ବାରମ୍ବାର ବିଭ୍ରାଟ ମହଙ୍ଗା ପଡ଼ିଲା
ନୂଆଦିଲ୍ଲୀ: ଦେଶର ଅନ୍ୟତମ ବୃହତ ଘରୋଇ କ୍ଷେତ୍ରର ବ୍ୟାଙ୍କ ଏଚ୍ଡିଏଫ୍ସି ବ୍ୟାଙ୍କ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଆଜି କଟକଣା ଲଗାଇବା ସମସ୍ତଙ୍କୁ ଚକିତ କରିଛି। ବିଗତ ତିନି ବର୍ଷରେ ବ୍ୟାଙ୍କର ଡିଜିଟାଲ୍ ସେବା ତିନି ଥର ବ୍ୟାହତ ହେବା ବିଷୟ ବିଚାରକୁ ନେଇ ରିଜର୍ଭ ବ୍ୟାଙ୍କ ନିଜ ଆଡ଼ୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏଚ୍ଡିଏଫ୍ସି ବ୍ୟାଙ୍କ ନୂଆ ଡିଜିଟାଲ୍ ସେବା ଆରମ୍ଭ କରିପାରିବ ନାହିଁ ଓ ନୂଆ କ୍ରେଡିଟ୍ କାର୍ଡ ଜାରି କରିପାରିବ ନାହିଁ ବୋଲି ରିଜର୍ଭ ବ୍ୟାଙ୍କ କହିଛି। ସେବାରେ କାହିଁକି ବିଭ୍ରାଟ ହେଉଛି, ତାହାର କାରଣ ଖୋଜିବା ଏବଂ ଦାୟିତ୍ବବୋଧ ନ୍ୟସ୍ତ କରିବା ଲାଗି ବ୍ୟାଙ୍କର ବୋର୍ଡକୁ କୁହାଯାଇଛି। ୨୦୧୮, ୨୦୧୯ ଓ ୨୦୨୦ରେ ଏଚ୍ଡିଏଫ୍ସି ବ୍ୟାଙ୍କର ସେବାରେ ବିଭ୍ରାଟ ଦେଖାଦେଇଛି। ୨୦୧୮ ନଭେମ୍ବରରେ ବ୍ୟାଙ୍କ ପକ୍ଷରୁ ମୋବାଇଲ୍ ବ୍ୟାଙ୍କିଙ୍ଗ୍ ସେବା ଆରମ୍ଭ କରାଯାଇଥିଲା। ସେଥିରେ ଲଗ୍ ଇନ୍ କରିବାକୁ ଗ୍ରାହକମାନେ ଅସୁବିଧା ସାମ୍ନା କରିଥିଲେ। ତେଣୁ ବାଧ୍ୟ ହୋଇ ସେହି ଆପ୍କୁ ବ୍ୟାଙ୍କ ପ୍ରତ୍ୟାହାର କରି ପୁରୁଣା ଆପ୍କୁ ଚାଲୁ କରିଥିଲା। ୨୦୧୯ ଡିସେମ୍ବରରେ ଏଚ୍ଡିଏଫ୍ସି ବ୍ୟାଙ୍କର ନେଟ୍ ବ୍ୟାଙ୍କିଙ୍ଗ୍ ଓ ମୋବାଇଲ୍ ବ୍ୟାଙ୍କିଙ୍ଗ ଦୁଇ ଦିନ ପାଇଁ ବ୍ୟାହତ ହୋଇଥିଲା। ଏହା ଜଣାପଡ଼ିବା ପରେ ପ୍ରକୃତ କାରଣ କ’ଣ ତାହା ଜାଣିବା ଲାଗି ରିଜର୍ଭ ବ୍ୟାଙ୍କ ନିଜ ଆଡ଼ୁ ଏକ ଟିମ୍ ପଠାଇଥିଲା। ଚଳିତ ବର୍ଷ ନଭେମ୍ବର ୨୧ରେ କଂପାନିର ଡାଟା ସେଣ୍ଟର୍ରେ ବିଦ୍ୟୁତ ବିଭ୍ରାଟ ଦେଖାଦେବାରୁ ବ୍ୟାଙ୍କର ନେଟ୍ ବ୍ୟାଙ୍କିଙ୍ଗ୍ ଓ ପେମେଣ୍ଟ୍ ସିଷ୍ଟମ ଅଚଳ ହୋଇପଡ଼ିଥିଲା। ବିଭିନ୍ନ ପ୍ରକାର ସେବାକୁ ନେଇ ବ୍ୟାଙ୍କ ଯେଉଁ ବ୍ୟବସ୍ଥା ଗ୍ରହଣ କରିଛି ସେଥିରେ ରିଜର୍ଭ ବ୍ୟାଙ୍କ ସନ୍ତୁଷ୍ଟ ନହେବା ପର୍ଯ୍ୟନ୍ତ ଏହି କଟକଣା ରହିବ। ଆଜି ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ୟୋନୋ ଆପ୍ ବ୍ୟବହାର କରିବାରେ ମଧ୍ୟ ଗ୍ରାହକମାନେ ଅସୁବିଧା ସାମ୍ନା କରିଥିଲେ। ବ୍ୟାଙ୍କର ସିଷ୍ଟମ୍ ଅଚଳ ରହିବା ଯୋଗୁଁ ୟୋନୋକୁ ବ୍ୟବହାର କରିବାରେ ସମସ୍ୟା ଦେଖାଦେଇଥିଲା। ସୋସିଆଲ ମିଡିଆରେ ଏହାକୁ ନେଇ ଗ୍ରାହକମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ।


