ସ୍ୱାମୀର ଠେଙ୍ଗା ମାଡରେ ସ୍ତ୍ରୀ ଆହତ, ନାବାଳକ ପୁଅ ମୃତ
ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍) : କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ପିଢପୋଖରୀ ଗ୍ରାମରେ ବାପର ଠେଙ୍ଗା ମାଡରେ ସ୍ତ୍ରୀ ଆହତ ହେବା ସହ ୪ ବର୍ଷ ନାବାଳକ ପୁଅର ଡାକ୍ତରଖାନାରେ ମୃତ୍ୟୁ ଘଟିଥିବା ଜଣାପଡିଛି । ବାମେବାରୀ ଥାନା ଅଧିକାରୀ ପରେଶ କୁମାର ମହାନ୍ତିଙ୍କ ସୂଚନାନୁଯାୟୀ, ପିଢପୋଖରୀ ଗ୍ରାମରେ ରହୁଥିବା ରାମ ମୁଣ୍ଡା ତାଙ୍କ ପତ୍ନୀ ସରୋଜିନୀ ମୁଣ୍ଡାଙ୍କ ସହ ରବିବାର ସନ୍ଧ୍ୟା ସମୟରେ ପାରିବାରିକ କଳହ ହୋଇଥିଲା । ଏଥିରେ ଉତକ୍ଷୀପ୍ତ ହୋଇ ରାମ ମୁଣ୍ଡା ଏକ ଠେଙ୍ଗାରେ ତାଙ୍କ ପତ୍ନୀ ସରୋଜିନୀ ମୁଣ୍ଡାଙ୍କୁ ବାରମ୍ବାର ପ୍ରହାର କରୁଥିବା ସମୟରେ ତାଙ୍କର ୪ ବର୍ଷର ନାବାଳକ ପୁଅ ଆସିଯିବାରୁ ତାଙ୍କ ଉପରେ ମଧ୍ୟ ଠେଙ୍ଗା ମାଡ ବାଜିଥିଲା । ଉଭୟ ମା ଓ ପୁଅ ଗୁରୁତର ହେବାରୁ ତାଙ୍କୁ କେନ୍ଦୁଝର ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ତେବେ ସୋମବାର ଦିନ ନାବାଳକ ପୁଅର ମୃତ୍ୟୁ ଘଟିଥିବା ପୋଲିସ ସୂଚନା ଦେଇଛି । ଏନେଇ ବାମେବାରୀ ଥାନା କେଶ ନଂ ୧୨୭/୨୦୧୯ ଦଫା ୩୦୨ ରାମ ମୁଣ୍ଡାଙ୍କ ନାମରେ ରୁଜୁ କରାଯାଇଥିବା ପୋଲିସ ସୂଚନା ଦେଇଛି ।


