ଶ୍ରଦ୍ଧା ଓ ସାରାଙ୍କୁ ପଛରେ ପକାଇଲେ କିୟାରା
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କିୟାରା ଆଡଭାନୀଙ୍କ ଫିଲ୍ମି କ୍ୟାରିୟରର ଗାଡ଼ି ଏବେ ଦ୍ରୁତ ବେଗରେ ଆଗକୁ ବଢ଼ିବାରେ ଲାଗିଛି । ବ୍ଲକବଷ୍ଟର୍ ଫିଲ୍ମ “କବୀର୍ ସିଂହ’ରେ ଜବରଦସ୍ତ ଅଭିନୟ ପରେ ତାଙ୍କୁ ଅଫର୍ ପରେ ଅଫର୍ ମିଳୁଛି । ତାଙ୍କ ହାତରେ ଏବେ ୩ଟି ଫିଲ୍ମ ରହିଛି । ସେ “ଖିଲାଡ଼ୀ କୁମାର’ ଅକ୍ଷୟଙ୍କ ସହ ୨ଟି ଫିଲ୍ମ “ଲକ୍ଷ୍ମୀ ବମ୍’ ଓ “ଗୁଡ୍ ନ୍ୟୁଜ୍’ ସାଇନ୍ କରିଛନ୍ତି । ଏଥିସହ ସିଦ୍ଧାର୍ଥ ମାଲହୋତ୍ରାଙ୍କ ଫିଲ୍ମ “ଶେରଶାହ’ରେ ମଧ୍ୟ ତାଙ୍କୁ ଲିଡ୍ ରୋଲରେ ଦେଖିବାକୁ ମିଳିବ । “ଲକ୍ଷ୍ମୀ ବମ୍’ ଓ “ଶେରଶାହ’ର ଶୁଟିଂ ମଧ୍ୟ ଆରମ୍ଭ ହାଇଗଲାଣି । ଆଉ ସଦ୍ୟ ଖବର ଅନୁଯାୟୀ, କିୟାରା “ଭୁଲ୍ ଭୁଲେୟା-୨’ରେ କାର୍ତ୍ତିକ ଆର୍ଯ୍ୟନଙ୍କ ବିପକ୍ଷରେ ଲିଡ୍ ରୋଲରେ ଅଭିନୟ କରିବେ । “ଭୁଲ୍ ଭୁଲେୟା-୨’ ହେଉଛି ୨୦୦୭ରେ ଆସିଥିବା ଅକ୍ଷୟ କୁମାରଙ୍କ ଫିଲ୍ମ “ଭୁଲ୍ ଭୁଲେୟା’ର ସିକ୍ୱଲେ୍ । ପ୍ରଥମେ ଏହି ଫିଲ୍ମ ପାଇଁ ସାରା ଅଲ୍ଲୀ ଖାନ୍ ଓ ଶ୍ରଦ୍ଧା କପୁରଙ୍କ ନାଁକୁ ନେଇ ଚର୍ଚ୍ଚାରେ ଥିଲା । ହେଲେ ଏ ଦୁହିଁଙ୍କୁ ପଛରେ ପକାଇ କିୟାରା ବାଜି ମାରି ନେଇଛନ୍ତି । “ଭୁଲ୍ ଭୁଲେୟା-୨’ର ୩ଟି ପୋଷ୍ଟର୍ ରିଲିଜ୍ ହୋଇସାରିଛି । ଏଥିରେ କାର୍ତ୍ତିକ ଆର୍ଯ୍ୟନଙ୍କ ଲୁକ୍ ଏକଦମ୍ ସେହିଭଳି ରହିଛି, ଯେଉଁଭଳି “ଭୁଲ ଭୁଲେୟା’ରେ ଅକ୍ଷୟ କୁମାରଙ୍କର ଥିଲା । “ଭୁଲ୍ ଭୁଲେୟା’ ଦର୍ଶକଙ୍କୁ କାର୍ତ୍ତିକ୍ଙ୍କ ଲୁକ୍ ବେଶ୍ ପସନ୍ଦ ଆସୁଛି । ଚର୍ଚ୍ଚା ହେଉଛି, “ଭୁଲ୍ ଭୁଲେୟା’ର ସିକ୍ୱେଲର ଅକ୍ଷୟ ଏକ ବିଶେଷ ରୋଲରେ ନଜର ଆସିପାରନ୍ତି ।


