ଏ.ପି.ଜେ. ଅବଦୁଲକାଲାମ୍ ଜନକଲ୍ୟାଣ ପରିଷଦ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା
ଛତ୍ରପୁର,(ଦେବଦତ୍ତ ମହାରଣା): ସ୍ଥାନୀୟ ଶିବରାମ ପଟ୍ଟନାୟକ ରିଡିଂରୁମ୍ ପରିସରରେ ଖଲ୍ଲିକୋଟ ଅଞ୍ଚଳର ଡଃ ଏ.ପି.ଜେ. ଅବଦୁଲକାଲାମ୍ ଜନକଲ୍ୟାଣ ପରିଷଦ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ମାନିତ କରାଯାଇଛି । ଏଥିରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରବି ନାରାୟଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ କରୋନା ମହାମାରୀ ସମୟରେ କରୋନା ଯୋଦ୍ଧାମାନଙ୍କ ନିଷ୍ଠାପର ସେବାକୁ ଭୂୟଶ୍ରୀ ପ୍ରଶଂସା କରିଥିଲେ । ଗଞ୍ଜାମ ଜିଲ୍ଲା ତଥା ରାଜ୍ୟରୁ କରୋନା ନିୟନ୍ତ୍ରଣରେ ସାମ୍ବାଦିକମାନଙ୍କ ଭୂମିକା ଅତୁଳନୀୟ । ଜିଲ୍ଲା ପ୍ରଶାସନର ପ୍ରତିଟି ପଦକ୍ଷେପକୁ ଜନସାଧାରଣଙ୍କୁ ସଚେତନତା ଦିଗରେ ସାମ୍ବାଦିକମାନେ ଜୀବନକୁ ବାଜି ଲଗାଇ ବେଶ୍ ସେବା ଯୋଗାଇଛନ୍ତି । ଏଣୁ ଆଜି ସେହିମାନଙ୍କୁ ସମ୍ବର୍ଦ୍ଧନା କରାଯାଉଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି ବୋଲି କହିଥିଲେ । ରମ୍ଭା ବନ୍ୟ ବିଭାଗର ରେଞ୍ଜର ରଶ୍ମିତା ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଆୟୋଜକ ଏବଂ ସମ୍ବର୍ଦ୍ଧିତ ହେବାକୁ ଥିବା କରୋନା ଯୋଦ୍ଧାଙ୍କ ଭୂମିକାକୁ କୃତଜ୍ଞତା ଜଣାଇଥିଲେ । ଡଃ ଏ.ପି.ଜେ. ଅବଦୁଲକାଲାମ୍ ଜନକଲ୍ୟାଣ ପରିଷଦର ସଭାପତି ପୂର୍ଣ୍ଣଚନ୍ଦ୍ର ବେହେରା, ଉପସଭାପତି ବିଦୁପ୍ରଭା ରଥ, ପୂର୍ବତନ କାଉନସିଲର ଶକୁନ୍ତଳା ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ । ଶିକ୍ଷୟିତ୍ରୀ ଅଞ୍ଜନା କୁମାରୀ ବେହେରା ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ଓ ଖଲ୍ଲିକୋଟ ଅଞ୍ଚଳର ସାମ୍ବାଦିକ ଏବଂ ଶିକ୍ଷକମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା ।


