ପାରଳା ପୋଲିସ ପକ୍ଷରୁ ଚୋରି ହୋଇଥିବା ଲକ୍ଷାଧିକ ଟଙ୍କା ଉଦ୍ଧାର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଆଦର୍ଶ ଥାନା ପକ୍ଷରୁ ଲକ୍ଷାଧିକ ଟଙ୍କା ଉଦ୍ଧାର ହୋଇଥିବା ସୂଚନା ମିଳିଛି । ଏଠାରେ ସୂଚନା ଯୋଗ୍ୟ ଯେ ଗତ ୧୭.୧୧.୨୦୨୦ ଦିନ ବିଳମ୍ବିତ ରାତ୍ରରେ ପାରଳାଖେମୁଣ୍ଡି ସ୍ଥିତ ରାମନଗର ଠାରେ ଆଲୁ ସରୋଜିନି(୫୦)ଙ୍କ ବାସଭବନରୁ କୌଣସି ଦୁର୍ବୁତ ଏକ ଲୁହା ରଡ ସାହାର୍ଯ୍ୟରେ କବାଟ ଏବଂ ଆଲମିରା ଭାଙ୍ଗି ତାଙ୍କ ଘରୁ ଚୋରି କରିଥିଲେ । ଏ ସମ୍ପର୍କରେ ୧୮ ତାରିଖ ଦିନ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଥିଲା । ପୋଲିସ ପକ୍ଷରୁ ଘଟଣାର ଅନୁସନ୍ଧାନ କରାଯାଇ ଆଜି ୧ଲକ୍ଷ ୨୮ହଜାର ନଗଦ ଟଙ୍କା ଉଦ୍ଧାର କରାଯାଇଛି ଏବଂ ଘଟଣାରେ ସମ୍ପୃକ୍ତିକୁ ନେଇ ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ଅନ୍ତର୍ଗତ ପୁରୁଣାପାଟଣା ଥାନା ଅଞ୍ଚଳର ପେଦାୱିଦି ତିମିଡି ଗ୍ରାମର ଟି. ଅର୍ଜୁନୁଡୁ(୩୨)କୁ ଗିରଫ କରାଯାଇଛି । ଏହି ଅଭିଯୁକ୍ତଙ୍କୁ ପାରଳାଖେମୁଣ୍ଡି ସ୍ଥିତ କଲେଜ ଛକ ଠାରୁ ଗିରଫ କରାଯାଇଥିବାବେଳେ ଏକ ବଜାଜ ମେକ୍ସିମା ଅଟୋ ରିକ୍ସା ନଂ ଏପି୩୦ଟିଏ ୧୮୨୪ ଜବତ କରାଯାଇଛି । ତାଙ୍କୁ ପୋଲିସ ପଚରା ଉଚରା କରାଯିବା ବେଳେ ସେ ୧ଲକ୍ଷ ୨୮ ହଜାର ଟଙ୍କା ଚୋରି କରିଥିବା ସ୍ୱୀକାର କରିଥିଲେ । ଏ ସମ୍ପର୍କରେ ପାରଳାଖେମୁଣ୍ଡି ଥାନାରେ ୨୭୯/୨୦ରେ ପୂର୍ବରୁ ଏକ ମାମଲା ରୁଜୁ ହୋଇଥିବାବେଳେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।


