‘ମଞ୍ଜରୀ’ରେ ନୂଆ ମେଗା ଧାରାବାହିକ ‘ସିଂହଦ୍ୱାର’

ନୂଆଦିଲ୍ଲୀ: ସିଂହଦ୍ୱାର ସେପାଖେ ଦେବତା, ଆଉ ଏ ପାଖରେ ମଣିଷଙ୍କ ଭିଡ଼। ଏପାଖରେ ଗହଳଚହଳ, ଆର ପାଖେ ସବୁ ଶାନ୍ତ, ନିରବ ନିଶ୍ଚଳ। କେତେ ମାନସିକ ନେଇ ମଣିଷ ଦେବତାଙ୍କ ପାଖକୁ ଧାଇଁ ଯାଏ। ହେଲେ ତା’ର ସବୁ ମନସ୍କାମନା କ’ଣ ପୂରଣ ହୁଏ? ସବୁ କପାଳରେ କ’ଣ ସୁଖ ଲେଖାଥାଏ? ଏମିତି ଅସମାହିତ ପ୍ରଶ୍ନ ମଣିଷ ମନରେ ଉଙ୍କିମାରେ। ଉତ୍ତର ମିଳୁ ବା ନ ମିଳୁ, ତଥାପି ସେ ଦେବତାଙ୍କ ପାଦ ତଳେ ମଥା ପାତେ ଓ ମନେମନେ କୁହେ ‘ସାହା କେବଳ ସିଂହଦ୍ବାର’। ମଞ୍ଜରୀରେ ୩୧ ଅକ୍ଟୋବରରୁ ଆରମ୍ଭ ହେବାକୁ ଯାଉଛି ଏହିଭଳି ଏକ କଥାବସ୍ତୁ ଆଧାରିତ ନୂଆ ମେଗା ଧାରାବାହିକ ‘ସିଂହଦ୍ବାର’। ଏହି ଧାରାବାହିକର କାହାଣୀର ଚରିତ୍ରମାନଙ୍କ ଭିତରେ କେଉଁଠି ନା କେଉଁଠି ଆପଣ ନିଜକୁ ଖୋଜି ପାଇବେ । ଯାତ୍ରା କଳାକାର ନୀଳାମ୍ବର ମହାପାତ୍ରଙ୍କ ଝିଅ କସ୍ତୁରୀର ବାହାଘର ସହରର ଜଣେ ସଂଭ୍ରାନ୍ତ ପରିବାରରେ ଠିକ୍‌ ହୁଏ। ମାତ୍ର ବାହାଘର ଦିନ ସଡ଼କ ଦୁର୍ଘଟଣାରେ ବରର ମୃତ୍ୟୁ ହୋଇଯାଏ। ଏ ଘଟଣା କସ୍ତୁରୀର ବାପା ମା’ଙ୍କୁ ଦୋହଲାଇ ଦିଏ। କିଛି ଉପାୟ ନପାଇ ନିଜ ବାପା ମା’ଙ୍କ ଜୀବନ ବଞ୍ଚାଇବା ପାଇଁ କସ୍ତୁରୀ ତା’ର ସାଙ୍ଗ ତଥା ସେଠାକାର ଜମିଦାର ଶ୍ରୀପତି ପାଇକରାୟଙ୍କ ପୁଅ ଶୋଭନକୁ ମିଛ ବାହାଘରର ଅଭିନୟ କରିବାକୁ ଅନୁରୋଧ କରେ। ହେଲେ ଶୋଭନ କ’ଣ କସ୍ତୁରୀ କଥାରେ ରାଜି ହୁଏ? ଯଦି ରାଜି ହୁଏ, ତେବେ ଜମିଦାର ଶ୍ରୀପତି ପାଇକରାୟ କ’ଣ ଜଣେ ଯାତ୍ରା କଳାକାରର ଝିଅକୁ ନିଜ ବୋହୂ ଭାବେ ଗ୍ରହଣ କରିବେ? ଏ ସବୁ ପ୍ରଶ୍ନର ଉତ୍ତର ଦେବ ଧାରାବାହିକ ‘ସିଂହଦ୍ବାର’। ପ୍ରଥମଥର ପାଇଁ ଯାତ୍ରା ଦୁନିଆର ଦୁଇ ମହାରଥୀ ଦଇତାରୀ ପଣ୍ଡା ଓ ରାଈମୋହନ ପରିଡ଼ାଙ୍କୁ ଏକାଠି ଏହି ଧାରାବାହିକରେ ଦେଖିବାକୁ ମିଳିବ। ନିକିତା, ଶ୍ରୀଜିତ ମୁଖ୍ୟ ଭୂମିକାରେ ଥିବା ବେଳେ ଧରିତ୍ରୀ ଖଣ୍ଡୁଆଳ, ଜଗା ପଣ୍ଡା, ବିଜୟିନୀ ମିଶ୍ର, ଅମୂଲ୍ୟ ରତ୍ନଙ୍କୁ ବିଭିନ୍ନ ଚରିତ୍ରରେ ଦେଖିବାକୁ ମିଳିବ। ପ୍ରଯୋଜକ ରୋହିତ ଗାନ୍ଧୀ ନୟନ୍ତିକା ଷ୍ଟୁଡିଓ ବ୍ୟାନରରେ ଏହି ଧାରାବାହିକଟି ଆଣିବାକୁ ଯାଉଥିବା ବେଳେ ନିର୍ଦେଶନାରେ ଅଛନ୍ତି ପ୍ରଦୀପ କୁମାର ଦାସ। କାହାଣୀ ଓ ଶୀର୍ଷକ ଗୀତ ଲେଖିଛନ୍ତି ପ୍ରଦୀପ୍ତ ନନ୍ଦ। ଶୀର୍ଷକ ଗୀତ ଗାଇଛନ୍ତି ରତିକାନ୍ତ ଶତପଥୀ । ଧାରାବାହିକଟି ୩୧ ତାରିଖରୁ ପ୍ରତି‌ ସୋମବାରରୁ ଶନିବାର ରାତି ୮ଟାରେ ପ୍ରସାରିତ ହେବ। ଏହି ସମୟରେ ପ୍ରସାରଣ ହେଉଥିବା ମେଗା ଧାରବାହିକ ‘ବୋହୂ ଆମର ଏନ୍‌ଆର୍‌ଆଇ’ ରାତି ୮ଟା ପରିବର୍ତେ ସାଢ଼େ ୮ଟାରେ ପ୍ରସାରଣ ହେବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ