ରାସ୍ତା ମରାମତି ନେଇ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କୁ ଗୁହାରୀ କଲେ ଗାଁଲୋକେ
ବନ୍ତ,(ଚାନ୍ଦିନୀ ମହାନ୍ତି) : ଭଦ୍ରକ ଜିଲା ବନ୍ତ ବ୍ଲକ ଛୟାଳସିଂ ପଞ୍ଚାୟତ ମଙ୍ଗୁଲି ଗ୍ରାମର ବିଭିନ୍ନ୍ ରାସ୍ତା ମରାମତି ନେଇ ଗାଁଲୋକ ମାନେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରୀ କରିଥିବା ଜଣାଯାଇଛି । ପ୍ରକାଶ ଯେ, ଉକ୍ତ ଗ୍ରାମର କାଣ୍ଡଗାଢିଆ ଛକରୁ ଆର୍.ଡି.ରାସ୍ତା ପର୍ଯ୍ୟନ୍ତ ୩ ଶହ ମିଟର, ପରିଡା ସାହିରୁ ଆର୍.ଡି ରାସ୍ତା ପର୍ଯ୍ୟନ୍ତ ୫ ଶହ ମିଟର, ବ୍ରାହ୍ମଣ ସାହିରୁ ଆର୍.ଡି ରାସ୍ତା ପର୍ଯ୍ୟନ୍ତ ୩ ଶହ ମିଟର, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ୫ ଶହ ମିଟର, ମା’ଥାନପତି ଛକରୁ କର ସାହି ପର୍ଯ୍ୟନ୍ତ ୧ ଶହ ମିଟର ରାସ୍ତା ଗୁଡିକ ବହୁବର୍ଷ ହେବ ମରାମତି ଅଭାବରୁ ଶୋଚନୀୟ ହୋଇପଡିଛି । ରାସ୍ତା ଗୁଡିକରେ ପାଣି ଜମି ରହିବା ଫଳରେ ପିଲା ମାନେ ସ୍କୁଲକୁ ଯାଇ ପାରୁନାହାନ୍ତି । ଜରୁରୀକାଳୀନ ପରିସ୍ଥିତିରେ ଗ୍ରାମ ଭିତରକୁ ଆମ୍ବୁଲାନ୍ସ କିମ୍ବା ଦମକଳ ଗାଡି ଆସିପାରୁନାହିଁ । ଅତ୍ୟାବଶ୍ୟକ ସାମଗ୍ରୀ କିମ୍ବା ବିଭିନ୍ନ ଜରୁରୀ କାର୍ଯ୍ୟରେ ଗାଁଲୋକ ମାନେ ଏହି ରାସ୍ତା ଦେଇ ବ୍ଲକ କିମ୍ବା ଜିଲା ସଦର ମହକୁମାକୁ ଯାତାୟତ କରିପାରୁନାହାନ୍ତି । ବହୁ ବର୍ଷ ହେବ ରାସ୍ତା ଗୁଡିକ ମରାମତି ହୋଇନଥିବାରୁ ଏହା ଏବେ ମରଣଯନ୍ତା ପାଲଟିଛି । ଏହି ଗ୍ରାମ୍ୟ ରାସ୍ତା ମରାମତି ନେଇ ଗ୍ରାମବାସୀ ମାନେ ଗତ ଅଗଷ୍ଟ ୧୮ରେ ଜିଲାପାଳ ଓ ବିଡିଓଙ୍କ ଠାରେ ଅଭିଯୋଗ କରିଥିଲେ । ଏସଂପର୍କରେ ବିଭିନ୍ନ ଗଣମାଧ୍ୟମରେ ବହୁବାର ଖବର ପ୍ରକାଶ ପାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଫଳରେ ଗ୍ରାମର ନାରାୟଣ ଦାଶ, ସଂଜୟ କୁମାର ନାଥ, କୈଳାସ ରାଉତ, ବଳରାମ କର, ପ୍ରଫୁଲ୍ଲ କୁମାର ରାଉତ, ଅନନ୍ତ ଚରଣ ଦାଶ, ଦୀଲିପ କୁମାର ଘଡେଇ, ଜଗନ୍ନାଥ କର, ସୁବ୍ରତ କୁମାର କର, ସନାତନ ଦାଶ, ସୁଭଦ୍ରା କର, ସଂଜୟ କୁମାର ଦାଶ, ପ୍ରତାପ କୁମାର ସାହୁ, ଶରତ ଦାଶ, ସଂଯୁକ୍ତା ଦାଶଙ୍କ ସମେତ ବହୁ ବ୍ୟକ୍ତି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଠାରେ ଗୁହାରୀ କରିଛନ୍ତି । ଏଥିସହ ଜିଲାପାଳ ଓ ବିଡିଓଙ୍କ ଅବଗତ କରାଇଛନ୍ତି ।