜପରିବାର ପକ୍ଷରୁ ଶୁଭାରମ୍ଭ କରିବା ପରେ ସାଧାରଣ ଜନତା ଅଂଶଗ୍ରହଣ କରିଥାନ୍ତି । ଏଥର କିନ୍ତୁ ଯୁବରାଜ ଅର୍କ କେଶରୀ ଦେଓ ଲାଖ ବିନ୍ଧି ଥିଲେ । କୋଭିଡ କଟକଣା ଶେଷରେ ମାଁଙ୍କ ଛତର ପୁଣିଥରେ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲା ।


