କ୍ରିକେଟରେ ଜିରୋ ରାଜନୀତିରେ ହିରୋ: ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ଯାଦବ
ନୂଆଦିଲ୍ଲୀ: କ୍ରିକେଟରୁ ଆରମ୍ଭ କରିଥିଲେ ନିଜ କ୍ୟାରିୟର । ହେଲେ ସଫଳ ହୋଇନଥିଲା ଏହି ଯାତ୍ରା । ଶେଷରେ ଏହି ରାସ୍ତା ଛାଡି ରାଜନୀତିକୁ ଚାଲିଆସିଥିଲେ ବିହାର ରାଜନୀତିର ଚର୍ଚ୍ଚିତ ଚେହେରା ତେଜସ୍ୱୀ ଯାଦବ । ଆଜି ତେଜସ୍ୱୀଙ୍କ ଜନ୍ମଦିନ । ତାଙ୍କୁ ଆଜି ୩୧ ବର୍ଷ ହୋଇଛି । ମାତ୍ର ୩୧ ବର୍ଷ ବୟସରେ ଏବେ ସେ ବିହାର ନିର୍ବାଚନରେ ଚର୍ଚ୍ଚିତ ଚେହେରା ପାଲଟିଛନ୍ତି । ଏହାସହ ଚଳିତ ନିର୍ବାଚନରେ ସେ ଆରଜେଡିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ମଧ୍ୟ ହୋଇଛନ୍ତି । କେବଳ ରାଜନୀତି ନୁହେଁ ତେଜସ୍ୱୀ କ୍ରିକେଟରେ ମଧ୍ୟ ନିଜ ଛାପ ଛାଡିଛନ୍ତି । ତେଜସ୍ୱୀ ଯାଦବ ହେଉଛନ୍ତି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପୁଅ । ସେ ନିଜ ସ୍କୁଲ ଶିକ୍ଷା ଦିଲ୍ଲୀ ପବ୍ଲିକ ସ୍କୁଲରୁ ଆରମ୍ଭ କରିଥିଲେ । ସ୍କୁଲରେ ପଢିବା ବେଳୁ ସେ କ୍ରିକେଟରେ ନିଜ ଦକ୍ଷତା ଦେଖାଇଥିଲେ । ଏହାପରେ ସେ ଦିଲ୍ଲୀ ପକ୍ଷରୁ ୧୫ ବର୍ଷରୁ କମ କ୍ରିକେଟ ଟିମରେ ଯୋଗ ଦେଇଥିଲେ । ଯେଉଁ ଟିମରେ ବିରାଟ କୋହଲି ଓ ଇଶାନ୍ତ ଶର୍ମାଙ୍କ ଭଳି ଖେଳାଳି ରହିଥିଲେ । ପରେ ସେ କ୍ରିକେଟ ପାଇଁ ଦଶମ ଶ୍ରେଣୀରୁ ନିଜ ପାଠ ପଢା ଛାଡିଥିଲେ । ଏହାସହ ସେ ଦିଲ୍ଲୀ ପାଇଁ ୧୭ ବର୍ଷରୁ କମ ଓ ୧୯ ବର୍ଷରୁ କମ କ୍ରିକେଟ ମଧ୍ୟ ଖେଳିଛନ୍ତି । ଏତିକିରେ ସରିନଥିଲା ତାଙ୍କ କ୍ୟାରିୟର । ସେ ୨୦୦୮ରେ ୧୯ ବର୍ଷରୁ କମ କ୍ରିକେଟ ଟିମରେ ଭାରତୀୟ ଦଳରେ ଷ୍ଟାଣ୍ଡ ବାଇ ଖେଳାଳି ଭାବେ ସ୍ଥାନ ପାଇଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ତେଜସ୍ୱୀ ଆଇପିଏଲ ମଧ୍ୟ ଖେଳିଛନ୍ତି । ୨୦୦୮ରେ ସେ ଦିଲ୍ଲୀ ଡେୟାରଡେଭିଲ୍ସ ଟିମରେ ସ୍ଥାନ ପାଇଥିଲେ । ୨୦୦୮ରୁ ୧୨ ଯାଏଁ ସେ ଦଳରେ ରିଜର୍ଭ ଖେଳାଳି ଭାବେ ରହିଥିଲେ । ଏହାସହ ସେ ୨୦୧୧ରେ ଝାଡଖଣ୍ଡ କ୍ରିକେଟ ଟିମ ପକ୍ଷରୁ ଖେଳ ଆରମ୍ଭ କରିଥିଲେ । ସୟଦ ମୁସ୍ତାକ ଅଲ୍ଲୀ ଓ ବିଜୟ ହଜାରେ ଟ୍ରଫି ମଧ୍ୟ ସେ ଖେଳିଛନ୍ତି । ହେଲେ କ୍ରିକେଟରେ ସେ ଲମ୍ବା କ୍ୟାରିୟର କରିନପାରି ସେ ଚାଲି ଆସିଥିଲେ ରାଜନୀତିକୁ ।


