ସାରା ଓଡ଼ିଶାରେ ଗାଁସାଥୀ (ମେଟ୍‌)ଙ୍କ ପ୍ରତିକ୍ରିୟା;ଉଚ୍ଚ ନ୍ୟାୟାଳୟ, ଓଡ଼ିଶାଙ୍କ ନିର୍ଦ୍ଦେଶକୁ ମାନୁନାହିଁ ରାଜ୍ୟ ପଞ୍ଚାୟତିରାଜ ବିଭାଗ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ଚଳିତବର୍ଷ ସେପ୍ଟେମ୍ବର ୧୦ରେ ରାଜ୍ୟ ପଞ୍ଚାୟତିରାଜ ବିଭାଗକୁ ମାନ୍ୟବର ଓଡ଼ିଶା ହାଇକୋର୍ଟ ସ୍ପଷ୍ଟ ନିର୍ଦ୍ଦେଶ ଦେଲେ ଯେ, ଆନେକ୍‌ସଚର-୯ ଅର୍ଥାତ୍ ପିଆର ଡିପାର୍ଟମେଣ୍ଟ ଚିଠି ନଂ-୧୩୦୬୫, ତା ୧୯.୮.୨୦୨୦ ଚିଠି ଅନୁଯାୟୀ ସମଗ୍ର ରାଜ୍ୟରେ ସବୁ ଗାଁ’ରୁ ‘ସ୍ୱୟଂ ସହାୟକ ଗୋଷ୍ଠୀ’ରୁ ଚୟନ ହେବାକୁ ଥିବା ‘ମେଟ୍‌’ ପ୍ରକ୍ରିୟାକୁ କେଶ୍ ସରିବା ଯାଏ ବନ୍ଦ ରଖାଯାଉ । ଦ୍ୱିତୀୟତଃ ଆନେକ୍‌ସ୍‌ଚର-୪ ଅର୍ଥାତ୍ ପିଆର ଡିପାର୍ଟମେଣ୍ଟର ଚିଠି ନଂ- ୧୫୫୩୪, ତା ୨୦.୦୮.୨୦୧୮ର ନିର୍ଦ୍ଦେଶନାମା ଅନୁସାରେ ରାଜ୍ୟରେ ମନରେଗାରେ କାର୍ଯ୍ୟରତ ସମସ୍ତ ଗାଁସାଥୀ (ମେଟ୍‌) ମାନଙ୍କୁ ନ୍ୟାୟ ପ୍ରଦାନ କରାଯାଉ । ମାତ୍ର ଏବେ ବି କୋରାପୁଟ ଜିଲ୍ଲାର ବିଭିନ୍ନ ବ୍ଲକର ମହିଳା ସ୍ୱୟଂସହାୟକ ଗୋଷ୍ଠୀରୁ “ମେଟ” ଚୟନ ଜାରି ରହିଛି ଓ ଦ୍ୱିତୀୟତଃ ୧୫୫୩୪ ଚିଠିରେ ଥିବା ୭ଟି ପ୍ରସଙ୍ଗ ଯଥା ଯଥା – ଟ୍ରେନିଂ, ଗାଁସାଥୀ (ମେଟ୍‌)ଙ୍କ ସ୍ପଷ୍ଟ ଡାଟାବେସ୍‌, ରାଜ୍ୟରେ ଖାଲିଥିବା ୪୦,୦୦୦ ରୁ ଊର୍ଦ୍ଧ୍ୱ ‘ମେଟ୍‌’ ସେହି ୧୫୫୩୪, ତା ୨୦.୦୮.୨୦୧୮ରିଖ ଚିଠି ଅନୁଯାୟୀ ଚୟନ, ରାଜ୍ୟରେ କାର୍ଯ୍ୟରତ ସମସ୍ତ ‘ଗାଁସାଥୀ (ମେଟ୍‌)ଙ୍କୁ ମାସକୁ ସର୍ବନିମ୍ନ ୧୦ ଦିନ, ବର୍ଷକୁ ଅତିକମ୍‌ରେ ୧୦୦ ଦିନରୁ ଊର୍ଦ୍ଧ୍ୱ ସରକାରୀ କାର୍ଯ୍ୟ ଉଚିତ୍ ପ୍ରାପ୍ୟ ସହିତ ପ୍ରଦାନ ଓ କମ୍ୟୁନିଟି ପ୍ରୋଜେକ୍ଟ ସହିତ ୧୦ଟି ଲାଇନ୍ ଡିପାର୍ଟମେଣ୍ଟ ଓ ବ୍ୟକ୍ତିଗତ ହିତାଧିକାରୀ ମନରେଗା ପ୍ରକଳ୍ପରେ ପ୍ରାପ୍ୟ ସହିତ ସାମିଲ୍‌, ‘ମେଟ୍‌’ ମାନଙ୍କୁ ସ୍ପଷ୍ଟ ମଜୁରୀ ପ୍ରଦାନ ବ୍ୟବସ୍ଥା ତଥା ମନରେଗାରୁ ମିଡିଲ୍‌ମ୍ୟାନ୍ ଓ ଭେଣ୍ଡର ଉଚ୍ଛେଦ ବ୍ୟବସ୍ଥା ଇତ୍ୟାଦି ପ୍ରସଙ୍ଗରେ ରାଜ୍ୟ ପଞ୍ଚାୟତିରାଜ ପ୍ରଶାସନ ଟାଳଟୁଳ ନୀତି ଅବଲମ୍ବନ କରୁଅଛି । ଏଥିପାଇଁ ଉପରିସ୍ଥ ଅଧିକାରୀମାନଙ୍କର କୌଣସି ନିୟମିତ ସମୀକ୍ଷା ଓ ତର୍ଜମା ହେଉନାହିଁ । ରାଜ୍ୟ, ଜିଲ୍ଲା, ବ୍ଲକ ସ୍ତରରେ ପଦାଧିକାରୀମାନେ ଏହିସବୁ ବିନ୍ଦୁରେ ଅବହେଳା କରୁଥିବା ପଞ୍ଚାୟତ ଓ ବ୍ଲକ ସ୍ତରୀୟ ଅଧିକାରୀମାନଙ୍କ ଉପରେ କୌଣସି ଦୃଢ ପଦକ୍ଷେପ ଓ କାର୍ଯ୍ୟାନୁଷ୍ଠାନ ନେଉନାହାଁନ୍ତି । ଏହିସବୁ କାରଣରୁ ଗ୍ରାମ୍ୟ ଓ ପଞ୍ଚାୟତ ସ୍ତରରେ ଗାଁ ସାଥୀ (ମେଟ୍‌)ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଆଜି ଭୁବନେଶ୍ୱରସ୍ଥିତ ରାଜଭବନ ଆଗରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଗାଁସାଥୀ (ମେଟ୍‌) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟିର ସାଧାରଣ ସମ୍ପାଦକ ଶ୍ରୀ ଲକ୍ଷ୍ମୀଧର ବିଶ୍ୱାଳ ଜଣାଇଛନ୍ତି । ଏଥିସହିତ ଚଳିତ ବର୍ଷ ୩୦ ସେପ୍ଟେମ୍ବରରେ ରାଜ୍ୟ ସଂଘର ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଦେଇଥିବା ଏକ ସ୍ମାରକପତ୍ରରେ ଥିବା ବିଭିନ୍ନ ଦାବି ସମ୍ପର୍କରେ କ’ଣ ପଦକ୍ଷେପ ନିଆଯାଇଛି ସେ ବାବଦରେ ଆଜି ପୁନର୍ବାର ସଂଘର ସେହି ଟିମ୍ ରାଜ୍ୟପାଳଙ୍କୁ ସାକ୍ଷାତ ଆଲୋଚନା ପାଇଁ ଆସିଥିଲେ । ଏଥିସହିତ ପୁଣିଥରେ ଏକ ସ୍ୱତନ୍ତ୍ର ସ୍ମାରକପତ୍ର ମହାମହୀମ ରାଜ୍ୟପାଳ, ଓଡ଼ିଶା, ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡ଼ିଶା, ମାନ୍ୟବର ପ୍ରଧାନମନ୍ତ୍ରୀ ଓ ମହାମହୀମ ରାଷ୍ଟ୍ରପତି, ଭାରତ ସରକାରଙ୍କ ଉଦ୍ଦେଶ୍ୟରେ ମଧ୍ୟ ସଂଘ ଏହି ଦାବିପତ୍ର ପ୍ରଦାନ କରିଅଛି । ଯଦି ଆଗାମୀ ଦିନରେ ଗାଁସାଥୀ (ମେଟ୍‌)ଙ୍କ ଦାବି ପୂରଣ ପ୍ରତି ସରକାର ଯତ୍ନବାନ ନ ହୁଅନ୍ତି, ତେବେ ଅନ୍ଦୋଳନକୁ ପଲ୍ଲୀରୁ ଦିଲ୍ଲୀ ଯାଏ ବ୍ୟାପକ କରାଯିବ ବୋଲି ସଂଘ ତରଫରୁ ପ୍ରକାଶ କରାଯାଇଛି । ଆଜିର କାର୍ଯ୍ୟକ୍ରମରେ ଗାଁସାଥୀ ସଂଗଠକ ସୌଭାଗ୍ୟ ମିଶ୍ର, ଦିଲ୍ଲୀପ ମହାପାତ୍ର, ପ୍ରକାଶ ମଳିକ, ଶ୍ରୀମନ୍ଦିର ସାହୁ, ପ୍ରତାପ ମଲ୍ଲିକ, ଅଭୟ ବିଶ୍ୱାଳ, କୈଳାସ ଭଦ୍ରା, ନିଳାମ୍ବର ଦିଶାରୀ, ମଙ୍ଗଳସାଇ ଭତ୍ରା, ଯୀଶୁ ପ୍ରସନ୍ନ ମହାନ୍ତି, ଲକ୍ଷ୍ମଣ ନାୟକ, ବୈଶାଖୁ ଭତ୍ରା, ସୋମନାଥ ଦୁରୁଆ, ପ୍ରଭାକର ଭୋଇ, କୁମୁଦିନି ପତି, ସୁଶିଳା ନାୟକ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ