ସରକାରୀ ସ୍କୁଲ ବନ୍ଦ ନିଷ୍ପତ୍ତି ସ୍ଥଗିତ ରଖି ବେସରକାରୀ, ବେଆଇନ ସ୍କୁଲ ବନ୍ଦ କରି ଡିଏଲଏସସିସିରେ ଜନପ୍ରତିନିଧିଙ୍କୁ ସାମିଲକର
କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ସର୍ବଦଳୀୟ ବୈଠକ ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୧୫ ଓ ୨୦ରୁ କମ ସଂଖ୍ୟକ ଛାତ୍ରଛାତ୍ରୀ ଥିବା ରାଜ୍ୟର ୭ହଜାର ୭ଶହ ୭୨ରୁ ଉର୍ଦ୍ଧ୍ୱ ଚାଲୁଥିବା ସରକାରୀ ସ୍କୁଲକୁ ରାଜ୍ୟ ସରକାର ବନ୍ଦ କରିବାକୁ ଘୋଷଣା କରିଛନ୍ତି । ଏହାକୁ ବିରୋଧକରି ସର୍ବଦଳୀୟ ବୈଠକରେ ନିଆଯାଇଥିବା ନିଷ୍ପତ୍ତିକୁ ତୁରନ୍ତ ମାନିନେବା ପାଇଁ ଓଡିଶା ଅଭିଭାବକ ମହାସଙ୍ଘ ସାରା ଓଡିଶାରେ ଦାବୀ କରିଆସୁଛି । ଏହି ଉପଲକ୍ଷେ କେନ୍ଦ୍ରାପଡା ଜିଲ୍ଲାର ଗରାପୁରସ୍ଥିତ ପୂର୍ତ୍ତ ବିଭାଗ ଡାକବଙ୍ଗଳା ପରିସରରେ ଅନୁଷ୍ଠିତ ପତ୍ରକାର ସମ୍ମିଳନୀରେ ଓଡିଶା ଅଭିଭାବକ ମହାସଙ୍ଘର ରାଜ୍ୟ ସଭାପତି ବାସୁଦେବ ଭଟ୍ଟ ଉପରୋକ୍ତ ଦାବୀକୁ ଦୋହରାଇଛନ୍ତି । ଏଥି ସହିତ ଶ୍ରୀ ଭଟ୍ଟ ଏସମ୍ପର୍କରେ ବିଭିନ୍ନ ସଂଗଠନର କର୍ମକର୍ତ୍ତା, ଜନସାଧାରଣ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ ଏବିଷୟରେ ଆଲୋଚନା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଥିବା ସୂଚନା ଦେଇଛନ୍ତି । ଦାବୀ ଗୁଡିକ ମଧ୍ୟରେ ସର୍ବଦଳୀୟ ବୈଠକର ନିଷ୍ପତ୍ତି ଅନୁଯାଇ ଏବେ ସରକାରୀ ସ୍କୁଲ ବନ୍ଦ ନିଷ୍ପତ୍ତିକୁ ସ୍ଥଗିତ ରଖାଯିବା, ପ୍ରାୟ ୮ହଜାରରୁ ୧୦ହଜାର ନକଲି ବା ବେଆଇନ ଭାବେ ଚାଲୁଥିବା ବିନା ସ୍ୱୀକୃତିପ୍ରାପ୍ତ ଘରୋଇ ବିଦ୍ୟାଳୟ ଗୁଡିକୁ ତୁରନ୍ତ ବନ୍ଦ କରାଯିବା ଓ ନକଲି ସ୍କୁଲର ମାଲିକଙ୍କ ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା,ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ମିଶ୍ରଣ କମିଟି (ଡି.ଏଲ.ଏସ.ସି.ସି.)କୁ ପୁନଃ ଗଠନ କରାଯାଇ ସାଂସଦ,ବିଧାୟକ, ପଂଚାୟତିରାଜ ନିର୍ବାଚିତ ଜନପ୍ରତିନିଧି ଓ ଶିକ୍ଷାବୀତଙ୍କୁ କମିଟିରେ ସାମିଲ କରାଯିବା,ସାଂପ୍ରତିକ ସ୍କୁଲ ବନ୍ଦର ବିକଳ୍ପ କ’ଣ ହୋଇପାରିବ ତାର ଏକ ରୂପରେଖ ପ୍ରସ୍ତୁତି ପାଇଁ ବିଶିଷ୍ଟ ଶିକ୍ଷାବୀତ,ବିଶେଷଜ୍ଞ ଓ ଅଭିଭାବକମାନଙ୍କୁ ନେଇ ଏକ ପରାମର୍ଶ ମଣ୍ଡଳୀ ସଭାର ଆୟୋଜନ କରାଯିବା ସହ ସବୁ ରାଜନୈତିକ ଦଳ ଏବଂ ଶିକ୍ଷା ଉପରେ କାର୍ଯ୍ୟ କରୁଥିବା ବିଭିନ୍ନ ସଂଗଠନ ଗୁଡିକୁ ଡକାଯାଇ ପରାମର୍ଶ ଗ୍ରହଣ କରାଯିବାକୁ ଦାବୀ କରାଯାଇଛି । ଉପରୋକ୍ତ ଦାବୀ ଗୁଡିକୁ ଗ୍ରହଣ କରାନଗଲେ ଓଡିଶା ଅଭିଭାବକ ମହାସଙ୍ଘ ରାଜ୍ୟରେ ଶିକ୍ଷାର ସୁରକ୍ଷା ଓ ପ୍ରସାର ପାଇଁ ରାଜନୈତିକଦଳ,ସାମାଜିକ ସଂଗଠନ,ଶିକ୍ଷକ ସଂଗଠନ ଗୁଡିକୁ ନେଇ ଏକ ବ୍ୟାପକ ମଂଚ ଶିକ୍ଷା ବଂଚାଅ ଅଭିଯାନ ଆରମ୍ଭ କରି ରାଜ୍ୟ ସାରା ଆନ୍ଦୋଳନ କରିବାକୁ ବାଧ୍ୟ ହେବ ବୋଲି ସରକାରଙ୍କୁ ଚେତାବନୀ ଦେଇଛି । ଏକ ଦୁଇଦିନିଆ ଜିଲ୍ଲା ଗସ୍ତରେ ଆସି ଶ୍ରୀ ଭଟ୍ଟ ୩ଟି ବ୍ଲକର ୫ଟି ଗ୍ରାମକୁ ଯାଇ ସ୍ଥାନୀୟ ଗ୍ରାମ୍ୟ ଶିକ୍ଷା କମିଟିର ସଦସ୍ୟ ଓ ଛାତ୍ରାଭିଭାବକମାନଙ୍କ ସହ ଆଲୋଚନା କରିଛନ୍ତି । ଏହି ପତ୍ରକାର ସମ୍ମିଳନୀରେ ଜିଲ୍ଲା ଆବାହକ ମୋହନ ସାହୁ, ସହ ଆବାହକ ଅସୀତ କୁମାର ପଣ୍ଡା, ଯୁଗ୍ମ ଆବାହକ ନରେନ୍ଦ୍ର ଧଳ,ମହାସଙ୍ଘର ସମ୍ପାଦକ ପୁଣ୍ୟଶ୍ଳୋକ ମହାନ୍ତି ଓ କୁତାର୍ଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।