ମାନବ ମହାକାଶ ଅଭିଯାନ ଲାଗି ଇସ୍ରୋକୁ ପ୍ରଯୁକ୍ତି ସହାୟତା ଯୋଗାଇ ଦେବ ଡିଆରଡିଓ

ମାନବ ମହାକାଶ ଯାନ ସାମର୍ଥ୍ୟ ପ୍ରଦର୍ଶନ କରିବା ଉଦ୍ଦେଶ୍ୟରେ ମହାକାଶକୁ ମଣିଷ ପଠାଇବା ଅଭିଯାନ ଲାଗି ମାନବ କୈନ୍ଦ୍ରିକ ବ୍ୟବସ୍ଥାର ବିକାଶ ଉଦ୍ଦେଶ୍ୟରେ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଏବଂ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ମାନବ ମହାକାଶ ଯାନ କେନ୍ଦ୍ର (ଏଚଏସଏଫସି)ର ନିର୍ଦ୍ଦେଶକ ଡ. ଏସ ୟୁନ୍ନିକ୍ରିଷ୍ଣନ ନାୟାରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଡିଆରଡିଓର ବିଭିନ୍ନ ଗବେଷଣାଗାର ସହିତ ଏକାଧିକ ଏମଓୟୁ ସ୍ୱାକ୍ଷର କରିଥିଲେ । ଏହି ଚୁକ୍ତି ଫଳରେ ଡିଆରଡିଓ ପକ୍ଷରୁ ଇସ୍ରୋକୁ ମାନବ କୈନ୍ଦ୍ରିକ ବ୍ୟବସ୍ଥା ଏବଂ ମାନବ ମହାକାଶ ଅଭିଯାନ ସଂକ୍ରାନ୍ତ ସ୍ୱତନ୍ତ୍ର ପ୍ରଯୁକ୍ତି ଯୋଗାଣ ସମ୍ଭବ ହୋଇପାରିବ । ପ୍ରତିରକ୍ଷା ଗବେଷଣା ଓ ବିକାଶ ବିଭାଗର ସଚିବ ତଥା ଡିଆରଡିଓର ଅଧ୍ୟକ୍ଷ ଡ. ଜି ସତୀଶ ରେଡ୍ଡୀ ଏବଂ ବୈଜ୍ଞାନିକ ତଥା ଜୀବ ବିଜ୍ଞାନ ମହାନିର୍ଦ୍ଦେଶକ ଡ. ଏ. କେ. ସିଂ ଙ୍କ ଉପସ୍ଥିତିରେ ଏରିଏଲ ଡେଲିଭରୀ ରିସର୍ଚ୍ଚ ଆଣ୍ଡ ଡେଭଲପମେଂଟ ଏଷ୍ଟାବ୍ଲିଶମେଂଟ (ଏଡିଆରଡିଇ), ଡିଫେନ୍ସ ଫୁଡ ରିସର୍ଚ୍ଚ ଲାବୋରୋଟୋରୀ (ଡିଏଫଆରଏଲ), ଡିଫେନ୍ସ ବାୟୋ ଇଞ୍ଜିନିଅରିଂ ଆଣ୍ଡ ଇଲେକ୍ଟ୍ରୋ ମେଡ଼ିକାଲ ଲାବୋରୋଟୋରୀ (ଡିଇବିଇଏଲ), ଡିଫେନ୍ସ ଲ୍ୟାବ ଯୋଧପୁର, ସେଂଟର ଫର ଫାୟାର, ଏକ୍ସପ୍ଲୋସିଭ ଆଣ୍ଡ ଏନଭାଇରନ ସେଫ୍ଟି (ସିଏଫଇଇଏସ), ଡିଫେନ୍ସ ଇନଷ୍ଟିଚ୍ୟୁଟ ଅଫ ଫିଜିଓଲୋଜି ଆଣ୍ଡ ଆଲାଏଡ ସାଇନ୍ସ (ଡିଆଇପିଏଏସ) ଏବଂ ଇନଷ୍ଟିଚ୍ୟୁଟ ଅଫ ନ୍ୟୁକ୍ଲିଅର ମେଡ଼ିସିନ ଆଣ୍ଡ ଆଲାଏଡ ସାଇନ୍ସ (ଆଇଏନଏମଏଏସ)ର ନିର୍ଦ୍ଦେଶକମାନେ ଏହି ଚୁକ୍ତିରେ ସ୍ୱାକ୍ଷର କରିଥିଲେ । ଏହି ଅବସରରେ ଡିଆରଡିଓ ଅଧ୍ୟକ୍ଷ ଡ. ଜି ସତୀଶ ରେଡ୍ଡୀ କହିଥିଲେ ଯେ ପ୍ରତିରକ୍ଷା ପ୍ରୟୋଗ ଉଦ୍ଦେଶ୍ୟରେ ଡିଆରଡିଓ ଗବେଷଣାଗାର ନିକଟରେ ରହିଥିବା ପ୍ରଯୁକ୍ତିଭିତିକ ସାମର୍ଥ୍ୟକୁ ଇସ୍ରୋର ମାନବ ମହାକାଶ ମିଶନ ଅନୁକୂଳ କରାଯାଇ ଉପଯୋଗ କରାଯିବ । ମହାକାଶ ଖାଦ୍ୟ, ମହାକାଶଚାରୀଙ୍କ ସ୍ୱାସ୍ଥ୍ୟ ଅନୁଧ୍ୟାନ ଏବଂ ଜୀବନରକ୍ଷା ଉପକରଣ, ବିକିରଣ ମାପନ ଏବଂ ସୁରକ୍ଷା, ମହାକାଶଚାରୀ ଓ ଅନ୍ୟମାନଙ୍କ ନିରାପତା ପାଇଁ ପାରାଚ୍ୟୁଟ ଆଦି ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତି ଡିଆରଡିଓ ପକ୍ଷରୁ ଇସ୍ରୋକୁ ଯୋଗାଇ ଦିଆଯିବ । ଜୀବ ବିଜ୍ଞାନ ମହାନିର୍ଦ୍ଦେଶକ ଡ. ଏକେ. ସିଂ କହିଥିଲେ ଯେ ମାନବ ମହାକାଶ ଯାନ ପାଇଁ ଡିଆରଡିଓ ପକ୍ଷରୁ ସମସ୍ତ ଆବଶ୍ୟକ ସହାୟତା ଇସ୍ରୋକୁ ଯୋଗାଇ ଦିଆଯିବ । ନିର୍ଦ୍ଧାରିତ ସମୟରେ ସମସ୍ତ ସହାୟତା ଲାଗି ପ୍ରଯୁକ୍ତିକୁ ମହାକାଶ ଯାତ୍ରୀଙ୍କ ଉପଯୋଗ ଅନୁକୂଳ କରିବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇସାରିଲାଣି । ୨୦୨୨ରେ ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତି ପୂର୍ବରୁ ନିଜର ମାନବ ମହକାଶ ଅଭିଯାନ ପୂରଣ କରିବା ଲାଗି ଇସ୍ରୋ ଲକ୍ଷ୍ୟ ରଖିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ