ଜିଲ୍ଲା ଏଡସ ପ୍ରତିକାର ଓ ନିୟନ୍ତ୍ରଣ ସମିତି ବୈଠକ ଅନୁଷ୍ଠିତ

ବାଲେଶ୍ୱର,(ଓ୍ବାଇଏନ୍ଏସ୍): ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ “ ଜିଲ୍ଲା ଏଡସ୍ ପ୍ରତିକାର ଓ ନିୟନ୍ତ୍ରଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଏଡସ ଭଳି ମାରାତ୍ମକ ରୋଗର ପ୍ରତିକାର ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା କରାଯାଇଥିଲା । ଏଥି ସହିତ ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ ଆବଶ୍ୟକତା ପୂରଣ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଏଚଆଇଭି ଓ ଏଡସ ପରୀକ୍ଷାକୁ ଅଧିକ କ୍ରିୟାଶୀଳ କରିବା ସହ ଜିଲ୍ଲାର ସମସ୍ତ ଉପାନ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ନମୁନା ପରୀକ୍ଷା ବ୍ୟବସ୍ଥା କରାଯାଇଛି । ଜିଲ୍ଲାରେ ଏବେ ବର୍ଷକୁ ଏକ ଲକ୍ଷରୁ ଅଧିକ ନମୁନାର ଏଚଆଇଭି ପରୀକ୍ଷା କରାଯାଉଥିବା ବେଳେ ପଜିଟିଭ୍ ହାର ଧିରେ ଧିରେ କମି ଚାଲିଛି । ଜିଲ୍ଲାର ବିଭିନ୍ନ ଅଂଚଳରେ ଏଚଆଇଭି, ଏଡସ୍ ରୋଗ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯିବା ସହିତ ସେଠାରେ ମଧ୍ୟ ନମୁନା ପରୀକ୍ଷା କରାଯାଉଥିବା ଜିଲ୍ଲା ଏଡସ୍ ପ୍ରକଳ୍ପ ଅଧିକାରୀ ରଶ୍ମିତା ମହାନ୍ତି ବୈଠକରେ ସୂଚନା ଦେଇଥିଲେ । ଜିଲ୍ଲାରେ ଏବେ ପ୍ରାୟ ୧୬ଶହ ଏଡସ୍ ରୋଗୀ ଚିହ୍ନଟ ହୋଇଥିବା ବେଳେ ସମସ୍ତ ରୋଗୀ ଆଂଟି ରିଟ୍ରିଭାଲ ଥେରାପି ଔଷଧ ନିୟମିତ ସେବନ କରୁଥିବା ଜଣାପଡିଛି । ସେଥିପାଇଁ ଜିଲ୍ଲାରେ ଏବେ ଏଡସ୍ ରୋଗୀଙ୍କ ମୃତ୍ୟୁହାର ହ୍ରାସ ପାଇବାରେ ଲାଗିଛି । କୋଭିଡ ସମୟରେ ମଧ୍ୟ ରୋଗୀମାନଙ୍କୁ ଶତ ପ୍ରତିଶତ ଔଷଧ ବିତରଣ କରାଯାଇଛି । ସେହିପରି ମାଆଠାରୁ ଶିଶୁକୁ ହେଉଥିବା ସଂକ୍ରମଣକୁ କିଭଳି ରୋକାଯାଇପାରିବ ସେ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଏ ସଂକ୍ରାନ୍ତରେ ସ୍ୱାସ୍ଥ୍ୟ ବିଶେଷଜ୍ଞା ତଥା ୟୁନିସେଫ ପରାମର୍ଶଦାତା ଡା. ତୃପ୍ତି ମିଶ୍ର ରାଜ୍ୟର ବିଭିନ୍ନ ଜିଲ୍ଲାରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ । ଅନୁରୂପ ଭାବେ ଏଡସ୍ ରୋଗୀଙ୍କ ସାମାଜିକ ନିରାପତା ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଏଆରଟି ସମନ୍ୱୟ କମିଟି ବୈଠକ ଆଜି ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ ଲାଇନ ଡିପାର୍ଟମେଂଟର ଅଧିକାରୀମାନେ ଉପସ୍ଥିତ ରହି ଏଡସ୍ ରୋଗୀମାନଙ୍କୁ ଦିଆଯାଉଥିବା ବିଭିନ୍ନ ସରକାରୀ ସୁବିଧା ଓ ସହାୟତା ସମ୍ପର୍କରେ ଆଲୋଚନା କରିଥିଲେ । ଯେଉଁ କ୍ଷେତ୍ରରେ ସରକାରୀ ସହାୟତା ମିଳି ପାରି ନାହିଁ, ତାହା ତୁରନ୍ତ ଯୋଗାଇଦେବାକୁ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଦୁଲାଳସେନ ଜଗଦ୍ଦେବ, ବରିଷ୍ଠ ଚିକିତ୍ସାଧିକାରୀ ଡା ଅନୁପ ଘୋଷ, ଜିଲ୍ଲା ଯକ୍ଷ୍ମା ଅଧକାରୀ ଡା ରଞ୍ଜନ କୁମାର ନାୟକ, ଡିପିଏମ(ଏନ.ଏଚ.ଏମ୍‌.) ଶ୍ରୀ ଅନୀଲ ମହାନ୍ତି ପ୍ରମୁଖ ଏହି ବୈଠକରେ ମଂଚାସୀନ ଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଏଥିରେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ଜିଲ୍ଲା ଏଡସ୍ ପ୍ରକଳ୍ପ ଅଧିକାରୀ ରଶ୍ମିତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ